ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଗଡ଼ରୋଡ଼ଙ୍ଗ ବାସନ୍ଦ ଜଙ୍ଗଲରୁ ମାଟିତଳୁ ନରକଙ୍କାଳ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ ହୋଇଛି। ନରକଙ୍କାଳଟି ଦଶହରା ପରଠାରୁ ନିଖୋଜ ଥିବା ଗଡ଼ରୋଡ଼ଙ୍ଗ ସହରସାହିର କୃଷ୍ଣ ବଢ଼େଇଙ୍କର ବୋଲି ଚିହ୍ନଟ ହୋଇଥିବା ବେଳେ, ତାଙ୍କୁ ହତ୍ୟା କରି ଜଙ୍ଗଲରେ ପୋତି ଦେବା ଅଭିଯୋଗରେ ପୋଲିସ ସେହି ସାହିର ହେମନ୍ତ ନାୟକ ଓ ଚନ୍ଦନ ନାୟକଙ୍କୁ ଗିରଫ କରିଛି। ଉଭୟ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ପୋଲିସ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି।

ସୂଚନା ଅନୁଯାୟୀ, କୃଷ୍ଣ ବଢ଼େଇ ଦଶହରା ପରଦିନଠାରୁ ନିଖୋଜ ହୋଇଯାଇଥିଲେ। ଏନେଇ ଗତ ମାସ ୨୭ ତାରିଖରେ ପରିବାର ପକ୍ଷରୁ ବ୍ରହ୍ମଗିରି ଥାନାରେ ନିଖୋଜ ଅଭିଯୋଗ କରାଯାଇଥିଲା। ଦୀର୍ଘଦିନ ଧରି ତାଙ୍କର କୌଣସି ଖୋଜଖବର ମିଳୁନଥିବାବେଳେ ଗତ ୨୧ ତାରିଖରେ ଗଡ଼ରୋଡ଼ଙ୍ଗ ବାସନ୍ଦ ଜଙ୍ଗଲରୁ ଏକ ମଣିଷ ଖପୁରୀ ମିଳିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଖପୁରୀ ନିକଟରେ ପଡ଼ିଥିବା ପୋଷାକକୁ ଦେଖି ପରିବାର ଲୋକେ ତାହା କୃଷ୍ଣଙ୍କର ହୋଇଥାଇପାରେ ବୋଲି ସନ୍ଦେହ କରିଥିଲେ।

ଖବର ପାଇ ବ୍ରହ୍ମଗିରି ପୋଲିସ ଓ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ କରିଥିଲେ। ତଦନ୍ତ ସମୟରେ ଖପୁରୀ ମିଳିଥିବା ସ୍ଥାନ ନିକଟରେ ମାଟିତଳେ ଏକ ମଣିଷର କଙ୍କାଳ ପୋତାଯାଇଥିବା ଜଣାପଡ଼ିଥିଲା। ବ୍ରହ୍ମଗିରି ତହସିଲଦାର ତଥା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟି ଖୋଳାଯାଇ କଙ୍କାଳଟିକୁ ଉଦ୍ଧାର କରାଯାଇଥିଲା। କଙ୍କାଳ ସହ ମିଳିଥିବା ପୋଷାକକୁ ଆଧାର କରି ପରିବାର ଲୋକେ ଏହା କୃଷ୍ଣଙ୍କର ବୋଲି ଚିହ୍ନଟ କରିଥିଲେ। ତାଙ୍କୁ ହତ୍ୟା କରି ଜଙ୍ଗଲରେ ପୋତି ଦିଆଯାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା।

Also Read: ମାଓବାଦୀଙ୍କୁ ଡବଲ୍ ଝଟକା : ଜଙ୍ଗଲରୁ ମିଳିଲା ବନ୍ଧୁକ, ମାଟି ତଳୁ ମିଳିଲା ୪୦ ଲକ୍ଷର ଗୁପ୍ତ ଭଣ୍ଡାର

ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ପୋଲିସ ତଦନ୍ତ କ୍ରମେ ଫେରାର ଥିବା ହେମନ୍ତ ନାୟକ ଓ ଚନ୍ଦନ ନାୟକଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଆଉ ଗୁରୁବାର ଦୁଇ ଅଭିଯୁକ୍ତ ଘଟଣାସ୍ଥଳକୁ ନେଇ ହତ୍ୟା ଓ ମୃତଦେହ ପୋତିବା ଘଟଣାର ପୋଲିସ ଦ୍ୱାରା ସିନ୍ ରିକ୍ରିଏସନ୍ କରାଯାଇଛି। ହତ୍ୟାରେ ବ୍ୟବହୃତ କଟୁରୀ ଏବଂ ଏକ ମୋବାଇଲ ଜବତ କରିଛି ପୋଲିସ। ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି।