ପୁଣେ, ୨୪।୧୧ : ଭୟଙ୍କର ଘଟଣା । ପ୍ରେମିକାକୁ ଅତି ନୃଶଂସ ଭାବେ ହତ୍ୟା କଲା ସଫ୍ଟଓ୍ୱେର ଇଞ୍ଜିନିୟର ପ୍ରେମିକ । ରାତିସାରା ପ୍ରେମିକାର ମୃତଦେହ ପାଖରେ ବସି ରହିଲା । ନିଜେ ପୋଲିସକୁ ଫୋନ୍ କରି ହତ୍ୟା ବାବଦରେ ସବୁ କଥା କହିଲା । ଏପରି ଛାତିଥର ଘଟଣା ସାମ୍ନାକୁ ଆସିଛି ପୁଣେରେ । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ଯେ ଉଭୟ ପରସ୍ପରକୁ ଅତି ଭଲ ପାଉଥିଲେ । ଏପରିକି ସେମାନଙ୍କ ପ୍ରେମକୁ ପରିବାର ଲୋକଙ୍କ ସ୍ୱୀକୃତି ମିଳିଥିଲା ।

ରିପୋର୍ଟ ଅନୁସାରେ, ପୁଣେରେ ପ୍ରେମୀଯୁଗଳ ଦୀର୍ଘ ତିନି ବର୍ଷ ହେଲା ଲିଭ୍ ଇନ୍ ରିଲେସନସିପରେ ରହୁଥିଲେ । କିନ୍ତୁ ସମ୍ପର୍କରେ ସନ୍ଦେହ ଫାଟ ସୃଷ୍ଟି କରିଥିଲା । ଫଳରେ ଭୟଙ୍କର ଭାବେ ପ୍ରେମକାହାଣୀର ଅନ୍ତ ଘଟିଛି । ମୃତ ପ୍ରେମିକା କୋମଲ ଡହାକେ ବୋଲି ଜଣା ପଡିଛି । ସେହିପରି ଅଭିଯୁକ୍ତ ପ୍ରେମିକ ଶୁଭମ ଜ୍ଞାନେଶ୍ୱରକୁ ପୋଲିସ ଗିରଫ କରିଛି ।

ଶୁଭମ ଏବଂ କୋମଲ ଉଭୟ ପେଶାରେ ସଫ୍ଟଓ୍ୱେର ଇଞ୍ଜିନିୟର ଅଟନ୍ତି । ଉଭୟ ଦୁଇଟି ପ୍ରତିଷ୍ଠିତ କମ୍ପାନୀରେ କାମ କରୁଥିଲେ । ତିନି ବର୍ଷ ତଳେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ବିବାହ କରିବାକୁ ରାଜି ହୋଇଥିଲେ ଏବଂ ଲିଭ୍ ଇନରେ ରହିଥିଲେ । ପରିବାର ଲୋକେ ମଧ୍ୟ ସମ୍ପର୍କରେ ଖୁସି ଥିଲେ । କିନ୍ତୁ ଗତ କିଛି ଦିନ ଧରି ଉଭୟଙ୍କ ସମ୍ପର୍କ ଥଣ୍ଡା ପଡିଥିଲା । କାରଣ ଶୁଭମ ଅନ୍ୟ ଜଣେ ଯୁବତୀଙ୍କୁ ପ୍ରେମ କରୁଥିବା କୋମଲ ସନ୍ଦେହ କରିଥିଲେ । ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଅନେକ ସମୟରେ ବିବାଦ ହେଉଥିଲା ।

ରବିବାର ରାତିରେ ସମାନ ପ୍ରସଙ୍ଗରେ କୋମଲ ଏବଂ ଶୁଭମ ଝଗଡା ଲାଗିଥିଲେ । ଏହା ଏତେ ଉଗ୍ର ହୋଇଥିଲା କି ଶୁଭମ ନିୟନ୍ତ୍ରଣ ହରାଇ କୋମଲଙ୍କୁ ମାରପିଟ୍ କରିଥିଲେ । ଏପରିକି ମୁଣ୍ଡ ଏବଂ ବେକକୁ ଗୋଇଠା ମାରିଥିଲେ । ଗୁରୁତର ହେଲା ପରେ କୋମଲ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ମୃତ୍ୟୁ ପରେ ବି ଶୁଭମ ରାତି ସାରା ମୃତଦେହ ପାଖରେ ବସି ରହିଥିଲେ ।

Also Read :- ପ୍ରଦୂଷଣ ପାଇଁ ଦିଲ୍ଲୀ ଏକା ଦାୟୀ ନୁହେଁ : ପଡୋଶୀ ରାଜ୍ୟକୁ ଷ୍ଟାଟସ୍ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ସକାଳ ହେଲା ପରେ ସେ ପୋଲିସକୁ ହତ୍ୟା ବାବଦରେ ସୂଚନା ଦେଇଥିଲେ । ପୋଲିସ ଆସି ସେମାନଙ୍କ ଫ୍ଲାଟରେ ପହଁଚି ମୃତଦେହକୁ ଜବତ କରିବା ସହ ପୋଷ୍ଟ୍ ମର୍ଟମ ପାଇଁ ପଠାଇଛି । ହିଞ୍ଜବାଡି ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଥିବା ବେଳେ ତଦନ୍ତ ଜାରି ରଖିଛି ।