ନୂଆଦିଲ୍ଲୀ ୨୩।୦୯; ହିନ୍ଦୁ ଧର୍ମରେ ପିତୃପକ୍ଷ... ପୂର୍ବପୁରୁଷଙ୍କୁ ସ୍ମରଣ କରିବା, ତାଙ୍କ ପ୍ରତି ଶ୍ରଦ୍ଧା ଓ କୃତଜ୍ଞତା ଜଣାଇବାର ଏକ ପବିତ୍ର ଅବସର। ଏହି ସମୟରେ ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ କରାଯାଏ ତର୍ପଣ, ପିଣ୍ଡଦାନ, ଶ୍ରାଦ୍ଧ ଓ ଦାନ-ପୁଣ୍ୟ। ପରିବାରରେ ପୁଅ ଥିଲେ ସାଧାରଣତଃ ସେ ହିଁ ଶ୍ରାଦ୍ଧ କର୍ମର ମୁଖ୍ୟ ଦାୟିତ୍ୱ ନେଇଥାନ୍ତି। କିନ୍ତୁ ଯଦି ପରିବାରରେ ପୁତ୍ର ସନ୍ତାନ ନଥାନ୍ତି? କିନ୍ତୁ ଏଠି ଉଠେ ଏକ ବଡ଼ ପ୍ରଶ୍ନ...ଯେଉଁ ପରିବାରରେ ପୁଅ ନାହିଁ ତେବେ କ’ଣ ଝିଅ ନିଜ ପିତାଙ୍କ ପାଇଁ ପିଣ୍ଡଦାନ କରିପାରିବେ? ମହିଳାଙ୍କ ଦ୍ୱାରା ଶ୍ରାଦ୍ଧ କରିବାକୁ ନେଇ ଶାସ୍ତ୍ର ଓ ପରମ୍ପରାରେ କ’ଣ କୁହାଯାଇଛି ? ଆସନ୍ତୁ ଜାଣିବା...

ଝିଅ କିମ୍ବା ମହିଳାଙ୍କ ଦ୍ୱାରା ପିଣ୍ଡଦାନ କଥା ଉଠିଲେ ମନେ ପଡ଼େ ଗୟା ସହ ଜଡ଼ିତ ମାତା ସୀତାଙ୍କ ଏକ ପ୍ରସିଦ୍ଧ କିମ୍ବଦନ୍ତୀ। ବିଶ୍ୱାସ ଅନୁଯାୟୀ, ଗୟାର ଫଲଗୁ ନଦୀ କୂଳରେ ମାତା ସୀତା ନିଜ ଶ୍ୱଶୁର ରାଜା ଦଶରଥଙ୍କ ପାଇଁ ପିଣ୍ଡଦାନ କରିଥିଲେ। କୁହାଯାଏ, ଶ୍ରୀରାମ, ସୀତା ଓ ଲକ୍ଷ୍ମଣ ଗୟାରେ ପହଞ୍ଚିଥିଲେ ରାଜା ଦଶରଥଙ୍କ ଶ୍ରାଦ୍ଧ କରିବା ପାଇଁ। ଶ୍ରୀରାମ ଓ ଲକ୍ଷ୍ମଣ ଆବଶ୍ୟକ ସାମଗ୍ରୀ ଆଣିବାକୁ ଯାଇଥିବା ସମୟରେ, କିମ୍ବଦନ୍ତୀ ଅନୁସାରେ ଦଶରଥଙ୍କ ଆତ୍ମା ସୀତାଙ୍କ ନିକଟରେ ପିଣ୍ଡ ଅର୍ପଣର ଇଚ୍ଛା ପ୍ରକାଶ କରିଥିଲେ। ସେତେବେଳେ ଆବଶ୍ୟକ ସାମଗ୍ରୀ ନଥିବାରୁ ସୀତା ଫଲଗୁ ନଦୀର ବାଲିରୁ ପିଣ୍ଡ ପ୍ରସ୍ତୁତ କରି ଅର୍ପଣ କରିଥିବା ବିଶ୍ୱାସ କରାଯାଏ। ଏହି କାହାଣୀ ସହିତ ଗୟାର ‘ସୀତା କୁଣ୍ଡ’ ମଧ୍ୟ ଜଡ଼ିତ। ଆଜି ବି ଏହି ସ୍ଥାନ ଧାର୍ମିକ ଆସ୍ଥାର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଚିତ।

ଝିଅ କରିପାରିବେ କି ଶ୍ରାଦ୍ଧ?

ତେବେ ପ୍ରଶ୍ନ ହେଉଛି ଝିଅ କ’ଣ ନିଜ ପିତା କିମ୍ବା ପୂର୍ବପୁରୁଷଙ୍କ ପାଇଁ ଶ୍ରାଦ୍ଧ କରିପାରିବେ? ଏନେଇ ସମସ୍ତ ହିନ୍ଦୁ ପରମ୍ପରାରେ ଏକାଭଳି ନିୟମ ନାହିଁ। ବିଭିନ୍ନ ସମ୍ପ୍ରଦାୟ, ପରିବାର ଓ ଆଞ୍ଚଳିକ ପରମ୍ପରା ଅନୁଯାୟୀ ଶ୍ରାଦ୍ଧ କର୍ମର ପ୍ରଥାରେ ଭିନ୍ନତା ଦେଖିବାକୁ ମିଳେ। ସାଧାରଣତଃ ପୁଅଙ୍କୁ ଶ୍ରାଦ୍ଧ କର୍ମର ମୁଖ୍ୟ କର୍ତ୍ତା ଭାବେ ମନାଯାଏ। କିନ୍ତୁ ପୁଅ କିମ୍ବା ଉପଯୁକ୍ତ ପୁରୁଷ ଉତ୍ତରାଧିକାରୀ ନଥିବା ପରିସ୍ଥିତିରେ କିଛି ପରମ୍ପରାରେ ମହିଳାମାନେ ମଧ୍ୟ ଏହି ଦାୟିତ୍ୱ ନେଇଥାନ୍ତି। କେତେକ ପରିବାରରେ ବିବାହିତା ଝିଅ ମଧ୍ୟ ନିଜ ପିତାମାତା କିମ୍ବା ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ କର୍ମ କରିଥିବା ପରମ୍ପରା ରହିଛି। ଅର୍ଥାତ୍, ଏହି ବିଷୟରେ ପରିବାରର ପରମ୍ପରା, ସମ୍ପ୍ରଦାୟ ଓ ଧାର୍ମିକ ଆଚାର ଗୁରୁତ୍ୱପୂର୍ଣ୍ଣ।

ପିତୃପକ୍ଷ ୨୦୨୬

ଏବେ ଚାଲନ୍ତୁ ଜାଣିବା ୨୦୨୬ର ପିତୃପକ୍ଷ ସମ୍ପର୍କରେ। ଭାଦ୍ରବ ଶୁକ୍ଳ ପୂର୍ଣ୍ଣିମାର ଶ୍ରାଦ୍ଧ ସେପ୍ଟେମ୍ବର ୨୬ ତାରିଖ, ଶନିବାର ପଡ଼ୁଛି। ଏହା ପରେ ସେପ୍ଟେମ୍ବର ୨୭ରୁ ଆଶ୍ୱିନ କୃଷ୍ଣ ପ୍ରତିପଦା ସହ ପିତୃପକ୍ଷର ଶ୍ରାଦ୍ଧ କର୍ମ ଆରମ୍ଭ ହେବ। ପ୍ରତିପଦାରୁ ଅମାବାସ୍ୟା ପର୍ଯ୍ୟନ୍ତ ବିଭିନ୍ନ ତିଥିରେ ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ କରାଯିବ। ଆଉ ଏହି ପବିତ୍ର ପକ୍ଷର ସମାପ୍ତି ହେବ ଅକ୍ଟୋବର ୧୦ ତାରିଖ, ଶନିବାର ସର୍ବପିତୃ ଅମାବାସ୍ୟାରେ।

ପିତୃପକ୍ଷ କେବଳ ଏକ ଧାର୍ମିକ ଅନୁଷ୍ଠାନ ନୁହେଁ... ଏହା ପୂର୍ବପୁରୁଷଙ୍କୁ ସ୍ମରଣ କରିବା, ସେମାନଙ୍କ ପ୍ରତି ଶ୍ରଦ୍ଧା ଓ କୃତଜ୍ଞତା ଜଣାଇବାର ଏକ ପରମ୍ପରା। ତେବେ ଝିଅ କିମ୍ବା ମହିଳା ଶ୍ରାଦ୍ଧ କରିପାରିବେ କି ନାହିଁ—ଏହାର ଉତ୍ତର ପରିବାର, ସମ୍ପ୍ରଦାୟ ଓ ଅଞ୍ଚଳଭିତ୍ତିକ ଧାର୍ମିକ ପରମ୍ପରା ଅନୁଯାୟୀ ଭିନ୍ନ ହୋଇପାରେ। ତେଣୁ ନିଜ ପରିବାରର ପ୍ରଚଳିତ ରୀତିନୀତି ଓ ଧାର୍ମିକ ପରାମର୍ଶ ଅନୁଯାୟୀ ଏହି କର୍ମ ସମ୍ପାଦନ କରିବା ପ୍ରଚଳିତ।