ଯାଜପୁରରୋଡ୍: କଳିଙ୍ଗନଗର ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଡୁବୁରୀ ଅଞ୍ଚଳରୁ ୨୬ ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ସହ ଏହି କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ଡୁବୁରୀ ଖଣ୍ଡିଆସାହିର ଗୁଡୁ ଓରଫ ଗଙ୍ଗାଧର ମଲ୍ଲିକ (୨୧), ରାଉତସାହିର ଗୁଣ୍ଡିଚା ଓରଫ ରଶ୍ମିରଞ୍ଜନ ରାଉତ (୨୭), ମାଟିଆସାହିର କାଳିଆ ଓରଫ ସିଦ୍ଧାନ୍ତ ବେହେରା (୨୮) ଏବଂ ଖଣ୍ଡିଆସାହିର ମନା ଓରଫ କିଶୋର ବେହେରା (୨୮)।

ସୂଚନା ଅନୁଯାୟୀ, ଡୁବୁରୀ ଅର୍ବାନ ପାର୍କ ନିକଟରେ ବ୍ରାଉନସୁଗାର କାରବାର ଚାଲିଥିବା ଖବର ପାଇ ପୋଲିସ ସେଠାରେ ଅତର୍କିତ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ପୋଲିସ ୨୬ ଗ୍ରାମ ବ୍ରାଉନସୁଗାର ସମେତ ଗୋଟିଏ ବଜାଜ ପଲସର ବାଇକ୍ (ଓଡି-୩୪-୭୬୪୦), ଦୁଇଟି ନମ୍ବର ବିହୀନ ବାଇକ୍ (ଟିଭିଏସ୍ ଆପାଚି ଓ ହୋଣ୍ଡା ଏସପି-୧୨୫), ନଗଦ ୭ ହଜାର ୮ ଶହ ଟଙ୍କା ଓ ୩ଟି ମୋବାଇଲ ଫୋନ୍ ଜବତ କରିଛି। ଏନେଇ କଳିଙ୍ଗନଗର ଥାନାରେ ଏନଡିପିଏସ୍ ଆକ୍ଟ (NDPS Act) ଅନୁଯାୟୀ କେସ୍ ନଂ ୩୪୫/୨୬ରେ ଏକ ମାମଲା ରୁଜୁ କରାଯାଇ ଗୁରୁବାର ସମସ୍ତ ଅଭିଯୁକ୍ତଙ୍କୁ ଯାଜପୁର ରୋଡ୍ ଏଡିଜେ (ADJ) କୋର୍ଟକୁ ଚାଲାଣ କରାଯାଇଛି।