ସମ୍ବଲପୁର: ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ । ଆୟଠାରୁ ୩୦୦ ପ୍ରତିଶତ ଅଧିକ ସମ୍ପତ୍ତି ଠାବ ଅଭିଯୋଗରେ ଗ୍ରାମ ପଞ୍ଚାୟତ ଅଧିକାରୀଙ୍କୁ ଗିରଫ କଲା ଓଡ଼ିଶା ଭିଜିଲାନ୍ସ । ଏନେଇ ସମ୍ବଲପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଭିଜିଲାନ୍ସ ଏସ୍ପି ପି.କେ. ଦ୍ୱିବେଦୀ।

ଏସ୍ପିଙ୍କ ସୂଚନା ଅନୁଯାୟୀ, ଗିରଫ ହୋଇଥିବା ଅଧିକାରୀ ହେଉଛନ୍ତି ବରଗଡ଼ ଜିଲ୍ଲା ଗାଇସିଲେଟ୍ ବ୍ଲକ୍ ଅନ୍ତର୍ଗତ କଟାଭାଲ ଗ୍ରାମପଞ୍ଚାୟତର PEO କାର୍ତ୍ତିକେଶ୍ୱର ବେହେରା l ସେ ଗୌରେନମୁଣ୍ଡା ଗ୍ରାମପଞ୍ଚାୟତର ଇନଚାର୍ଜ PEO ଭାବେ ମଧ୍ୟ ଦାୟିତ୍ୱରେ ଥିଲେ l ଆୟଠାରୁ ପ୍ରାୟ ୩୦୦ ପ୍ରତିଶତ ଅଧିକ ସମ୍ପତ୍ତି ଠାବ ହୋଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

Also Read: Fake currency case : ଆପଣ ଯେଉଁ ନୋଟ୍ ବ୍ୟବହାର କରୁଛନ୍ତି ତାହା ଅସଲି ତ ?

ଚଢ଼ାଉ ଓ ତଦନ୍ତ ବେଳେ ଦୁଇଟି ବହୁତଳ କୋଠା, ଗୋଟିଏ ମାର୍କେଟ କମ୍ପ୍ଲେକ୍ସ, ଗୋଟିଏ ଗୋଦାମ ଏବଂ ୩୫ଟି ମୂଲ୍ୟବାନ ପ୍ଲଟ୍ ଠାବ ହୋଇଛି । ଏହାସହ ନଗଦ ଟଙ୍କା, ଗାଡ଼ି ଓ ସୁନା ମଧ୍ୟ ଠାବ କରିଛି ଭିଜିଲାନ୍ସ । ଏହି ସମ୍ପତ୍ତିର ଉତ୍ସ ସମ୍ପର୍କରେ ସେ ସନ୍ତୋଷଜନକ ହିସାବ ଦେଇପାରିନଥିବା ଅଭିଯୋଗ ହୋଇଛି । କାର୍ତ୍ତିକେଶ୍ୱର ବେହେରାଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ବରଗଡ଼ର ସ୍ପେଶାଲ ଜଜ୍, ଭିଜିଲାନ୍ସଙ୍କ ଅଦାଲତରେ ହାଜର କରିଛି । ଏହାସହ ଘଟଣାରେ ଆହୁରି ତଦନ୍ତ ଜାରି ରହିଛି ।