ଭୁବନେଶ୍ୱର : ଚକ୍ ଚକ୍ କରୁଛି ୫ ଶହ, ୨ ଶହ ଓ ଶହେ ଟଙ୍କିଆ । ଦେଖିବାକୁ ପୂରା ଅସଲି ଲାଗୁଥିବା ଏହି ମନୋଟ୍ ସବୁ  କିନ୍ତୁ ଏସବୁ ପୂରା ନକଲି । ଅନଲାଇନ ସାଇଟରେ ଗାଡି ବିକ୍ରି କରିବାକୁ ଯାଇ ଠକେଇରୁ ଅଳ୍ପକେ ବର୍ତ୍ତିଛନ୍ତି ଗାଡି ମାଲିକ । ଘଟଣାଟି ଘଟିଛି ବରଗଡ଼ ଜିଲ୍ଲାରେ । ପୋଲିସ ତଦନ୍ତ କରିବା ବେଳେ ୪୫ ହଜାର ଟଙ୍କାର ନକଲି ନୋଟ ଜବତ ସହ ଜଣେ ନାବାଳକଙ୍କୁ କାବୁ କରିଛି । ପଚରାଉଚରା ବେଳେ ସେ ଅନଲାଇନ ସପିଂ ସାଇଟରୁ ଏହି ନକଲି ନୋଟ ମଗେଇଥିବା ସଫେଇ ଦେଇଛି । ଯେଉଁ କଥା ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ସେପଟେ କିଂଗପିନ ପଶ୍ଚିମବଙ୍ଗରେ ରହିବା ସହ ଏସବୁର କାରବାର କରୁଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି ।

ସେପଟେ ଆଗକୁ ଦଶହରା। ପାର୍ବଣ ଋତୁରେ ଏହି ଜାଲ ନୋଟର କାରବାର ବଢିବାର ସମ୍ଭାବନା ରହିଛି । କେବଳ ରାଜ୍ୟ ନୁହେଁ, ଜାତୀୟ ସ୍ତରରେ ମଧ୍ୟ ନକଲି ନୋଟ କାରବାର ଅଧିକ ଉଦବେଗଜନକ ରହିଛି । ବର୍ଷକରେ ଜାଲ ନୋଟ୍ କାରବାର ୨ ଶହ ପ୍ରତିଶତ ବଢିଥିବା ବେଳେ ୫ଶହ ଟଙ୍କିଆ ନୋଟକୁ ବିଶେଷ ଭାବେ ନକଲ କରାଯାଇ ପାରୁଛି। ୨୦୧୬ ନୋଟବନ୍ଦୀ ପରେ ଏହି କାରବାର ବିଶେଷ ଭାବେ ବଢୁଥିବା ଦେଖାଆଯାଇଛି। ଏନସିଆରବିରେ ପ୍ରକାଶିତ ରେକର୍ଡ ଆରବିଆଇର ଚିନ୍ତା ବଢ଼ାଇଥିବା ବେଳେ ଦେଶର ସୁରକ୍ଷା ପ୍ରତି ସୃଷ୍ଟି କରିଛି ବଡ଼ ପ୍ରଶ୍ନବାଚୀ। ଏଣୁ ଏଭଳି ବିପଦକୁ ରୋକିବା ପାଇଁ ସ୍ଥଳ ଓ ଜଳପଥମାନଙ୍କରେ ଆଗାମୀ ଦିନରେ କଡା ଚେକିଂ କରାଯିବାର ଆବଶ୍ୟକତା ରହିଛି।

 Also Read- Niali paneer: ମିଳିଲା ପ୍ରମାଣ, ନିଆଳି ପନିରରେ ମିଶୁଥିଲା ଡିଟରଜେଣ୍ଟ ଓ ମଇଦା

ନକଲି ନୋଟ କେସରେ ଅଭିଯୁକ୍ତଙ୍କ ବିରୋଧରେ ଦେଶଦ୍ରୋହ ଭଳି ଦଫା ଲାଗୁଛି । କେତେକ କେସରେ ପୂର୍ବରୁ NIA ର ସହଯୋଗ ମଧ୍ୟ ନିଆଯାଇଛି । ତଥାପି ମାଷ୍ଟରମାଇଣ୍ଡ ପାଖରେ ନପହଂଚିବାରୁ ବଢୁଛି ମୁଣ୍ଡବିନ୍ଧା।