ନୂଆଦିଲ୍ଲୀ: ଶିଳ୍ପପତି ଅନନ୍ତ ଅମ୍ବାନୀ ଏବଂ ବଲିଉଡ୍‌ ଅଭିନେତା ଶାହରୁଖ ଖାନଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳପର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍‌ ହୋଇଛି । ଆଧ୍ୟାତ୍ମିକ ଗୁରୁ ‘ସଦଗୁରୁ’ଙ୍କ ଉପସ୍ଥିରେ ଦୁଇ ଜଣ କଥା ହେଉଥିଲେ । ଏହି ସମୟରେ ଅନନ୍ତ ଅମ୍ବାନୀ, ଶାହରୁଖ ଖାନଙ୍କୁ ‘ଚୁପ୍‌ ରହିବାକୁ ’ କହୁଥିବା ନେଇ ଭାଇରାଲ୍‌ ଭିଡିଓରେ ଦାବି ହୋଇଥିଲା । ତେବେ ଏଥିରେ ସତ୍ୟତା ନାହିଁ ଏବଂ ଭିଡିଓ ଭୁଲ ଉପାୟରେ ପ୍ରଦର୍ଶିତ କରାଯାଇଥିବା ନେଇ ଅଭିଯୋଗ କରି  କଣ୍ଟେଣ୍ଟ କ୍ରିଏଟର ସୁବିଗ୍ୟ ଶର୍ମାଙ୍କୁ  ମାନହାନୀ ନୋଟିସ୍‌ ପଠାଇଛନ୍ତି ଶାହରୁଖ ଖାନ ।

ନଭେମ୍ବର ୨୩ରେ ପଠାଯାଇଥିବା ଏହି ନୋଟିସ୍‌ରେ ସମ୍ପୃକ୍ତ ଭିଡିଓଟିକୁ ଅତ୍ୟନ୍ତ ବିଭ୍ରାନ୍ତିକର ଏବଂ ମାନହାନୀସୂଚକ ବୋଲି ଦର୍ଶାଯାଇଛି। ଏହି ଭାଇରାଲ ରିଲ୍‌ରେ ସଦଗୁରୁଙ୍କ ସହ ଅନନ୍ତ ଅମ୍ବାନୀଙ୍କ ଏକ ଦୃଶ୍ୟ ଏବଂ ଶାହାରୁଖ ଖାନ୍ ଓ ଅନନ୍ତ ଅମ୍ବାନୀଙ୍କ ମଧ୍ୟରେ କଥାବାର୍ତ୍ତାର ଏକ ଅଲଗା କ୍ଲିପ୍‌କୁ ଯୋଡ଼ାଯାଇଥିଲା। ଭିଡିଓରେ ଦାବି କରାଯାଇଥିଲା ଯେ, ଏହି ବାର୍ତ୍ତାଳାପ ସମୟରେ ଅନନ୍ତ ଅମ୍ବାନୀ ଶାହାରୁଖ ଖାନ୍‌ଙ୍କୁ ‘ଚୁପ୍ ରହିବାକୁ’ କହିଥିଲେ। ତେବେ ଶାହାରୁଖ ଖାନ୍‌ଙ୍କ ଆଇନଗତ ଟିମ୍ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ‘ଭିତ୍ତିହୀନ ଏବଂ ମିଥ୍ୟା’ ବୋଲି କହିଛି। ଅଭିନେତାଙ୍କ ସମ୍ମାନ, ସାର୍ବଜନୀନ ଛବି ଏବଂ ମର୍ଯ୍ୟାଦାକୁ କ୍ଷତି ପହଞ୍ଚାଇବା ଲାଗି ଏଭଳି କରାଯାଇଛି ବୋଲି ଶାହରୁଖଙ୍କ ଟିମ୍‌ ଦାବି କରିଛି ।

ଭାରତୀୟ ନ୍ୟାୟ ସଂହିତା (BNS) ୨୦୨୩ର ଧାରା ୩୫୬ (ମାନହାନୀ) ଆଧାରରେ ଏହି ନୋଟିସ୍ ଜାରି କରାଯାଇଛି। କୌଣସି ବିଶ୍ୱସନୀୟ ପ୍ରମାଣ ବିନା ଜଣେ ବ୍ୟକ୍ତିଙ୍କ ବିରୋଧରେ ଭିତ୍ତିହୀନ ମନ୍ତବ୍ୟ ପ୍ରଚାର କରାଯାଇପାରିବ ନାହିଁ ବୋଲି ନୋଟିସ୍‌ରେ ସ୍ପଷ୍ଟ କରାଯାଇଛି। ତେଣୁ ବିବାଦୀୟ ରିଲ୍‌କୁ ତୁରନ୍ତ ହଟାଇବା ସହ ସମସ୍ତ କ୍ୟାପ୍ସନ୍ ଓ ମନ୍ତବ୍ୟକୁ ଡିଲିଟ୍ କିମ୍ବା ସଂଶୋଧନ କରିବାକୁ ନୋଟିସ ମାଧ୍ୟମରେ ଦାବି କରାଯାଇଛି । 

ନୋଟିସ୍‌ରେ କଣ୍ଟେଣ୍ଟ କ୍ରିଏଟରଙ୍କୁ ମାମଲାର ସମାଧାନ ନହେବା ପର୍ଯ୍ୟନ୍ତ ମୂଳ ଭିଡିଓ ଫୁଟେଜ୍, ସୋର୍ସ ମ୍ୟାଟେରିଆଲ୍, ପ୍ରକାଶନ ରେକର୍ଡ ଏବଂ ଅନ୍ୟାନ୍ୟ ଯୋଗାଯୋଗ ତଥ୍ୟ ସୁରକ୍ଷିତ ରଖିବାକୁ କୁହାଯାଇଛି। ନୋଟିସ୍ ପାଇବାର ୪୮ ଘଣ୍ଟା ମଧ୍ୟରେ ସମସ୍ତ ନିର୍ଦ୍ଦେଶ ପାଳନ କରିଥିବା ନେଇ ଲିଖିତ ଭାବରେ ଜଣାଇବାକୁ ତାଙ୍କୁ ସମୟ ଦିଆଯାଇଛି। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ପୂରଣ ନହୁଏ, ତେବେ ବିନା କୌଣସି ପରବର୍ତ୍ତୀ ସୂଚନାରେ ଭାରତୀୟ ଆଇନ ଅନୁଯାୟୀ  ଦେୱାନୀ ଏବଂ ଫୌଜଦାରୀ ମାମଲା ରୁଜୁ କରାଯିବ ବୋଲି ଶାହାରୁଖଙ୍କ ଆଇନଗତ ଟିମ୍ ଚେତାବନୀ ଦେଇଛି।

ଅନ୍ୟପଟେ,  ନୋଟିସ୍ ପାଇବା ପରେ କଣ୍ଟେଣ୍ଟ କ୍ରିଏଟର ସୁବିଗ୍ୟ ଶର୍ମା ସାର୍ବଜନୀନ ଭାବରେ ଏହାର ଜବାବ ରଖିଛନ୍ତି। ଶାହାରୁଖ ଖାନ୍ ଏହି ଭାଇରାଲ ଭିଡିଓକୁ ନେଇ କାହିଁକି ଆପତ୍ତି ଉଠାଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏକ ପରବର୍ତ୍ତୀ ଭିଡିଓରେ ସେ ଯୁକ୍ତି ବାଢ଼ିଛନ୍ତି ଯେ, ତାଙ୍କର ମନ୍ତବ୍ୟ ଅଭିବ୍ୟକ୍ତିର ସ୍ୱାଧୀନତା ଅଧୀନରେ ଆସୁଥିବା ଏକ ସାଧାରଣ ସମାଲୋଚନା । ଏହା ସହ ଅଭିନେତା କଥିତ ଅପମାନର ସିଧାସଳଖ ଜବାବ ଦେଇନାହାନ୍ତି ବୋଲି କହିଛନ୍ତି କଣ୍ଟେଣ୍ଟ କ୍ରିଏଟର ।