ଫୁଲବାଣୀ: ଫୁଲବାଣୀ ସହରରେ ଘଟିଛି ଏକ ଅଭାବନୀୟ ଘଟଣା । ମା' ଝିଅ ମଧ୍ୟରେ ମନୋମାଳିନ୍ୟକୁ କେନ୍ଦ୍ର କରି ଝିଅର ନିର୍ଯାତନା ଓ ଆକ୍ରମଣରେ ବୁଢ଼ୀ ମା’ର ମୃତ୍ୟୁ ଘଟିଛି। ଘଟଣା ଘଟିଛି ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ପିଅନପଡ଼ାର ଚନ୍ଦନନଗର ଅଞ୍ଚଳରେ। ମୃତକ ସଦର ବ୍ଳକ ବୁଢ଼ାଦାନୀ ଗାଁର ବିଧବା ସେବତୀ କହଁର (୭୦)।

ସୂଚନା ମୁତାବକ, ପ୍ରାୟ ଦେଢ଼ ବର୍ଷ ପୂର୍ବେ ସେବତୀଙ୍କ ଝିଅ ସ୍ମିତାରାଣୀ ଟାଉନ ଥାନା ଅନ୍ତର୍ଗତ ପିଅନପଡ଼ାର ସୁଜିତ ଦେହୁରୀଙ୍କୁ ପରିବାରର ଇଚ୍ଛା ବିରୋଧରେ ପ୍ରେମ ବିବାହ କରିଥିଲେ। ଏହି କାରଣରୁ ବାପଘର ସହିତ ତାଙ୍କର ସମ୍ପର୍କ ଛିନ୍ନ ହୋଇଥିଲା । ଝିଅକୁ ପୈତୃକ ସମ୍ପତ୍ତିରୁ ଭାଗ ନ ଦେବା ପାଇଁ ନିଷ୍ପଭି ନେଇଥିଲେ ପରିବାର। ଏହାକୁ ନେଇ ସେମାନଙ୍କ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି ହୋଇଥିଲା। ତେବେ ସ୍ମିତାରାଣୀ ଏକ କନ୍ୟା ସନ୍ତାନ ଜନ୍ମ ଦେବା ପରେ ନବଜାତ ଶିଶୁର ଯତ୍ନ ନେବା ପାଇଁ ପ୍ରାୟ ଦେଢ଼ମାସ ପୂର୍ବେ ମା'ଙ୍କୁ ବୁଝାଇ ସୁଝାଇ ନିଜ ଘରକୁ ଆଣି ଥିଲେ।

Also Read: ବନ୍ୟପ୍ରାଣୀ ବିଭାଗରେ ମହାଘୋଟାଲା ଅଭିଯୋଗ, ୨.୬୦ କୋଟି ଟଙ୍କା ହେରଫେର!

ସେଠାରେ ସମ୍ପତ୍ତି କୁ ନେଇ ମା’ ସହିତ ଝିଅର ଝଗଡ଼ା ହୋଇଥିଲା। ମା'ଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନା ଦେବା ଆରମ୍ଭ କରିଥିଲେ ସ୍ମିତାରାଣୀ । ବାଡ଼ିଆ ପିଟା କରିବା ସହିତ ଧାରୁଆ ଛୁରିରେ ସେବତୀଙ୍କ ଶରୀରର ବିଭିନ୍ନ ସ୍ଥାନରେ ଚେଙ୍କ ଦେଇଥିଲେ । ଝିଅର ମାଡ଼ରେ ତାଙ୍କ ହାତ ଗୋଡ଼ ମଧ୍ୟ ଭାଙ୍ଗି ଯାଇଥିଲା I ସେବତୀ ପିନ୍ଧିଥିବା ଅଳଙ୍କାର ମଧ୍ୟ ଛଡ଼ାଇ ନେଇଥିଲେ ଝିଅ। ଦୁଇ ଦିନ ପୂର୍ବେ ସେବତୀଙ୍କ ଅବସ୍ଥା ଗୁରୁତର ହେବାରୁ ସ୍ମିତା ତାଙ୍କର ଚିକିତ୍ସା କରିବା ପରିବର୍ତ୍ତେ ବୁଢ଼ାଦାନୀରେ ନେଇ ଛାଡ଼ି ଦେଇଥିଲେ।

ସେବତୀଙ୍କ ପୁଅ ଗଣେଶ ପକ୍ଷାଘାତରେ ପୀଡ଼ିତ ଥିବାରୁ ବୋହୂ ନିର୍ମଳଲତା ଶୁକ୍ରବାର ଶାଶୂଙ୍କୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଶନିବାର ସେବତୀଙ୍କ ମୃତ୍ୟୁ ହୋଇଥିଲା । ବୋହୂ ନିର୍ମଳଲତାଙ୍କ ଏତଲା ଆଧାରରେ ଟାଉନ ପୁଲିସ ଏକ ମାମଲା ରୁଜୁ କରିବା ସହିତ ସ୍ମିତାରାଣୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମୃତ ସେବତୀଙ୍କ ଅଳଙ୍କାର ସହିତ ଘଟଣାରେ ବ୍ୟବହୃତ ଦୁଇଟି ଛୁରି ଜବତ କରାଯାଇଛି। ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ଟାଉନ ଥାନା ଅଧୁକାରୀ ପ୍ରଜ୍ଞା ରୀତାମ୍ବରା କର।