କଲୋମ୍ବୋ: ଆଜିଠୁ ଆରମ୍ଭ ହୋଇଛି ଟି-୨୦ ବିଶ୍ଵକପ୍ ୨୦୨୬। ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ପାକିସ୍ତାନ ଓ ନେଦରଲାଣ୍ଡ। ବିଶ୍ଵକପର ପ୍ରଥମ ମ୍ୟାଚରେ ହିଁ ବଡ଼ ବିପର୍ଯ୍ୟୟ ସୃଷ୍ଟି ହେବାକୁ ଯାଉଥିଲା। ଆଉ ଅଳ୍ପକେରୁ ପରାଜୟରୁ ବର୍ତ୍ତି ଯାଇଛି ପାକିସ୍ତାନ। ଦଳ ନେଦରଲାଣ୍ଡକୁ ବହୁ କଷ୍ଟରେ ହରାଇ ଏକ ଲଜ୍ଜାଜନକ ପରାଜୟ ମୁହଁରୁ ବଞ୍ଚି ଯାଇଛି। ଆଉ ଦଳ ପାଇଁ ସଙ୍କଟମୋଚକ ସାଜିଛନ୍ତି ଫହିମ ଅଶ୍ରଫ। ସେ ୧୧ ବଲରୁ ୨୯ ରନ କରି ଦଳକୁ ଜିତାଇଛନ୍ତି।

ଖେଳର ପରିଦୃଶ୍ୟ ଥିଲା ଏମିତି। ପ୍ରଥମେ ବ୍ୟାଟିଂ କରି ନେଦରଲାଣ୍ଡ ୧୪୭ ରନ କରିଥିଲା। ଜବାବରେ ପାକିସ୍ତାନ ଏକଦା ୧୧.୧ ଓଭରରେ ୨ ଓ୍ଵିକେଟ୍ ହରାଇ ୯୮ ରନ କରିଥିଲା। ୫୩ ବଲରେ ଦଳକୁ ଦରକାର ଥିଲା ୫୦ ରନ। କିନ୍ତୁ ଦଳ ମଧ୍ୟକ୍ରମରେ ଏମିତି ବ୍ୟାଟିଂ ବିପର୍ଯ୍ୟୟ ଭୋଗିଲା ୧୬.୧ ଓଭରରେ ଦଳର ସ୍କୋର ୭ ଓ୍ଵିକେଟରେ ୧୧୪ ରନକୁ ଆସିଥିଲା। ଆଉ ନେଦରଲାଣ୍ଡ ଦଳ ଦମଦର ପ୍ରତ୍ୟାବର୍ତ୍ତନ କରିଥିଲା। ସ୍ଥିତି ଏମିତି ଦୟନୀଲା ହେଲା ଶେଷ ଦୁଇ ଓଭରରେ ପାକିସ୍ତାନକୁ ଦରକାର ଥିଲା ୨୯ ରନ ଥିଲା। କ୍ରିଜରେ ଥିଲେ ଫହୀମ ଅଶ୍ରଫ ଓ ଶାହିନ ଶାହ ଆଫ୍ରିଦି। ଏହି ସମୟରେ ନେଦରଲାଣ୍ଡର ବିଜୟ ସମ୍ଭାବନା ଅଧିକ ଥିଲା।

ହେଲେ ୧୯ତମ ଓଭରର ଦ୍ଵିତୀୟ ବଲରେ ଫହୀମଙ୍କ କ୍ୟାଚ୍ ହାତଛଡ଼ା କରିଥିଲେ ନେଦରଲାଣ୍ଡର ଫିଲଡର। ଆଉ ଏହାର ଭରପୂର ଫାଇଦା ଉଠାଇଥିଲେ ବାମହାତୀ ବ୍ୟାଟର ଫହୀମ। ସେ ୩ ଛକା ଓ ଗୋଟିଏ ଚୌକା ସହ ୨୪ ରନ ସଂଗ୍ରହ କରି ପାକିସ୍ତାନ ଦଳକୁ ସଞ୍ଜିବନୀ ଦେଇଥିଲେ। ଶେଷରେ ପାକିସ୍ତାନ ୧୯.୪ ଓଭରରେ ୭ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି। ଅଶ୍ରଫ ୧୧ ବଲରୁ ୨ ଚୌକା ଓ ୩ ଛକା ସହ ୨୯ ରନ କରି ଦଳକୁ ଜିତାଇଛନ୍ତି। ଆଉ ମ୍ୟାଚକୁ ୩ ଓ୍ଵିକେଟରେ ଜିତି ପାରିଛି ପାକିସ୍ତାନ।

ପାକିସ୍ତାନ ଇନିଂସରେ ଓପନର ସାହିବଜାଦା ଫରହାନ ୩୧ ବଲରୁ ୪୭ ରନର ଇନିଂସ ଖେଳିଥିଲେ। ସାଇମ ଆୟୁବ ୨୪ ରନ କରିଥିବା ବେଳେ ଅଧିନାୟକ ସଲମାନ ଆଘା ୧୨ ରନ କରିଥିଲେ। ବାବର ଆଜମ ୧୮ ବଲରୁ ୧୫ ରନର ଧିମା ଇନିଂସ ଖେଳି ସମାଲୋଚନାର ଶିକାର ହୋଇଛନ୍ତି। ଉସ୍ମାନ ଖାନ ଖାତା ଖୋଲି ପାରି ନ ଥିବା ବେଳେ ମହମ୍ମଦ ନଓ୍ଵାଜ(୬) ସବୁ ନିରାଶ କରିଥିଲେ।