ଭୁବନେଶ୍ୱର : ସାଧାରଣତଃ ମୁଣ୍ଡ ଟିକେ ବିନ୍ଧିଲା ମାତ୍ରକେ କିଛି ଲୋକ ଔଷଧ ଆଣି ଖାଇ ଦିଅନ୍ତି ଆଉ ମୁଣ୍ଡ ବିନ୍ଧା ଠିକ୍ ହୋଇଯାଏ । କିନ୍ତୁ ଯଦି ଏହି ମୁଣ୍ଡବିନ୍ଧା ବାରମ୍ବାର ହେଉଛି, ତେବେ ଏହାକୁ ସବୁବେଳେ ସାଧାରଣ ବୋଲି ଭାବିବା ଠିକ୍ ନୁହେଁ। ଷ୍ଟ୍ରେସ୍, ନିଦ ଅଭାବ, ଡିହାଇଡ୍ରେସନ୍ ଠାରୁ ଆରମ୍ଭ କରି ମାଇଗ୍ରେନ୍ କିମ୍ବା ଅନ୍ୟାନ୍ୟ କାରଣରୁ ମଧ୍ୟ ବାରମ୍ବାର ମୁଣ୍ଡବିନ୍ଧା ହୋଇପାରେ। ଆଉ କେତେକ ସ୍ଥିତିରେ ମୁଣ୍ଡବିନ୍ଧା ଗୁରୁତର ସମସ୍ୟାର ସଙ୍କେତ ମଧ୍ୟ ହୋଇପାରେ। ଆଜିକାଲି ଅନେକ ଲୋକ ମୁଣ୍ଡବିନ୍ଧା ହେଲେ ତୁରନ୍ତ ପେନକିଲର୍ ଖାଇ ନେଉଛନ୍ତି। କିନ୍ତୁ ବାରମ୍ବାର ମୁଣ୍ଡବିନ୍ଧା ହେଉଥିଲେ କେବଳ ଔଷଧ ଖାଇ ସମସ୍ୟାକୁ ଦବାଇ ରଖିବା ଠିକ୍ ନୁହେଁ।

ମୁଣ୍ଡବିନ୍ଧାର ସାଧାରଣ କାରଣ ମଧ୍ୟରେ ଷ୍ଟ୍ରେସ୍, ନିଦ ଠିକ୍ ନହେବା, ଅଧିକ ସମୟ ସ୍କ୍ରିନ୍ ଦେଖିବା, ଆଖିର ସମସ୍ୟା, ଡିହାଇଡ୍ରେସନ୍, ଠିକ୍ ସମୟରେ ନ ଖାଇବା ରହିଛି । ଖାଲି ଏତିକି ନୁହେଁ ମୁଣ୍ଡବିନ୍ଧାର ଆଉ ଏକ ବଡ଼ କାରଣ ହେଉଛି ମାଇଗ୍ରେନ୍। ମାଇଗ୍ରେନ୍ରେ ସାଧାରଣତଃ ମୁଣ୍ଡର ଗୋଟିଏ ପାର୍ଶ୍ୱରେ ଯନ୍ତ୍ରଣା ହୋଇପାରେ। ଏହା ସହ ବାନ୍ତି, ବାନ୍ତି ଲାଗିବା ଏବଂ ଆଲୋକ କିମ୍ବା ଶବ୍ଦ ପ୍ରତି ସମ୍ବେଦନଶୀଳତା ମଧ୍ୟ ଦେଖାଯାଇପାରେ। ଆଉ ଗୋଟିଏ କାରଣ ହେଉଛି ଟେନସନ୍ ହେଡେକ୍। ଅଧିକ ମାନସିକ ଚାପ, ଥକାପଣ ଓ ଦୈନନ୍ଦିନ ଷ୍ଟ୍ରେସ୍ ସହ ଏହାର ସମ୍ପର୍କ ରହିପାରେ। କିନ୍ତୁ ସବୁଠାରୁ ଜରୁରୀ କଥା ବାରମ୍ବାର ମୁଣ୍ଡବିନ୍ଧା ହେଉଥିଲେ ନିଜେ ନିଜେ କାରଣ ନିର୍ଣ୍ଣୟ କରିବା ଉଚିତ୍ ନୁହେଁ। ସପ୍ତାହରେ ଦୁଇଥର କିମ୍ବା ତା'ଠାରୁ ଅଧିକ ମୁଣ୍ଡବିନ୍ଧା ହେଉଥିଲେ କିମ୍ବା ମୁଣ୍ଡବିନ୍ଧାର ପ୍ୟାଟର୍ନ ବଦଳିଯାଇଥିଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍। ଆଉ ଗୋଟିଏ ଜରୁରୀ କଥା, ମୁଣ୍ଡବିନ୍ଧା ପାଇଁ ବାରମ୍ବାର ପେନକିଲର୍ ଖାଇବା ମଧ୍ୟ ସମସ୍ୟା ବଢ଼ାଇପାରେ। ଅଧିକ ପେନକିଲର୍ ବ୍ୟବହାରରୁ 'ମେଡିକେସନ୍-ଓଭରୟୁଜ୍ ହେଡେକ୍', ଅର୍ଥାତ୍ ଔଷଧ ଯୋଗୁଁ ପୁଣିପୁଣି ମୁଣ୍ଡବିନ୍ଧା ହୋଇପାରେ।

ତେବେ କେଉଁ ମୁଣ୍ଡବିନ୍ଧାକୁ ଗୁରୁତର ଭାବେ ନେବେ ? ଯଦି ହଠାତ୍ ଅତ୍ୟନ୍ତ ଭୟଙ୍କର ମୁଣ୍ଡବିନ୍ଧା ହୁଏ, କିମ୍ବା ଏହା ସହ ହାତ-ଗୋଡ଼ରେ ଦୁର୍ବଳତା ବା ଅସାରତା, କଥା କହିବାରେ ସମସ୍ୟା, ଦୃଷ୍ଟି ଧୁଆଁଳିଆ ହେବା, ଅଚେତ ହେବା, ଜ୍ୱର ଓ ବେକ ଶକ୍ତ ହୋଇଯିବା ଭଳି ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ ଜରୁରୀ ଚିକିତ୍ସା ନେବା ଆବଶ୍ୟକ। ତେଣୁ ମୁଣ୍ଡବିନ୍ଧାକୁ ସବୁବେଳେ ସାଧାରଣ ଭାବି ଅଣଦେଖା କରନ୍ତୁ ନାହିଁ। ପର୍ଯ୍ୟାପ୍ତ ପାଣି ପିଅନ୍ତୁ, ନିୟମିତ ଖାଦ୍ୟ ଖାଆନ୍ତୁ, ନିଦ ଠିକ୍ ରଖନ୍ତୁ ଏବଂ ମୁଣ୍ଡବିନ୍ଧା ବାରମ୍ବାର ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।