ଭୁବନେଶ୍ବର ୨୪।୧୦: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବ୍ୟାପକ ପ୍ରସ୍ତୁତି । ସମସ୍ତ ଏନଏସି, ମ୍ୟୁନିସିପାଲିଟି ଏବଂ ମହାନଗର ନିଗମକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ତୁରନ୍ତ ଦୁର୍ଗାପୂଜା ମଣ୍ଡପଗୁଡିକର ତୋରଣ ଖୋଲିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି । ସମ୍ଭାବ୍ୟ ବାତ୍ୟାରେ ପବନର ବେଗ ଏବଂ ପ୍ରବଳ ବର୍ଷାକୁ ନଜରରେ ରଖି କୌଣସି କ୍ଷୟକ୍ଷତି ଯେଭଳି ନହୁଏ ସେଥିପାଇଁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେହିଭଳି ଲକ୍ଷ୍ମୀପୂଜା ମଣ୍ଡପରେ ତୋରଣ ପାଇଁ ମଧ୍ୟ ସମାନ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି ।

ସେପଟେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ସରକାରଙ୍କ ପ୍ରଥମ ଲକ୍ଷ୍ୟ ହେଲା ଜିରୋ କାଜୁଆଲିଟି । ଦ୍ବିତୀୟ ଲକ୍ଷ୍ୟ ହେଲେ ପୁନରୁଦ୍ଧାର ଓ ମରାମତି । ଏଥି ପାଇଁ NDRF, ODRAF, ଏବଂ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଛି ।

Also Read:- ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ପୋଲିସର ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟ, ଆଣ୍ଟି ଟେରର୍ ଟିମ୍ ମୁତୟନ ପାଇଁ ପ୍ରସ୍ତୁତି

ଆସନ୍ତା ୨୮ ଓ ୨୯ ତାରିଖରେ ବିଶେଷ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସ୍କୁଲ ଛୁଟି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳମାନେ ଏନେଇ ନିଷ୍ପତ୍ତି ନେଇ ପାରିବେ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଅଧିକ ରହିବ । କୋରାପୁଟ, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଭଳି ଜିଲ୍ଲାରେ ଏହାର ପ୍ରଭାବ ଅଧିକ ରହିବ । ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଅଧିକ ବର୍ଷା ହେବ ।