ବ୍ରହ୍ମପୁର ୨୧।୦୫ : ବ୍ରହ୍ମପୁର ଲାଞ୍ଜିପଲ୍ଲୀ ରେଡିକା ସାହିରେ ପ୍ଲଟ୍ ବ୍ୟବସାୟୀ ଜି. ହନୁମନ୍ତ ରେଡ୍ଡିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ରହସ୍ୟରୁ ପରଦା ହଟିଛି ଶବ ବ୍ୟବଚ୍ଛେଦ ରିପୋର୍ଟ ସତ ଧରାପକାଇଦେଲା । ହୃଦ୍ଘାତ ନୁହେଁ, ତାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିଲା । ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଥିବା କହି ଖସି ଯିବାକୁ ଚାହୁଁଥିଲେ ଦୋଷୀ । ହନୁମନ୍ତଙ୍କୁ ତାଙ୍କ ନାବାଳିକା ଝିଅ, ସ୍ତ୍ରୀ ଜି. ରୀତା ଓ ସ୍ତ୍ରୀର ପ୍ରେମିକ ବି. ନିରଞ୍ଜନ ରେଡ୍ଡି ହତ୍ୟା କରିଥିବା ଆଇଆଇସି ସୁବ୍ରତ ବେହୁରା ସୂଚନା ଦେଇଛନ୍ତି । ଉଭୟଙ୍କୁ ଗିରଫ କରାଯାଇଛି ଏବଂ ସନ୍ଧ୍ୟାରେ କୋର୍ଟଚାଲାଣ ହୋଇଥିବା ସେ କହିଛନ୍ତି । ନାବାଳିକାଙ୍କୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରିବା ପରେ ସୁଧାର ଗୃହକୁ ପଠାଇ ଦିଆଯାଇଛି।

ଆଇଆଇସିଙ୍କ ସୂଚନା ପ୍ରକାରେ ପ୍ଲଟ୍ ବ୍ୟବସାୟୀ ହନୁମନ୍ତଙ୍କୁ ଗତ ୧୮ ତାରିଖ ରାତି ୩ଟାର ହତ୍ୟା କରାଯାଇଛି । ରାତିରେ ସମସ୍ତେ ଖାଇବା ପରେ ଶୋଇପଡିଥିଲେ । ବିଳମ୍ବିତ ରାତିରେ ହନୁମନ୍ତ ଅନ୍ୟ କୋଠରୀରେ ସ୍ତ୍ରୀ ସହ ତାର ପ୍ରେମିକକୁ ଦେଖିଥିଲେ । ଯାହାକୁ ନେଇ ରାତି ପ୍ରାୟ ୩ଟାରେ ଗଣ୍ଡଗୋଳ ହୋଇଥିଲା । ରୀତା ଓ ନିରଞ୍ଜନ ହନୁମନ୍ତଙ୍କ ଉପରେ ଆକ୍ରମଣ କରିଥିଲେ । ସେ ତଳେ ପଡିଯବା ପରେ ଉଭୟେ ତାଙ୍କୁ ଧରିଥିଲେ ଏବଂ ନାବାଳିକା ଝିଅ ସେତେବେଳେ ଆସି ତଣ୍ଟି ଚିପି ଦେଇଥିଲା । ରୀତା-ନିରଞ୍ଜନ ମଧ୍ୟରେ ଅନୈତିକ ସଂପର୍କ ଥିବା ପୂର୍ବରୁ ଝିଅ ଅବଗତ ଥିଲା । ହନୁମନ୍ତଙ୍କୁ ମାରିବା ପରେ ତାଙ୍କୁ ଖଟରେ ଶୁଆଇ ଦେଇଥିଲେ ଏବଂ କିଛି ପଡ଼ୋଶୀଙ୍କୁ ତାଙ୍କର ହୃଦ୍ଘାତ ହୋଇଥିବା କହିଥିଲେ । ହନୁମନ୍ତ ଗୁରୁତର ଥିବା କହିବା ପରେ ତାଙ୍କ ଭଣଜା ଏଚ୍ ସତ୍ୟନାରାୟଣ ରେଡ୍ଡି ଘରକୁ ଆସିଥିଲେ । ନାରାୟଣ ମାମୁଙ୍କୁ ଅଚେତ୍ ଅବସ୍ଥାରେ ଦେଖିବା ପରେ ଡାକ୍ତରଖାନା ନେବାକୁ କହିଥିଲେ । କିନ୍ତୁ ରୀତା ଓ ଝିଅ ମନା କରିଥିଲେ । ସେମାନଙ୍କ ବ୍ୟବହାରରେ ସନ୍ଦେହ କରି ସତ୍ୟନାରାୟଣ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଥିଲେ । ପୁଲିସ ଅଚେତ ଅବସ୍ଥାରେ ହନୁମନ୍ତଙ୍କୁ ନେଇ ବଡ଼ ଡାକ୍ତରଖାନା ଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Also Read:-Love In Jail : ଜେଲ୍‌ରେ ବି ରୋମାନ୍ସ ! ହତ୍ୟା ଅଭିଯୁକ୍ତଙ୍କୁ ପ୍ରେମ, ବାହାରିବା ପରେ ଗର୍ଭପାତ !

ଏମ୍କେସିଜିରେ ହନୁମନ୍ତଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା । ସେତେବେଳେ ତାଙ୍କ ମୃତ୍ୟୁ ସ୍ୱାଭାବିକ ନଥିଲା ବୋଲି ଜଣାପଡିଥିଲା । ଗତକାଲି ଶବ ସଂସ୍କାର କରିବା ପରେ ବୁଧବାର ସକାଳୁ ପୁଲିସ ଅଭିଯୁକ୍ତଙ୍କୁ ଘରୁ ଉଠାଇ ନେଇଥିଲା ଏବଂ ସେମାନଙ୍କୁ ଜେରା କରିବା ପରେ ସତ ବାହାରିଥିଲା । ନାବାଳିକା ଝିଅ ସବୁ ସତ ମାନି ଯାଇଥିଲା । ପୁଲିସ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ପରେ ସେମାନଙ୍କୁ ବ୍ରହ୍ମପୁର ଜେଲ୍କୁ ପଠାଇ ଦିଆଯାଇଛି । ନାବାଳିକାଙ୍କୁ ସୁଧାର ଗୃହକୁ ପଠାଯାଇଛି । ହନୁମନ୍ତଙ୍କ ଗୋଟିଏ ପୁଅ ଅଛି। ସେ ଏବେ କାହା ପାଖରେ ରହିବ ତାକୁ ନେଇ ଟଣାଓଟରା ଚାଲିଛି ।