କଟକ: ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ସଵୁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରିଛି। ଯଦିଓ କଟକ ଜିଲ୍ଲାକୁ ୟେଲୋ ଓ ଅରେଞ୍ଜ ସତର୍କ ସୂଚନା ରହିଛି, ତଥାପି ଜିଲ୍ଲା ପ୍ରଶାସନ ଓଡ୍ରାଫ ଟିମ୍ ପ୍ରସ୍ତୁତ ରଖିଵା ସହ ସହରରୁ ଜଳ ନିଷ୍କାସନ ଵ୍ୟଵସ୍ଥା ପାଇଁ ମୋଟର ପମ୍ପ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ସେହିପରି ଅତ୍ୟାବଶ୍ୟକୀୟ ଜିନିଷପତ୍ରର କଳାବଜାରୀ ତଦାରଖ ପାଇଁ ସ୍ବତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିଵା ସହ ଆସନ୍ନ ପ୍ରସବା ମାନଙ୍କୁ କାଲି ସୁଦ୍ଧା ମେଡିକାଲ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଅନ୍ୟପଟେ ଦୁର୍ଗାପୂଜା ପାଇଁ ହୋଇଥିଵା ବଡ଼ ବଡ଼ ତୋରଣ ହଟାଇଵା ପାଇଁ ପ୍ରଶାସନ ପୂଜା କମିଟି ଗୁଡିକୁ ୪୮ଘଣ୍ଟା ସମୟ ଦେଇଛି। ମାତ୍ର ବଡ ତୋରଣ କରିଥିଵା ମଣ୍ଡପ କର୍ମକର୍ତ୍ତା ଏହା ସମ୍ଭଵ ନୁହେଁ ବୋଲି କହିଛନ୍ତି।

ପ୍ରଶାସନର ସୂଚନା ଅନୁସାରେ ଆସନ୍ତା୨୬ତାରିଖ ପାଇଁ କଟକ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ରହିଛି। ତେବେ ୨୭ ଓ ୨୮ ତାରିଖ ପାଇଁ ଜିଲ୍ଲା ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ରହିଛି। ତେଣୁ ମଧ୍ୟମ ଧରଣର ବର୍ଷା ସହ କଟକ ସହର ଓ ଜିଲ୍ଲାରେ ପବନର ଵେଗ ୪୦ରୁ ୫୦କିଲୋମିଟର ରହିଵାର ଆକଳନ କରାଯାଉଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ।ପ୍ରଶାସନର ସୂଚନା ଅନୁସାରେ ଅତ୍ୟଧିକ ବର୍ଷା କାରଣରୁ ଯଦି ଵନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୁଏ, ତେବେ ଜିଲ୍ଲାର ୪୯୭ ଗାଁ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେବେ ଵର୍ଷା ଓ ପଵନ ପାଇଁ ଆବଶ୍ୟକ ସ୍ଥଳେ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ।

Also Read: ଦକ୍ଷିଣ ଓଡ଼ିଶାରେ ବାତ୍ୟାର ପ୍ରଭାବ ଅଧିକ ରହିବା ଆଶଙ୍କା, ୬ ଜିଲ୍ଲା ଉପରେ ନଜର

ସେହିପରି ଅତ୍ୟଧିକ ବର୍ଷା କାରଣରୁ ସହରରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଲେ ଜଳ ନିଷ୍କାସନ ପାଇଁ ୩ଶହରୁ ଅଧିକ ମୋଟର ପମ୍ପ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ।କଟକ ଜିଲ୍ଲାରେ ୩ଟି ଓଡ୍ରାଫ ଟିମ୍ ନିୟୋଜିତ କରିଵା ସହ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ୨୫ଟି ବୋଟ୍ ପ୍ରସ୍ତୁତ ରଖିଛି । ଏହା ସହ ତୃଣମୂଳ ସ୍ତରରୁ କ୍ଷୟକ୍ଷତିର ତ୍ୱରିତ ସୂଚନା ପାଇଵା ପାଇଁ ଜିଲ୍ଲାରେ ୩ଶହ ଆପଦ ମିତ୍ରଙ୍କୁ ସଜାଗ ରଖାଯାଇଥିଵା ପ୍ରଶାସନ ସୂଚନା ଦେଇଛି। ଜିଲ୍ଲାର ସମସ୍ତ ଆସନ୍ନ ପ୍ରସଵାଙ୍କୁ କାଲି ସୁଦ୍ଧା ମେଡିକାଲ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଗୃହପାଳିତ ପ୍ରାଣୀ ମାନଙ୍କୁ କାଲି ସୁଦ୍ଧା ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଛି ପ୍ରଶାସନ। ଅତ୍ୟାବଶ୍ୟକୀୟ ସାମଗ୍ରୀର କଳାବଜାରୀ ଉପରେ ନଜର ରଖିବା ପାଇଁ ଯୋଗାଣ ଵିଭିଗକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

ସେପଟେ ବର୍ଷା, ପବନକୁ ଦୃଷ୍ଟିରେ ରଖି ଗଜଲକ୍ଷ୍ମୀ ପୂଜା ପାଇଁ ତୋରଣ ନକରିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି। ଏହା ସହ ଦୁର୍ଗାପୂଜା ପାଇଁ ହୋଇଥିଵା ତୋରଣ ଓ ଅସ୍ଥାୟୀ ନିର୍ମାଣକୁ ୪୮ଘଣ୍ଟା ଭିତରେ ହଟାଇଵା ପାଇଁ ଗତକାଲି ପ୍ରଶାସନ ପୂଜା କମିଟି ଗୁଡିକୁ ନିର୍ଦ୍ଦେଶ ଦେଇଛି। ତେବେ ଜିଲ୍ଲା ପ୍ରଶାସନ ନିର୍ଦେଶ ଦେବାର ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଆଶାନୁରୂପେ କାର୍ଯ୍ୟ ହୋଇପାରିନାହିଁ। ବହୁ ସ୍ଥାନରେ ରାସ୍ତା ଉପରେ ଲାଇଟ ଗେଟ ରହିଛି। କିଛି ସ୍ଥାନରେ ତୋରଣ ଖୋଲା କାର୍ଯ୍ୟ ଚାଲିଛି।

Also Read: ବାତ୍ୟା ପୂର୍ବରୁ ସତର୍କ କେନ୍ଦ୍ରାପଡ଼ା ପ୍ରଶାସନ, ୧୩୦ ବାତ୍ୟା ଆଶ୍ରୟସ୍ଥଳୀକୁ କାର୍ଯ୍ୟକ୍ଷମ ରଖିବାକୁ ନିର୍ଦ୍ଦେଶ

ବିଶେଷ କରି ଖାନନଗର ପୂଜା କମିଟି ପକ୍ଷରୁ ନିର୍ମାଣ କରାଯାଇଥିଵା ତୋରଣକୁ ୪୮ ଘଣ୍ଟା ମଧ୍ୟରେ ଖୋଲିବା କହିହେଉନାହିଁ। କିନ୍ତୁ ଖୋଲିବା ପାଇଁ ଚେଷ୍ଟା କରୁଛୁ ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି। ସେପଟେ ମାଲଗୋଦାମରେ ନିର୍ମାଣ ତୋରଣ ସହ ଅନ୍ୟାନ୍ୟ ଗେଟ ୪୮ ଘଣ୍ଟା ମଧ୍ୟରେ ଖୋଲିଦିଆଯିବ ବୋଲି କର୍ମକର୍ତ୍ତା କହିଛନ୍ତି। ଆସନ୍ତା ୨୬ତାରିଖରୁ କଟକ ସହର ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ସହ ପଵନ ଆରମ୍ଭ ହେଵାର ଆକଳନ ରହିଛି।