ଭୁବନେଶ୍ୱର: ରାଜ୍ୟରେ ସୁଭଦ୍ରା ଯୋଜନାର ସହାୟତା ରାଶିକୁ ନେଇ ମଦ୍ୟପ ସ୍ୱାମୀ ସ୍ତ୍ରୀଙ୍କୁ ହତ୍ୟା କରୁଥିବା ଅଭିଯୋଗ ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏହି ଆପରାଧିକ ଘଟଣାଗୁଡ଼ିକ ପଛରେ ସୁଭଦ୍ରା ଯୋଜନା କାରଣ ହୋଇନଥାଇପାରେ ବୋଲି ସେ ସ୍ପଷ୍ଟ କରିବା ସହ ମହିଳାମାନଙ୍କୁ ସଜାଗ ଓ ସଶକ୍ତ ହେବାକୁ ଆହ୍ୱାନ ଦେଇଛନ୍ତି।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହିଳାମାନେ ଆଦୌ ଦୁର୍ବଳ କିମ୍ବା ଅବଳା ନୁହଁନ୍ତି, ସେମାନେ ସବଳା। ସମୟ ସମୟରେ ମହିଳାମାନଙ୍କ ଉପରେ ଅନେକ ଅତ୍ୟାଚାର ହୋଇଛି, ହେଲେ ସେମାନେ ପ୍ରତ୍ୟେକ ସ୍ଥିତିରେ ନିଜକୁ ଅଧିକ ଶକ୍ତିଶାଳୀ କରି ପ୍ରମାଣିତ କରିଛନ୍ତି। ନାରୀମାନେ ନିଜ ଶକ୍ତି ବିଷୟରେ ଭଲ ଭାବେ ଅବଗତ। ସେମାନେ ଦୁର୍ଗା, ଲକ୍ଷ୍ମୀ ଓ ସରସ୍ୱତୀଙ୍କ ରୂପ ଏବଂ ନିଜର ସୁରକ୍ଷା କିପରି କରିବାକୁ ହେବ, ତାହା ଭଲ ଭାବରେ ଜାଣନ୍ତି। ଏହି ନିର୍ଦ୍ଦିଷ୍ଟ ଘଟଣାଗୁଡ଼ିକ ପଛରେ ସୁଭଦ୍ରା ଯୋଜନା ବୋଧହୁଏ କାରଣ ହୋଇନଥିବ, ତଦନ୍ତ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟ ଜଣାପଡ଼ିବ ବୋଲି ସେ କହିଛନ୍ତି।

Also Read: ୩ ଥର ତାରିଖ ଘୁଞ୍ଚିବା ପରେ ସରକାରଙ୍କୁ ଘେରିଲେ ବିରୋଧି, କହିଲେ- ଆମେ ପ୍ରସ୍ତୁତ, ତୁରନ୍ତ କରାନ୍ତୁ ନିର୍ବାଚନ

ଅନ୍ୟପଟେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଅଞ୍ଚଳରୁ ଏକ ସଂଘାତିକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ କୌଶଲ୍ୟା ପ୍ରଧାନଙ୍କୁ ସୁଭଦ୍ରା ଯୋଜନାରେ ମିଳିଥିବା ଟଙ୍କା ମଦ ପିଇବା ପାଇଁ ମାଗିଥିଲେ। ସ୍ତ୍ରୀ ଟଙ୍କା ଦେବାକୁ ମନା କରିବାରୁ, ସ୍ୱାମୀ ତାଙ୍କୁ ଆକ୍ରମଣ କରି ହତ୍ୟା କରିବା ସହ ଶବକୁ ଘର ପଛପଟେ ପୋତିବାକୁ ଚେଷ୍ଟା କରିଥିଲେ। ତେବେ ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିସାରିଛି।

ସେହିପରି ଜଗତସିଂହପୁର ଜିଲ୍ଲାରୁ ମଧ୍ୟ ଏକ ଅନୁରୂପ ଅଭିଯୋଗ ଆସିଛି। ଏଠାରେ ସୁଭଦ୍ରା ଯୋଜନାର ଟଙ୍କା ହାତେଇବାକୁ ନେଇ ଜଣେ ମଦ୍ୟପ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ କଳହ ହୋଇଥିଲା, ଯେଉଁଥିରେ ସ୍ତ୍ରୀଙ୍କ ଜୀବନ ଯାଇଥିବା ନେଇ ମାମଲା ସାମ୍ନାକୁ ଆସିଛି। ଏହି ସବୁ ଘଟଣା ପଛରେ ସୁଭଦ୍ରା ଟଙ୍କାର ଭୂମିକାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରଶାସନିକ ତଦନ୍ତ ଶେଷ ହେବା ପରେ ପ୍ରକୃତ କାରଣ ସାମ୍ନାକୁ ଆସିବ।