ଭୁବନେଶ୍ୱର ୨୭।୧୦ : ଆସନ୍ତା ୧୦ ଦିନରେ ରାଜ୍ୟରେ ଅନୁଭୂତ ହେବ ଅଧିକ ଶୀତ। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରକୋପ ବଢ଼ିବା ନେଇ ଆକଳନ କରାଯାଇଛି। ଏହି ସମୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା ୧୦ରୁ ୧୫ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିପାରେ। ସେହିପରି ଉପକୂଳ ଓଡ଼ିଶାରେ ମଧ୍ୟ ପାରଦ ୧୭ରୁ ୨୦ ଡିଗ୍ରୀ ମଧ୍ୟରେ ରହିବା ସମ୍ଭାବନା ରହିଛି। ଏଭଳି ପୂର୍ବାନୁମାନ କରିଛନ୍ତି SOA ସିଇସି ମୁଖ୍ୟ ଶରତ ଚନ୍ଦ୍ର ସାହୁ।

ତାଙ୍କ କହିବା ଅନୁଯାୟୀ, ଚଳିତ ବର୍ଷ ବର୍ଷାର ପ୍ରଭାବ ଓ ବିଭିନ୍ନ ପାଣିପାଗୀୟ ସିଷ୍ଟମ୍ ଯୋଗୁଁ ରାଜ୍ୟରେ ଶୀତ ଆଗମନ ବିଳମ୍ବିତ ହୋଇଛି। ହେଲେ ଆଜିଠାରୁ ଧୀରେ ଧୀରେ ଶୀତ ବଢ଼ିବା ଆରମ୍ଭ ହେବ। ଆଗାମୀ ଦିନରେ ତାପମାତ୍ରା ଆହୁରି ହ୍ରାସ ପାଇବା ସହ ଶୀତର ଅନୁଭୂତି ବଢ଼ିବ।

Also Read:-ଏବେ ଶୀତ କିନ୍ତୁ ୩୦ରେ ପୁଣି ଲଘୁଚାପ ! ନେଇପାରେ ବାତ୍ୟାର ରୂପ

ଚଳିତ ବର୍ଷ ଡିସେମ୍ବରରୁ ଆରମ୍ଭ କରି ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଶୀତ ଅନୁଭୂତ ହେବ ବୋଲି ସେ ଆକଳନ କରିଛନ୍ତି। ତେବେ ମଝିରେ ମଝିରେ ପଶ୍ଚିମା ବାୟୁର ପ୍ରଭାବ ପଡ଼ିଲେ କିଛି ଦିନ ପାଇଁ ଶୀତର ପ୍ରକୋପ କମିପାରେ। ଅନ୍ୟପଟେ ଚଳିତ ଶୀତ ଋତୁରେ ରାଜ୍ୟରେ ଅଧିକାଂଶ ସମୟ ଶୁଖିଲା ପାଗ ରହିବା ସମ୍ଭାବନା ରହିଛି । ତେବେ ଆଗାମୀ ଦିନରେ ଶୀତର ପ୍ରକୋପ କେତେ ବଢ଼ିବ ଏବଂ କେଉଁ ଅଞ୍ଚଳରେ ଅଧିକ ଥଣ୍ଡା ଅନୁଭୂତ ହେବ, ତାହା ଉପରେ ରହିବ ସମସ୍ତଙ୍କ ନଜର।