ମୁମ୍ଵାଇ ୨୭।୧୧; ବକ୍ସ ଅଫିସ୍‌ରେ ଧମାଲ୍ କରୁଛି ଫିଲ୍ମ 'ରାମାୟଣ: ରାଇଜ୍ ଅଫ୍ ଏ ଲିଜେଣ୍ଡ'। ୧୭୦୦ କୋଟି ଟଙ୍କାରୁ ଅଧିକ ଆୟ କରି ଚର୍ଚ୍ଚାରେ ଥିବା ଏହି ଫିଲ୍ମର ଟିମକୁ ଭେଟିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଫିଲ୍ମର ସଫଳତା ପାଇଁ ପୂରା ଟିମକୁ ଜଣାଇଛନ୍ତି ଶୁଭେଚ୍ଛା। ଏଥିସହ ଭାରତୀୟ ସଂସ୍କୃତି ଓ ମହାକାବ୍ୟ ରାମାୟଣକୁ ବିଶ୍ୱ ଦରବାରରେ ପହଞ୍ଚାଇବାର ଏହି ପ୍ରୟାସକୁ କରିଛନ୍ତି ପ୍ରଶଂସା।

ଏହି ସାକ୍ଷାତ ସମୟରେ ଫିଲ୍ମର ପ୍ରଯୋଜକ ନମିତ ମଲହୋତ୍ରା, ନିର୍ଦ୍ଦେଶକ ନିତେଶ ତିୱାରୀ, ଅଭିନେତା ରଣବୀର କପୁର, ଅଭିନେତ୍ରୀ ସାଇ ପଲ୍ଲବୀ ଏବଂ ସହ-ପ୍ରଯୋଜକ ନୀରଜ ସାଙ୍ଗାଇ ଉପସ୍ଥିତ ଥିଲେ। ଫିଲ୍ମ ନିର୍ମାଣରେ ଟିମ୍ର ପରିଶ୍ରମ ଓ ଉଦ୍ୟମକୁ ଅମିତ ଶାହ ପ୍ରଶଂସା କରିଥିଲେ। ଏହାସହ ରାମାୟଣର କାହାଣୀ, ଭାରତୀୟ ଇତିହାସ ଓ ସଂସ୍କୃତିରେ ଏହାର ଗୁରୁତ୍ୱକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା।

ଅନ୍ୟପଟେ ଫିଲ୍ମର ସଫଳତା ଏବେ ଚର୍ଚ୍ଚାର ଶୀର୍ଷରେ। ନିତେଶ ତିୱାରୀଙ୍କ ନିର୍ଦ୍ଦେଶନା ଏବଂ ନମିତ ମାଲହୋତ୍ରାଙ୍କ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମରେ ରଣବୀର କପୁର ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ, ସାଇ ପଲ୍ଲବୀ ମାତା ସୀତାଙ୍କ ଭୂମିକାରେ ଏବଂ ୟଶ ରାବଣଙ୍କ ଭୂମିକାରେ ନଜର ଆସିଛନ୍ତି। ସେହିପରି ରବି ଦୁବେ ଲକ୍ଷ୍ମଣଙ୍କ ଚରିତ୍ରରେ ଅଭିନୟ କରିଛନ୍ତି।

ରିପୋର୍ଟ ଅନୁସାରେ, ଫିଲ୍ମଟି ବିଶ୍ୱବ୍ୟାପୀ ୧୭୦୦ କୋଟି ଟଙ୍କାରୁ ଅଧିକ ଆୟ କରିସାରିଛି। ଏବେ ୨୦୦୦ କୋଟି ଟଙ୍କା ଆୟର ଲକ୍ଷ୍ୟ ରଖିଛି ଫିଲ୍ମ। କେବଳ ବକ୍ସ ଅଫିସ୍‌ରେ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଫିଲ୍ମଟି ନିଜର ଛାପ ଛାଡ଼ିଛି। ୨୦୨୭ ଏକାଡେମୀ ଆୱାର୍ଡ ବା ଓସ୍କାରର ବେଷ୍ଟ ଭିଜୁଆଲ୍ ଇଫେକ୍ଟସ୍ ବର୍ଗର ୨୦ଟି ଫିଲ୍ମର ଲଙ୍ଗଲିଷ୍ଟରେ ଏହା ସ୍ଥାନ ପାଇଥିବା ଦାବି କରାଯାଇଛି।