ନୂଆଦିଲ୍ଲୀ: ସୋସିଆଲ ମିଡିଆ ଓ ଇଣ୍ଟରନେଟ୍ ଦୁନିଆରେ ପ୍ରତିଦିନ ଅନେକ ଅପରାଧର କାହାଣୀ ସାମ୍ନାକୁ ଆସୁଛି । ଏଭଳି ଅନେକ ଲୋମହର୍ଷକ ଘଟଣା ଘଟୁଛି, ଯାହାକୁ ଶୁଣିଲେ ଟାଙ୍କୁରୀ ଉଠିବ ଲୋମ । ତେଲେଙ୍ଗାନାର ଆସିଥିବା ଏମିତି ଏକ ଲୋମହର୍ଷକ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଯେଉଁଠାରେ ଜଣେ ୨୦ ବର୍ଷୀୟା ଇଞ୍ଜିନିୟରିଂ ଛାତ୍ରୀଙ୍କୁ ବ୍ଲାକମେଲ୍ କରି ସୁସାଇଡ୍ ନୋଟ୍ ଲେଖିବାକୁ ବାଧ୍ୟ କରିବା ଓ ପରେ ତାଙ୍କୁ ବିଷ ପିଆଇ ହତ୍ୟା କରାଯାଇଛି । ପ୍ରାଥମିକ ତଦନ୍ତରେ ଏହାକୁ ଆତ୍ମହତ୍ୟାର ରୂପ ଦିଆଯାଇଥିଲେ ବି ପରବର୍ତ୍ତୀ ସମୟରେ ଏହା ପଛର ଭୟଙ୍କର ଷଡ଼ଯନ୍ତ୍ର ପଦାକୁ ଆସିଛି।

ସୂଚନା ଅନୁସାରେ, ମୃତ ଛାତ୍ରୀଙ୍କ ନାଁ ଥଣ୍ଡ୍ରା ଅକ୍ଷିତାରାନୀ । ନାସପୁରରେ ଡିପ୍ଲୋମା ପଢ଼ୁଥିବା ବେଳେ ତାଙ୍କର ସେଠିକାର ଏକ ପଲିଟେକନିକ କଲେଜର ଆଉଟସୋର୍ସିଂ ଲେକଚରର ନବୀନ କୁମାରଙ୍କ ସହ ଦେଖା ହୋଇଥିଲା। ପରେ ଅକ୍ଷିତାରାନୀ ଉଚ୍ଚଶିକ୍ଷା ପାଇଁ ହାଇଦ୍ରାବାଦ ଚାଲିଯାଇଥିଲେ ଏବଂ ସେଠାରେ ଏକ ଖଣିରେ ଆପ୍ରେଣ୍ଟିସସିପ୍ କରୁଥିବା ସମୟରେ ରବି କୁମାର ନାମକ ଜଣେ ଯୁବକଙ୍କ ସହ ତାଙ୍କର ବନ୍ଧୁତା ନିବିଡ଼ ହୋଇଥିଲା। ହେଲେ ନବୀନ କୁମାର ଏହାକୁ ସହ୍ୟ କରିପାରିନଥିଲେ। ଅକ୍ଷିତାରାନୀ ତାଙ୍କଠାରୁ ଦୂରେଇ ଯାଇ ରବିଙ୍କ ନିକଟତର ହେବା କାରଣରୁ ନବୀନଙ୍କ ମନରେ ପ୍ରତିଶୋଧର ନିଆଁ ଜଳୁଥିଲା।

Also Read: ଛତୁରେ କେମିତି ହତ୍ୟା କରାଯିବ, ସହଜ ଉପାୟ କ’ଣ... ସିଆ ଗୋୟଲଙ୍କ ସର୍ଚ୍ଚ ହିଷ୍ଟ୍ରି ଖୋଲିଲା ବଡ଼ ରହସ୍ୟ !

ପେଡ୍ଡାପଲ୍ଲୀର ଡେପୁଟି କମିଶନର ଅଫ୍ ପୋଲିସ ବି. ରାମ ରେଡ୍ଡୀଙ୍କ ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧୨ ତାରିଖ ଦିନ ନବୀନ କୁମାର ଛାତ୍ରୀଙ୍କୁ ରାସ୍ତାରୁ ଜବରଦସ୍ତି ନିଜ କାର୍ ଭିତରକୁ ଟେକି ନେଇଥିଲେ। ସେଠାରେ ସେ ଛାତ୍ରୀଙ୍କୁ ଡରାଇ- ଧମକାଇ ଏକ ସୁସାଇଡ୍ ନୋଟ୍ ଲେଖାଇଥିଲେ, ଯେଉଁଥିରେ ରବି କୁମାର ତାଙ୍କୁ ଯୌନ ନିର୍ଯାତନା ଦେଇଥିବା କଥା ଉଲ୍ଲେଖ କରାଯାଇଥିଲା। ଏହାପରେ ନବୀନ ଅକ୍ଷିତାରାନୀଙ୍କୁ ଜବରଦସ୍ତି କୀଟନାଶକ ପିଇବାକୁ ବାଧ୍ୟ କରିଥିଲେ। ବିଷ ପିଇବା ପରେ ଛାତ୍ରୀ ଜଣକ ସେହି ଚିଠିକୁ ନିଜ ପରିବାର ପାଇଁ ଛାଡ଼ି ଦେଇଥିଲେ ଏବଂ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇଥିଲା । କିନ୍ତୁ ସେଠାରେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।ତେବେ ପୋଲିସ ଏହି ମାମଲାର ସତ୍ୟାସତ୍ୟ ସାମ୍ନାକୁ ଆଣିବା ସହ ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି । ପ୍ରେମ ଓ ପ୍ରତିଶୋଧର ଏଭଳି ଅନ୍ଧକାର ରୂପ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।