ଭୁବନେଶ୍ୱର: ଗତ ବର୍ଷ ପାର୍ବଣ ପରଠୁ ଅଟୋମୋବାଇଲ କ୍ଷେତ୍ରରେ ଅଭିବୃଦ୍ଧି ୨ ଅଙ୍କ ବିଶିଷ୍ଟ ଥିଲା । ଜିଏସ୍ଟି ହ୍ରାସ ଅଟୋମୋବାଇଲ ବିକ୍ରି ଅଭିବୃଦ୍ଧିରେ ବେଶ ସହାୟକ ହୋଇଥିଲା । ବାହାନ ପଞ୍ଜୀକରଣ ଡାଟାକୁ ଦେଖିଲେ ସର୍ବଭାରତୀୟ ସ୍ତରରେ ବିକ୍ରି ଅଭିବୃଦ୍ଧି ୬% ରହିଛି । ଜିଏସ୍ଟି ହ୍ରାସ ଭଳି ବିଶେଷ ପଦକ୍ଷେପ ଏଥର ନ ଥିଲେ ମଧ୍ୟ ବିକ୍ରି ଆଖିଦୃଶିଆ ରହିଛି । ଏହି ଧାରା ଜାରି ରହିଲେ ମୋଟାମୋଟି ଭାବେ ବିକ୍ରି ଉପର ମୁହାଁ ରହିବ । ଏ କ୍ଷେତ୍ରରେ ଟୁହ୍ୱିଲର୍ସ ଏକ ପ୍ରମୁଖ ସ୍ଥାନରେ ରହିବ । ସେହିଭଳି ଟ୍ରାକ୍ଟର ଏବଂ ବାଣିଜ୍ୟିକ ଯାନ ମଧ୍ୟ ବିକ୍ରି ବେଶ ଉନ୍ନତ ସ୍ଥିତି ହାସଲ କରିବ । ପାର୍ବଣରେ ହିରୋ ମୋଟୋକର୍ପର ବିକ୍ରି ଉତ୍ସାହଜନକ ବୋଲି ଏହାର ଚିଫ୍ ବିଜ୍ନେସ ଅଫିସର (ସିବିଓ) ଆଶୁତୋଷ ବର୍ମା କହିଛନ୍ତି ।

ସୁମା ରିୟଲ ମିଡିଆ ପ୍ରାଇଭେଟ ଲିମିଟେଡର ଗ୍ରୁପ ଡାଇରେକ୍ଟର (ସେଲ୍ସ ଆଣ୍ଡ୍ ମାର୍କେଟିଂ) ହିମାଂଶୁ ହୋତାଙ୍କ ସହ ବିଶେଷ ଆଲୋଚନା ବେଳେ ଶ୍ରୀ ବର୍ମା କହିଛନ୍ତି, ହିରୋ ମୋଟୋକର୍ପର ବିକ୍ରି ଅଭିବୃଦ୍ଧି ୬ ପ୍ରତିଶତରୁ ସାମାନ୍ୟ ଅଧିକ । ବଜାର ଅଂଶ ୪୦ ବେସିସ୍ ପଏଣ୍ଟ ବୃଦ୍ଧି ହୋଇଛି । ବର୍ତ୍ତମାନ ପାର୍ବଣ ବିକ୍ରିର ୩୦% ଡାଟା ଆସିଛି । ଦେଶର ବଜାର କେତେକ ଭାଗରେ ନବରାତ୍ରି ଏବଂ ଅନ୍ୟ କିଛି ଭାଗରେ ଦୀପାବଳି-ଧନତେରସ ଭିତ୍ତିକ ହୋଇଥାଏ । କମ୍ପାନି ଲାଗି ଓଡ଼ିଶା ଏକ ଅଗ୍ରାଧିକାର ରାଜ୍ୟ । ସାଂସ୍କୃତିକ, ଅର୍ଥନୈତିକ ଭଳି ଦିଗକୁ ଦେଖିଲେ ଓଡ଼ିଶା ୫ଟି ରାଜ୍ୟର ଶିକ୍ଷଣ ଦେଇଥାଏ । ଏଠାରେ ଉପକୂଳ ଜିଲ୍ଲାଗୁଡିକରେ ନବରାତ୍ରି ଏବଂ ଦକ୍ଷିଣ ଏବଂ ପଶ୍ଚିମ ଭାଗରେ ବିକ୍ରି ଅନ୍ୟ ପର୍ବପର୍ବାଣୀ ଉପରେ ନିର୍ଭରଶୀଳ । ଦେଶ ଏବଂ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପାର୍ବଣ ବିକ୍ରି ଆହୁରି ବାକି ରହିଛି । ପାର୍ବଣ ସିଜନ କାରବାରକୁ ନେଇ ଦୃଢ଼ ଆଶାବାଦୀ ରହିଛୁ ।

ଜିଏସ୍ଟି ପରେ ବଜାର ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ଠିକ୍ ଏହା ପରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ଅଟୋମୋବାଇଲ ଶିଳ୍ପ ଉପରେ ପଡ଼ିଲା । ଯୁଦ୍ଧ ପ୍ରଭାବ ନ ଥିଲେ ଅଟୋଶିଳ୍ପର ଅଭିବୃଦ୍ଧି ଆହୁରି ଉନ୍ନତ ହୋଇଥାନ୍ତା । ତେଲ ଦର ଉଚ୍ଚ ରହିବା କ୍ଷେତ୍ରରେ ଗ୍ରାହକ ଅଧିକ ମାଇଲେଜ୍ ଦେଉଥିବା ଗାଡ଼ି କିଣିବାକୁ ସର୍ବୋଚ୍ଚ ଗୁରୁତ୍ୱ ଦିଅନ୍ତି । ସର୍ବୋତ୍ତମ ମାଇଲେଜ ପ୍ରଦାନ କ୍ଷେତ୍ରରେ ହିରୋ ମୋଟୋକର୍ପ ସବୁଠୁ ଆଗରେ ରହିବ । ସ୍ପେ୍ଲଣ୍ଡର ଯୁବବର୍ଗଙ୍କ ପ୍ରଥମ ପସନ୍ଦ । ଏହି ଯାନ କିଣୁଥିବା ଗ୍ରାହକଙ୍କ ହାରାହାରି ବୟସ ୨୮ ବର୍ଷ। ଏଚ୍ଏଫ୍ ଡିଲକ୍ସ, ପ୍ୟାସନ, ଗ୍ଲାମର ଭଳି ବିଭିନ୍ନ ମଡେଲ ଏ କ୍ଷେତ୍ରରେ ଲୋକପ୍ରିୟ ।

ଶ୍ରୀ ବର୍ମା ପୁଣି କହିଛନ୍ତି, ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ଆମେ ଇଭି ନିବେଶ ଉପରେ ମଧ୍ୟ ଧ୍ୟାନ କେନ୍ଦ୍ରିତ କରିଛୁ । ଓଡ଼ିଶାରେ ଇ-ଯାନ ବିକ୍ରି କ୍ଷେତ୍ରରେ ହିରୋର ଭିଡ଼ା ସ୍କୁଟର ୧ ନମ୍ବର ସ୍ଥାନ ହାସଲ କରିଛି । ତେଲ ସମସ୍ୟାରୁ ଲୋକଙ୍କୁ ଆଶ୍ୱସ୍ତି ଦେବା ସହ ସେମାନଙ୍କ ଚାହିଦାକୁ ଧ୍ୟାନରେ ରଖି ଆମ ପ୍ରଡକ୍ଟ ଡିଜାଇନ ହୋଇଛି । ବଜାରରେ ଇଭି ଚାହିଦା ଉପରମୁହାଁ । ଏବେ ଦେଶରେ ମାସିକ ୧.୫ ରୁ ୧.୭ ଲକ୍ଷ ୟୁନିଟ ଇଭି ବିକ୍ରି ହେଉଛି । ପେଟ୍ରୋଲ-ଡିଜେଲ ଚାଳିତ ଯାନର ଅଂଶ ୧୭ ଲକ୍ଷ ୟୁନିଟ । ଓଡ଼ିଶାରେ ମୋଟର ସାଇକେଲ ବିକ୍ରିରେ ୧ ନମ୍ବର ଏବଂ ସ୍କୁଟର କ୍ଷେତ୍ରରେ ୩ ନମ୍ବର ସ୍ଥାନରେ ଅଛୁ । ଦେଶର ମୋବିଲିଟି କ୍ଷେତ୍ରକୁ ଦେଖିଲେ ୨ ଚକିଆ ଯାନର ଅଭିବୃଦ୍ଧି ପାଇଁ ବ୍ୟାପକ ସୁଯୋଗ ରହିଛି । ୨ ଚକିଆ ବିକ୍ରି ଦେଶର ଅଭିବୃଦ୍ଧି ସହ ସିଧାସଳଖ ସମ୍ପର୍କ ଥାଏ । ବିକଶିତ ଦେଶଗୁଡ଼ିକ ତୁଳନାରେ ଘରୋଇ ବଜାରରେ ପେନିଟ୍ରେଶନ ଏବେ ବି କମ୍ ରହିଛି । ଯାନର ବିଭିନ୍ନ ଦିଗକୁ ଦେଖିଲେ ଆମେ ଗ୍ରାମାଞ୍ଚଳ ବଜାରରେ ଅଗ୍ରଣୀ ସ୍ଥାନ ହାସଲ କରିଛୁ । ସହରାଞ୍ଚଳରେ ସ୍କୁଟର ସଂସ୍କୃତି ବଢ଼ିବା ସହ ଏହା ବାଇକର ବିକଳ୍ପ ହୋଇଛି

ନୂଆ ପଦକ୍ଷେପ ସମ୍ପର୍କରେ ଶ୍ରୀ ବର୍ମା କହିଲେ, ନୂଆ ପ୍ରଡକ୍ଟ ପୋର୍ଟଫୋଲିଓ ସହ ସ୍କୁଟର ବର୍ଗରେ ଭଲ ବିକ୍ରି ଆଶା ରହିଛି । ନୂଆ କନସେପ୍ଟରେ ‘ପ୍ରିମିୟା’ ଷ୍ଟୋର ସ୍ଥାପନ ହେଉଛି । ଏଠାରେ ୧୬୦ ସିସିରୁ ଉର୍ଦ୍ଧ୍ୱ ପ୍ରିମିୟମ ବାଇକଗୁଡ଼ିକ ବିକ୍ରି ହେଉଛି । ଭୁବନେଶ୍ୱର, କଟକ, ଅନୁଗୁଳ, ଜୟପୁରରେ ଏହି ବର୍ଗର ସୋରୁମ ରହିଛି । ନୂଆ ଉତ୍ପାଦ ସହ ଏହି ବର୍ଗକୁ ଆହୁରି ଦୃଢ଼ କରାଯିବ । ମୋଟର ସାଇକେଲ ବର୍ଗରେ ଆମେ ୪୫ରୁ ୪୬% ବଜାର ଅଂଶ ହାସଲ କରିଛୁ । ସ୍କୁଟର ବର୍ଗରେ ଏହା ୮% । ସ୍କୁଟର ବର୍ଗରେ ବଜାର ଅଂଶ ଦ୍ରୁତ ଭାବେ ବଢ଼ିବା ଆଶା । ୯ ହଜାରରୁ ଊର୍ଦ୍ଧ୍ୱ ସେଲ୍ସ, ସର୍ଭିସ, ଟଚ୍ପଏଣ୍ଟ ସହ ଆମ ନେଟୱର୍କ ଦେଶର ସର୍ବବୃହତ ।

କମ୍ପାନିର ମୋଟ ବିକ୍ରିରେ ସ୍ପେ୍ଲଣ୍ଡରର ଅଂଶ ୫୦ରୁ ୫୫% ରହିଛି । ଗ୍ଲାମର ଏବଂ ଏକ୍ସଟ୍ରିମ ବିକ୍ରି ମଧ୍ୟ ଭଲ ରହିଛି । କମ୍ପାନି ଇଭି କ୍ଷେତ୍ରରେ ଷ୍ଟ୍ରାଟେଜିକ ନିବେଶ କରୁଛି । ପାର୍ବଣ ଉପଲକ୍ଷେ ନବରାତ୍ରିରେ ଗ୍ରାହକଙ୍କ ଲାଗି ଗୋଲ୍ଡ କଏନ ଅଫର ରହିଥିଲା । ଦୀପାବଳି ପାଇଁ ଶୀଘ୍ର ନୂଆ ଅଫର ଆସିବ । ପ୍ରତି ରାଜ୍ୟ ପାଇଁ ଆମର ଅଫର କଷ୍ଟମାଇଜ ହୋଇଥାଏ । ଗ୍ରାହକଙ୍କ ଲାଗି ପାର୍ବଣରେ ଏକ୍ସଚେଞ୍ଜ, କ୍ୟାଶବ୍ୟାକ ଏବଂ କ୍ରେଡିଟ କାର୍ଡ ଉପରେ ଅଫର ରହିଥିଲା । ୧୫ ନୂଆ ମଡେଲ ବଜାରକୁ ଆଣିଛୁ । ଗ୍ରାହକଙ୍କ ଭଲ ପାଇବା ଆମ ସହ ରହିଛି । ଏହି ଆଧାରରେ ଅଫର ଗୁଡ଼ିକ ଡିଜାଇନ କରାଯାଇଥାଏ । ଯାହା ଦ୍ୱାରା ଗ୍ରାହକ ବିଶେଷ ଭାବେ ଲାଭବାନ ହୋଇପାରିବେ । ଅଫର ଦୃଷ୍ଟିରୁ ଓଡ଼ିଶାରେ ଆମେ ଗ୍ରାହକଙ୍କ ଠାରୁ ବେଶ ଭଲ ରେସପନ୍ସ ପାଇଛୁ ।

ଶ୍ରୀ ବର୍ମା ପୁଣି କହିଲେ, ସାମଗ୍ରିକ ଭାବେ ଅଭିବୃଦ୍ଧି କରିବା ଉପରେ ଆମ ଫୋକସ । କାରଣ ବାଇକ ବର୍ଗରେ ଆମେ ସିଂହଭାଗ ଅଂଶ ହାସଲ କରିଛୁ । ମାତ୍ର ପ୍ରିମିୟମ ବାଇକ ହେଉକି ସ୍କୁଟର ହେଉ ସ୍ଥିତିକୁ ଆହୁରି ଉନ୍ନତ କରିବା ଲକ୍ଷ୍ୟ । ଏ ଦିଗରେ ପୋର୍ଟଫୋଲିଓରେ ନୂଆ ଉତ୍ପାଦ ଯୋଡ଼ୁଛୁ । ଯୁବବର୍ଗଙ୍କୁ ଧ୍ୟାନରେ ରଖି ଉତ୍ପାଦ ଡିଜାଇନ ହୋଇଛି । ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବଜାରରେ ବାଇକ୍ ଏବଂ ସ୍କୁଟରକୁ ଦେଖି ସେହି ଅନୁସାରେ ପ୍ରସ୍ତୁତି ହୋଇଛି । ପ୍ରିମିୟା ସେଗ୍ମେଣ୍ଟ ସୋରୁମର ସମ୍ପ୍ରସାରଣ ଜାରି ରହିଛି । ଏହି କ୍ଷେତ୍ରରେ ଆହୁରି ଭଲ କରିବୁ ବୋଲି ଆଶା ।

ସେହିଭଳି ନୂଆ ଗାଡିକୁ ଅପ୍ଗ୍ରେଡ୍ କରିବା ଦିଗରେ ଗ୍ରାହକଙ୍କ ଲାଗି ଆକର୍ଷଣୀୟ ସୁଯୋଗ ରହିଛି । ଅଫରର ଲାଭ ନେଇ ଗ୍ରାହକ ନୂଆ ଗାଡି କିଣିପାରିବେ । ପାର୍ବଣରେ ରହିଥିବା ଅଫର ସର୍ବୋତ୍ତମ ହୋଇଥାଏ । ଏହାକୁ ଦେଖିଲେ ପାର୍ବଣ ସମୟରେ ଗ୍ରାହକ ଗାଡ଼ି କିଣାକୁ ପ୍ରାଥମିକତା ଦେବା ବୁଦ୍ଧିମତା ହେବ ।