ମୁମ୍ବାଇ, ୨୩।୧୧ : ଭୟଙ୍କର ଅଗ୍ନିକାଣ୍ଡ । ଚାହୁଁଚାହୁଁ ସବୁ ଆଡେ ବ୍ୟାପିଗଲା । ଏପରି ଘଟଣା ସାମ୍ନାକୁ ଆସିଛି ମହାରାଷ୍ଟ୍ରର ନଭି ମୁମ୍ବାଇରେ । ଏଠାରେ ଏକ ତୈଳ କମ୍ପାନୀ ଓ ଡିପୋରେ ହଠାତ ନିଆଁ ଲାଗିଯାଇଥିଲା । ପରେ ଏହା କିଛି ସେକେଣ୍ଡରେ ପାଖରେ ଥିବା ଏକ ପ୍ଲାଏଉଡ୍ ଏବଂ ଅନ୍ୟ ଏକ କୋରିଅର କମ୍ପାନୀକୁ ବ୍ୟାପିଯାଇଥିଲା । ରବିବାର ବିଳମ୍ବିତ ରାତ୍ରରେ ଏପରି ଘଟଣା ଘଟିଥିବା ବେଳେ ଏହାକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ ନାକେଦମ ହୋଇଯାଇଥିଲେ ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ନିଆଁର ପ୍ରକୋପ ଅତି ଭୟଙ୍କର ଥିଲା । ଦୂରରୁ ଧୂଆଁ ଏବଂ ନିଆଁ ଦେଖିବାକୁ ମିଳିଥିଲା । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଘଟଣାରେ କେହି ମୃତାହତ ହୋଇନାହାଁନ୍ତି । ତେବେ ପ୍ରଥମେ ରାତି ୯ଟାରେ ତୈଳ କମ୍ପାନୀରେ ସାମାନ୍ୟ ଅଗ୍ନିକାଣ୍ଡ ହୋଇଥିଲା । କିନ୍ତୁ ଏହା ଥମି ଯାଇଥିଲା । ପରେ ଆଉଥରେ ଦହନୀୟ ବସ୍ତୁରେ ନିଆଁ ଲାଗିଯାଇଥିଲା । ଏହାପରେ ଦ୍ରୁତ ଗତିରେ ନିଆଁ ପାଖରେ ଥିବା ପ୍ଲାଏଉଡ୍ ଏବଂ କୋରିଅର କମ୍ପାନୀକୁ କବଳିତ କରିଥିଲା ।

Also Read :- ସୁନାରେ ମିଶୁଛି ଭୟଙ୍କର ଜିନିଷ : ୨୦ କ୍ୟାରେଟ୍ ସୁନା ପାଲଟିଯାଉଛି ୨୨ କ୍ୟାରେଟ୍, ଧରା ବି ପଡୁନି !

ଖବର ପାଇ ଦମକଳ ବାହିନୀର ୧୨ଟି ଗାଡି ଘଟଣାସ୍ଥଳରେ ପହଁଚିଥିଲେ । ଚାରି ପାଖରୁ ସେମାନେ ପାଣି ସ୍ପ୍ରେ କରି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ । ପ୍ରାୟ ୩ରୁ ୪ ଘଣ୍ଟାର କସରତ ପରେ ନିଆଁକୁ କାବୁ କରାଯାଇଥିଲା ।

ଅନ୍ୟ ଦିଗରେ କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ । ଘଟଣାର ତଦନ୍ତ ଚାଲିଛି । ଦମକଳ ବିଭାଗ ଏବଂ ପୋଲିସ ବିଭାଗ ଏନେଇ ଯାଞ୍ଚ କରୁଛନ୍ତି । କିନ୍ତୁ ଏଥିରେ କମ୍ପାନୀର କୋଟି କୋଟି ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିବା ଆଶଙ୍କା କରାଯାଉଛି ।