ଭୁବନେଶ୍ୱର : ବ୍ୟସ୍ତବହୁଳ ଜୀବନରେ ଚାକିରି ସହ ପରିବାର ଓ ସନ୍ତାନଙ୍କ ଯତ୍ନ ନେବା ଏବେ ବହୁ କଷ୍ଟକର ହୋଇଯାଇଛି । ଆଉ ଏହାକୁ ନେଇ ଆଲୋଚନା ଏବେ ନୂଆ ଦିଗକୁ ମୁହାଉଁଛି । 'ମ୍ୟାଟର୍ନିଟି ଲିଭ୍' ବା ମାତୃତ୍ୱ ଛୁଟି ବିଷୟରେ ସମସ୍ତେ ଜାଣିଥିବା ବେଳେ, ଏବେ କିଶୋର ସନ୍ତାନଙ୍କ ଯତ୍ନ ନେବା ପାଇଁ ‘ଟିନ୍-ଟର୍ନିଟି ଲିଭ୍’ ଭଳି ଏକ ନୂଆ ଟ୍ରେଣ୍ଡ ଚର୍ଚ୍ଚାକୁ ଆସିଛି। ଯାହାକୁ ନେଇଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି

ତେବେ ‘ଟିନ୍-ଟର୍ନିଟି ଲିଭ୍’ କ’ଣ ?

ଆପଣ ଭାବୁଥିବେ ମାଟରନିଟି ଲିଭ ତ ଅଛି ପୁଣି ଏଟା କି ଛୁଟି ? ତେବେ ‘ଟିନ୍-ଟର୍ନିଟି ଲିଭ୍’ ହେଉଛି ଏକ ନୂଆ ଶବ୍ଦ, ଯାହା କିଶୋର ପିଲାଙ୍କ ପାଇଁ ମାତାପିତା ଚାକିରିରୁ ବିରତି ନେବା କିମ୍ବା କାମର ସମୟ କମାଇବାକୁ ବୁଝାଏ । ମା’ ହେବା ପରେ ଶିଶୁର ପ୍ରାରମ୍ଭିକ ସମୟରେ ମାତାପିତାଙ୍କ ଉପସ୍ଥିତି ଯେତିକି ଜରୁରୀ, ୧୩ରୁ ୧୮ ବର୍ଷ ବୟସରେ ମଧ୍ୟ ପିଲାଙ୍କୁ ଆପଣଙ୍କ ସେତିକି ଆବଶ୍ୟକତା ରହିଥାଏ । ‘ଟିନ୍-ଟର୍ନିଟି’ ଶବ୍ଦଟି ‘ଟିନେଜର୍’ ଓ ‘ମ୍ୟାଟର୍ନିଟି’ ଶବ୍ଦର ଧାରଣାରୁ ଆସିଛି । କିଶୋରାବସ୍ଥାରେ ପିଲାମାନଙ୍କ ଜୀବନରେ ଅନେକ ଶାରୀରିକ, ଭାବନାତ୍ମକ ଓ ସାମାଜିକ ପରିବର୍ତ୍ତନ ହୋଇଥାଏ। ଏହି ସମୟରେ ଅଭିଭାବକଙ୍କୁ ପିଲାଙ୍କ ପାଇଁ ଅଧିକ ସମୟ ଦେବାର ଆବଶ୍ୟକତା ରହିପାରେ। ଏହାର ଅର୍ଥ ନୁହେଁ ଯେ ମାତୃତ୍ଵ ଛୁଟି ଭଳି ସମ୍ପୂର୍ଣ୍ଣ ଛୁଟି ନେବା , ଏଥିରେ କେବଳ ଅଭିଭାକମାନେ ନିଜ ପିଲାଙ୍କ ପାଇଁ କିଛି ସମୟ ପାଇଁ କାମର ସମୟ ପରିବର୍ତ୍ତନ କରିପାରିବେ ବା ୱାର୍କ ଫ୍ରମ ହୋମ କରିପାରିବେ

କାହିଁକି ଉଠୁଛି ଏହି ଦାବି?

କିଶୋରାବସ୍ଥାରେ ପିଲାଙ୍କ ମଧ୍ୟରେ ମନ ପରିବର୍ତ୍ତନ, ପାଠପଢ଼ାର ଚାପ, ପରୀକ୍ଷା, ସାଙ୍ଗସାଥୀଙ୍କ ପ୍ରଭାବ ଓ ଭବିଷ୍ୟତକୁ ନେଇ ଚିନ୍ତା ଭଳି ବିଭିନ୍ନ ବିଷୟ ଦେଖାଦେଇପାରେ। ଏହି ସମୟରେ ଅଭିଭାବକଙ୍କ ସହଯୋଗ ଓ ଉପସ୍ଥିତି ପିଲାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ତେଣୁ ମ୍ୟାଟର୍ନିଟି ଲିଭ୍ ଭଳି କିଶୋର ସନ୍ତାନଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ସମୟରେ ଅଭିଭାବକଙ୍କୁ କିଛି ସମୟ ପାଇଁ କାମରୁ ଛୁଟି ଦେବା ନେଇ ଏହି ଧାରଣା ସାମ୍ନାକୁ ଆସିଛି। ଏନେଇ କ୍ୟାମ୍ବ୍ରିଜ ଡିକ୍ସନାରୀ ଏହି ଶବ୍ଦକୁ ୨୦୨୪ରେ ନୂଆ ଶବ୍ଦ ଭାବେ ଉଲ୍ଲେଖ କରିଥିଲା। କିଶୋରବସ୍ଥାରେ ପିଲାଙ୍କ ଜୀବନରେ ପାଠପଢ଼ା, ପରୀକ୍ଷା, କ୍ୟାରିୟର ଚିନ୍ତା, ବନ୍ଧୁତ୍ୱ, ସୋସିଆଲ ମିଡିଆ ଏବଂ ନିଜ ପରିଚୟକୁ ନେଇ ଅନେକ ପରିବର୍ତ୍ତନ ଆସେ। ୨୦୨୪ର ଏକ ସର୍ଭେରେ ୧,୪୫୩ ଜଣ ଆମେରିକୀୟ ପିତାମାତା ଓ କିଶୋରଙ୍କୁ ପଚରାଯାଇଥିଲା; ଅଧିକାଂଶ କହିଥିଲେ ଯେ ୨୦ ବର୍ଷ ପୂର୍ବ ତୁଳନାରେ ଆଜି କିଶୋର ହେବା ଅଧିକ କଷ୍ଟକର। କିଛି ଅଭିଭାବକ ଏଥିପାଇଁ ଚାକିରି ଛାଡ଼ୁଛନ୍ତି, କ୍ୟାରିୟର ବ୍ରେକ୍ ନେଉଛନ୍ତି, ସିଫ୍ଟ ଟାଇମ କମାଉଛନ୍ତି କିମ୍ବା ରିମୋଟ୍ ୱାର୍କ ବାଛୁଛନ୍ତି।

ଏଠାରେ ଏକ କଥା ସ୍ପଷ୍ଟ କରିବା ଜରୁରୀ ଯେ , ‘ଟିନ୍-ଟର୍ନିଟି ଲିଭ୍’ ଏକ ନୂଆ ଟ୍ରେଣ୍ଡ, ଏହା ମ୍ୟାଟର୍ନିଟି ଲିଭ୍ ଭଳି ସାର୍ବଜନୀନ ଭାବେ ସ୍ୱୀକୃତ ବୈଧ ଛୁଟି ନୁହେଁ । କେତେକ ସଂସ୍ଥା ନିଜସ୍ୱ ନୀତି ଅନୁସାରେ ପେରେଣ୍ଟାଲ୍ ଲିଭ୍, କେୟାରଗିଭିଂ ଲିଭ୍ କିମ୍ବା ଫ୍ଲେକ୍ସିବଲ୍ ୱର୍କିଂ ଭଳି ସୁବିଧା ଦେଇପାରନ୍ତି। ଏହି ଧାରଣା ଉପରେ ଆଲୋଚନା ବଢ଼ିବା ସହ ଭବିଷ୍ୟତରେ କାର୍ଯ୍ୟସ୍ଥଳରେ ଅଭିଭାବକଙ୍କ ପାଇଁ ଅଧିକ ଫ୍ଲେକ୍ସିବଲ୍ ନୀତି ନେଇ ଚର୍ଚ୍ଚା ହୋଇପାରେ।