ଦିଗପହଣ୍ଡି ୨୭।୧୧ : ଦିଗପହଣ୍ଡି ବାଙ୍କେଶ୍ବରୀ ଘାଟିରୁ ପଡ଼ି ଯୁବକଙ୍କ ମୃତ୍ୟୁ ଘଟଣାରେ ବଢୁଛି ସସପେନ୍ସ। ଯୁବକ ପାହାଡ଼ରୁ ଖସି ପଡ଼ିଛନ୍ତି ନା ତାଙ୍କୁ ଠେଲିଦିଆଯାଇଛି ତାକୁ ନେଇ ସନ୍ଦେହ ବଢୁଛି। ଯୁବକଙ୍କ ମୃତ୍ୟୁକୁ ନେଇ ପରିବାରର ସନ୍ଦେହ ପରେ ତାଙ୍କ ପ୍ରେମିକାଙ୍କୁ ପଚରାଉଚରା କରିଛି ପୋଲିସ।

ଗତକାଲି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ନିଜ ବାଙ୍କେଶ୍ବରୀ ପୀଠ ଘାଟିକୁ ବୁଲିବାକୁ ଯାଇଥିଲେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ରେଣ୍ଟିକୋଟା ଗ୍ରାମର ଓମ୍ ସାଇ ଶଙ୍କର ପଣ୍ଡା ଓ ତାଙ୍କ ପ୍ରେମିକା। ଘାଟିରେ ରିଲ୍ସ କରିବା ବେଳେ ଓମ୍ ସାଇ ଶଙ୍କର ପାହାଡ଼ ତଳକୁ ଖସି ପଡ଼ିଥିବା ଅଭିଯୋଗ ହୋଇଥିଲା। ଯୁବତୀ ଜଣକ ଖବର ଦେବାରୁ ସ୍ଥାନୀୟ ଲୋକେ ଯୁବକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ହେଲେ ସଫଳ ନହେବାରୁ ଦିଗପହଣ୍ଡି ପୋଲିସ ଓ ସାନଖେମୁଣ୍ଡି ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆରମ୍ଭ କରିଥିଲେ ଉଦ୍ଧାର କାର୍ଯ୍ୟ।

Also Read:-ପ୍ରେମିକାଙ୍କ ସହ ରିଲ୍ସ କରୁଥିଲେ, ହଠାତ୍ ଘାଟି ତଳକୁ ଖସିଗଲେ ପ୍ରେମିକ

ତେବେ ଦୀର୍ଘ ୩ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଅର ମୃତ୍ୟୁକୁ ନେଇ ପରିବାର ଲୋକଙ୍କ ମନରେ ଅନେକ ପ୍ରଶ୍ନ । ଅସାବଧାନତା କାରଣରୁ ସାଇ ଶଙ୍କର ପଡ଼ିଗଲେ ନା ତାଙ୍କୁ ଠେଲିଦିଆଯାଇଛି ? ସାଇ ଶଙ୍କରଙ୍କ ସହ ଯାଇଥିବା ଯୁବତୀ କିଏ ? ଘଟଣା ପରେ ଯୁବତୀ ଜଣକ ସାଇ ଶଙ୍କରଙ୍କ ସ୍କୁଟି ନେଇ କାହିଁକି ଫେରାର ହୋଇଗଲେ ? ତାଙ୍କ ମୋବାଇଲ ଫୋନ୍ କେଉଁଠି ଅଛି ? ଏଭଳି ଅନେକ ପ୍ରଶ୍ନ ଉଠାଇଛନ୍ତି ମୃତକଙ୍କ ସମ୍ପର୍କୀୟ ମାମୁଁ। ଘଟଣାର ସଠିକ୍ ତଦନ୍ତ କରି ମୃତ୍ୟୁ ପଛର ପ୍ରକୃତ କାରଣ ଜାଣିବାକୁ ପରିବାର ପକ୍ଷରୁ ଦାବି କରାଯାଇଛି। ଦିଗପହଣ୍ଡି ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।