ଭୁବନେଶ୍ୱର, ୨୫/୧୦ : ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ରହିବାଠୁ ଖାଇବା ଯାଏଁ ସରକାର ହାତ ଖୋଲା କରି ଦେଇଛନ୍ତି। ତେଣୁ ସେଠାରେ କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ହବିଷ୍ୟାଳିଙ୍କ ଭିଡ଼ ହେଉଛି। ଏଣେ ଏକାମ୍ରରେ ହବିଷ୍ୟାଳିଙ୍କ ପ୍ରତି ସାମାନ୍ୟତମ ଦୃଷ୍ଟି ନାହିଁ । ଫଳରେ ଶନିବାର ସନ୍ଧ୍ୟା ସୁଦ୍ଧା କେହି ଜଣେ ବି ହବିଷ୍ୟାଳି ଆସିନାହାନ୍ତି କି ଧର୍ମଶାଳାରେ ଅଗ୍ରୀମ ବୁକିଂ କରାଯାଇନି। ତେଣୁ ଏଥର ଏକାମ୍ରରେ ହବିଷ୍ୟାଳିଙ୍କ ପାଦ ନ ପଡ଼ିବା ଭଳି ସ୍ଥିତି ଉପୁଜିଛି। ନିୟମିତ ଭାବେ ବିଗତ ୧୦ ବର୍ଷ ହେଲା ହବିଷ୍ୟାଳିଙ୍କ ସଂଖ୍ୟା କମିବାରେ ଲାଗିଛି। କାଁ ଭାଁ ଲୋକଙ୍କୁ ବାଦ୍ ଦେଲେ ସମସ୍ତେ ଶ୍ରୀକ୍ଷେତ୍ର ମୁହାଁ। କିନ୍ତୁ ଏକାମ୍ରର ଗୁରୁତ୍ବ ଓ ଗରିମାକୁ ବଢାଇବା ସହ ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଚାପ କମାଇବାକୁ ହେଲେ ଏହି ପବିତ୍ର ସ୍ଥଳୀକୁ ସରକାର ବିକଳ୍ପ ଭାବେ ବିଚାର କରି ଦେୟମୁକ୍ତ ହବିଷ୍ୟାଳି ସେବା ଉପଲବ୍ଧ କରିବାକୁ ସାଧାରଣରେ ଦାବି କରାଯାଉଛି।

ସୂଚନା ଅନୁଯାୟୀ, ଏବେ ଏକାମ୍ରକୁ ଆସୁଥିବା ପ୍ରତି ହବିଷ୍ୟାଳି ମିଳିତ ଭାବେ ଧର୍ମଶାଳାର ଗୋଟିଏ କୋଠରୀରେ ରହିଲେ ମାସକ ପାଇଁ ପ୍ରାୟ ୩ ହଜାର ଟଙ୍କା ଦେବାକୁ ପଡ଼ୁଛି । ଖାଇବା ବାବଦକୁ ଏଥର ଅବଢ଼ା ଦର ବଢ଼ିଥିବାରୁ ଏ ବାବଦରେ ଦୈନିକ ୧୫୦ ଟଙ୍କା ହିସାବରେ ଏକ ମାସରେ ୪ ହଜାର ୫୦୦ ଟଙ୍କା ଖର୍ଚ୍ଚ ହେବ। ଏତଦ୍ ବ୍ୟତୀତ ପୂଜା ସାମଗ୍ରୀ ଖର୍ଚ୍ଚ, ଦକ୍ଷିଣା ଓ ଯାତାୟାତ ପରି ଆହୁରି ଅନେକ ଖର୍ଚ୍ଚ ଅଛି । ଯାହା ବୃଦ୍ଧ ବୟସରେ ପିଲାଙ୍କୁ ମାଗିଲେ ମିଳୁନାହିଁ । ଏଣେ ପୁରୀ ଭିଡ଼ ଦେଖି ମନରେ ଭୟ ଥିବାରୁ ଏକାମ୍ରକୁ ଆସିବାକୁ ଆଗ୍ରହ ଥିଲେ ବି ଅର୍ଥ ବାଧକ ବୋଲି ଭୁବନେଶ୍ଵର ଆଖପାଖର କିଛି ବୃଦ୍ଧା କହିଛନ୍ତି। ତେଣୁ ନୂଆ ସରକାର ଆମ ପାଇଁ ବିଶେଷ କରି ଏକାମ୍ରରେ କାର୍ତ୍ତିକ ବ୍ରତ ପାଳନ କରିବାକୁ ଦେୟମୁକ୍ତ ସେବା ଦେଲେ ଆମେ ଉପକୃତ ହୋଇ ପାରନ୍ତୁ ବୋଲି ସେମାନେ ମତ ଦେଇଛନ୍ତି।

Also Read :- ସମୁଦ୍ର କୂଳରେ ରିପୋର୍ଟିଂ କରୁଥିଲେ ସାମ୍ବାଦିକ, ହଠାତ ମାଡ଼ି ଆସିଲା ବିରାଟ ଲହଡି ! ଭାଇରାଲ ହେଉଛି ଛାତିଥରା ଭିଡିଓ

ଏ ବାବଦରେ ଏକାମ୍ର ଜନ ଜାଗରଣ ମଞ୍ଚ ସଭାପତି ଭୀଷ୍ମ ନାରାୟଣ ନାୟକ କହିଛନ୍ତି, ତୀର୍ଥକ୍ଷେତ୍ର ଭ୍ରମଣ ଓ ତୀର୍ଥାନୁଷ୍ଠାନଗୁଡିକର ଉନ୍ନତୀକରଣ ପାଇଁ ସରକାରଙ୍କର ବହୁବିଧ ଯୋଜନା ରହିଛି। ସରକାରୀ ଭାବେ ପ୍ରତିବର୍ଷ ବରିଷ୍ଠ ନାଗରିକଙ୍କୁ ତୀର୍ଥ ଭ୍ରମଣ ମଧ୍ୟ ସରକାର କରାଉଛନ୍ତି। ଏଣେ ଶ୍ରୀକ୍ଷେତ୍ରରେ ହବିଷ୍ୟାଳି ସେବାରେ କୌଣସି ଅବହେଳା ନାହିଁ। ଏମିତିରେ ଏକାମ୍ରରେ ଦେୟମୁକ୍ତ ହବିଷ୍ୟାଳି ସେବା ପାଇଁ ବି ସରକାର ଆଉ ଟିକେ ହାତ ଖୋଲି ଦେଲେ ଖୁବ ଭଲ ହୁଅନ୍ତା ବୋଲି ସେ କହିଛନ୍ତି ।