ନୂଆଦିଲ୍ଲୀ: ଆତ୍ମଘୋଷିତ ବାବାର କଳା କାରନାମା। ପୂଜା କରିବା ଆଳରେ ମହିଳାଙ୍କୁ କଲା ଦୁଷ୍କର୍ମ ଉଦ୍ୟମ। ସଫଳ ନହେବାରୁ ତଣ୍ଟି ଚିପି ମାରିଦେଲା। ଖାଲି ସେତିକି ନୁହେଁ, ମହିଳାଙ୍କ ପୁରୁଷ ବନ୍ଧୁଙ୍କୁ ବି ନିର୍ମମ ଭାବେ ହତ୍ୟା କରିବାକୁ ପଛାଇନଥିଲା ଏହି ଭଣ୍ଡ ବାବା। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ମହାରାଷ୍ଟ୍ର ଧୁଲେ ଜିଲ୍ଲାର ଜଇତାନେ ଗାଁରେ। ପୋଲିସ ମାମଲାର ତଦନ୍ତ ଜାରି ରଖିଥିବା ବେଳେ, ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କାରଣ ପାଲଟିଛି।

ସୂଚନା ଅନୁସାରେ, ଜଣେ ୨୫ ବର୍ଷୀୟ ମହିଳା ଏବଂ ତାଙ୍କ ପୁରୁଷ ବନ୍ଧୁ ଅକ୍ଷୟ ଗଙ୍ଗାଧର ସୋନଓ୍ବଣେଙ୍କୁ ଜଇତାନେ ଗାଁରେ ରହୁଥିବା ଆତ୍ମଘୋଷିତ ବାବା ଭୈୟା ବାପୁ ଖରିନାର ଓରଫ୍ ୟୋଗେଶ ହତ୍ୟା କରିଛି। ପୋଲିସ କହିଛି, ଉଭୟ ବାବାଙ୍କୁ ଖୁବ୍ ବିଶ୍ବାସ କରୁଥିଲେ। ଏମିତିରେ ବାବା ଜଣକ ଶନି ଅମାବାସ୍ୟାରେ ଏକ ପୂଜା କରିବାକୁ ସେମାନଙ୍କୁ ଆଶ୍ରମ ନିକଟରେ ଥିବା ଏକ ସ୍ଥାନକୁ ଡାକିଥିଲା।

ପୋଲିସ କହିଛି, ପୂଜା ସରିବା ପରେ ଭଣ୍ଡ ବାବା ଜଣକ ସୋନଓ୍ବଣେଙ୍କୁ ସେଠାରେ ରହିବାକୁ କହି ମହିଳାଙ୍କୁ ନିଜ ସହ ଘରେ ଛାଡ଼ିବାକୁ ଯାଇଥିଲା। ମାତ୍ର ଅଧାବାଟରେ ସେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା। ହେଲେ ଏହାକୁ ବିରୋଧ କରିବାରୁ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା କରିବା ସହ ମୃତଦେହକୁ ପୋଡ଼ି ଦେଇଥିଲା। ଏହା ପରେ ସେଠାରୁ ଫେରି ସେ ସୋନଓ୍ବଣେଙ୍କୁ ମଧ୍ୟ ଏକ ଲୁହା ରଡରେ ପିଟି ହତ୍ୟା କରିଥିଲା ଏବଂ ତାଙ୍କ ମୃତଦେହଙ୍କୁ ଆଶ୍ରମ ପଛପଟେ ଥିବା ଏକ ଖାଇକୁ ଫିଙ୍ଗିଦେଇଥିଲା। ଏଭଳି କରି ସେ ପୋଲିସ ଭ୍ରମିତ କରିବାକୁ ଚାହୁଥିଲା। ସେ ଏଭଳି ଦେଖାଇବାକୁ ଚାହୁଥିଲା ଯେ, ସୋନଓ୍ବଣେ ମହିଳାଙ୍କୁ ହତ୍ୟା କରିଛି, ଆଉ ନିଜେ ଆତ୍ମଗ୍ଲାନି ଯୋଗୁ ନିଜେ ମଧ୍ୟ ଆତ୍ମହତ୍ୟା କରିଛି।

Also Read: ଝିଅ ଇଲେକ୍ଟ୍ରିସିଆନକୁ ଭଲ ପାଇବାରୁ ରାଗିଗଲା ବାପା, ବାଟରୁ କଣ୍ଟା ହଟାଇବା ହେବା ନେଲା ଚରମ ନିଷ୍ପତ୍ତି

ତେବେ ଶନିବାର ସକା​‌ଳେ ନିଜାମପୁର ପୋଲିସକୁ ଏକ ଗଳିତ ମୃତଦେହ ମିଳିଥିବା ଖବର ମିଳିଥିଲା। ମୃତଦେହ ନିକଟରେ ଏକ ବାଇକ ଛିଡ଼ା ହୋଇଥିବା ବେଳେ ସେଠାରୁ ପୋଲିସକୁ ଏକ ମୋବାଇଲ ଫୋନ ମିଳିଥିଲା। ଯେଉଁଥିରୁ ମୃତ ମହିଳାଙ୍କ ପରିଚୟ ଜଣାପଡ଼ିଥିଲା। ତଦନ୍ତ ସମୟରେ ଅଧିକାରୀ ଜାଣିବାକୁ ପାଇଥିଲେ ଯେ, ସୋନଓ୍ବନେ ଏବଂ ମହିଳା ପୂର୍ବ ରାତିରେ ଖରିନାରଙ୍କୁ ଭେଟିବାକୁ ଯାଇଥିଲେ। ଏହାପରେ ପୋଲିସ ଆତ୍ମଘୋଷିତ ବାବାଙ୍କୁ ଗିରଫ କରିଥିଲା। ପୋଲିସ ଅଧିକାରୀ କହିଛନ୍ତି ପ୍ରଥମେ ବାବା ତଦନ୍ତରେ ଭ୍ରମିତ କରିବାକୁ ଚେଷ୍ଟା କରୁଥିଲା। କିନ୍ତୁ ପରେ ସେ ଅପରାଧ ଘଟାଇଥିବା ସ୍ବୀକାର କରିଥିଲା। ତେବେ ପୋଲିସ ବର୍ତ୍ତମାନ ଆତ୍ମଘୋଷିତ ବାବାକୁ ଗିରଫ କରି ତଦନ୍ତ ଚଳାଇଛି।