ଭୁବନେଶ୍ୱର ୨୭।୧୧: ବର୍ତ୍ତମାନ ରାଜ୍ୟରେ ଶୀତ ପ୍ରକୋପ ସାମାନ୍ୟ ବଢ଼ିଛି। ଆସନ୍ତା ୨-୩ ଦିନ ଭିତରେ ଆହୁରି ୨ରୁ ୪ ଡିଗ୍ରୀ ସେଲସିୟସ୍ କମିପାରେ। ଏଭଳି ପୂର୍ବାନୁମାନ ଜାରି କରିଛି ପାଣିପାଗ ବିଭାଗ।

ଅନ୍ୟପଟେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଏ ନେଇ ବିଭିନ୍ନ ମଡେଲ୍ ସଙ୍କେତ ଦେଖାଇବା ସହ ଏହା ଘନୀଭୂତ ହେବା ନେଇ ପୂର୍ବାନୁମାନ କରିଛନ୍ତି। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି)ର ବିସ୍ତାରିତ ପୂର୍ବାନୁମାନ ଅନୁସାରେ ଆସନ୍ତା ୨୯ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି। ଏହା ଘନୀଭୂତ ହୋଇ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଆଣ୍ଡାମାନ ନିକୋବର ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ୩୦ ତାରିଖକୁ ଲଘୁଚାପରେ ପରିଣତ ହୋଇପାରେ।

ସ୍ବଳ୍ପ ସମ୍ଭାବନା ରହିଛି, ଏହା ଅଧିକ ଘନୀଭୂତ ଡିସେମ୍ବର ୨ ତାରିଖବେଳକୁ ଅବପାତ ରୂପ ନେଇପାରେ। କେତେକ ମଡେଲ୍ ଅନୁସାରେ ଏହା ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି I ଶ୍ରୀଲଙ୍କା-ତାମିଲନାଡ଼କୁ ଏହା ଗତି କରିପାରେ। ବୁଧବାର ରାତିରେ ଝାରସୁଗୁଡ଼ା ତାପମାତ୍ରା ୧୨.୬ ଡିଗ୍ରୀ ସେଲସିୟସ୍ ଥିବାବେଳେ କେନ୍ଦୁଝର ୧୪, ରାଉରକେଲା ୧୪.୫, ସମ୍ବଲପୁର ୧୫.୪, ଦେବଗଡ଼ ୧୫.୨, କୋରାପୁଟ ୧୫, ନବରଙ୍ଗପୁର ୧୫.୬ ଡିଗ୍ରୀ ଥିଲା। ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ।