ଭୁବନେଶ୍ୱର : ଆଜିକାଲି କ୍ରିକେଟ୍ ଖେଳୁଥିବା ସମୟରେ, ଦୌଡ଼ୁଥିବା ବେଳେ ବା ଜିମରେ ଭାରି ବ୍ୟାୟାମ କରୁଥିବା ସମୟରେ ହଠାତ୍ ଯୁବକମାନେ ଟଳି ପଡ଼ୁଥିବା ଏବଂ ମୃତ୍ୟୁବରଣ କରୁଥିବା ଖବର ସାମ୍ନାକୁ ଆସୁଛି । ବାହାରୁ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ଫିଟ୍ ଦେଖାଯାଉଥିବା ବ୍ୟକ୍ତିଙ୍କର ଏଭଳି ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ଚକିତ ଓ ଚିନ୍ତିତ କରିଛି । ଚିକିତ୍ସା ବିଜ୍ଞାନ ଏବଂ ହୃଦରୋଗ ବିଶେଷଜ୍ଞଙ୍କ ଅନୁସାରେ, ଏହାର ପଛରେ କେତେକ ଗୁରୁତ୍ୱପୂର୍ଣ୍ଣ ଶାରୀରିକ ଏବଂ ଜୈବିକ କାରଣ ରହିଛି । ସେଗୁଡିକ ହେଲା :-

୧. ହୃଦୟ ଉପରେ ଅତ୍ୟଧିକ ଚାପ : ଯେତେବେଳେ ଜଣେ ବ୍ୟକ୍ତି ହଠାତ୍ କ୍ରିକେଟରେ ଜୋରଦାର ଦୌଡ଼ନ୍ତି ବା ଜିମରେ ଭାରି ଓଜନ ଉଠାନ୍ତି, ସେତେବେଳେ ଶରୀରରେ ଅମ୍ଳଜାନର ଆବଶ୍ୟକତା ଅନେକ ଗୁଣ ବଢ଼ିଯାଏ । ଏହି ଆବଶ୍ୟକତା ପୂରଣ କରିବା ପାଇଁ ହୃଦସ୍ପନ୍ଦନ ଏବଂ ରକ୍ତଚାପ ହଠାତ୍ ବହୁତ ବଢ଼ିଯାଏ । ଯଦି ହୃଦୟ ଏହି ପ୍ରେସର ବା ଚାପ ସହିବାକୁ ପ୍ରସ୍ତୁତ ନଥାଏ, ତେବେ ହଠାତ୍ 'କାର୍ଡିଆକ୍ ଆରେଷ୍ଟ' ଅର୍ଥାତ ହାର୍ଟ କାମ କରିବା ବନ୍ଦ ହୋଇଯିବାର ସମ୍ଭାବନା ଥାଏ ।

୨. ଲୁଚି ରହିଥିବା ରୋଗ ବା ହାଇପରଟ୍ରୋଫିକ୍ କାର୍ଡିଓମାୟୋପାଥି : ଅନେକ ଯୁବକଙ୍କ କ୍ଷେତ୍ରରେ ଜନ୍ମଗତ ବା ଜେନେଟିକ୍ ସମସ୍ୟା ଯୋଗୁଁ ହୃଦୟର ମାଂସପେଶୀ ମୋଟା ହୋଇଥାଏ, ଯାହାକୁ 'ହାଇପରଟ୍ରୋଫିକ୍ କାର୍ଡିଓମାୟୋପାଥି' କୁହାଯାଏ । ସାଧାରଣ ସମୟରେ ଏହାର କୌଣସି ଲକ୍ଷଣ ଜଣାପଡ଼େ ନାହିଁ । କିନ୍ତୁ ଅତ୍ୟଧିକ ଶାରୀରିକ ପରିଶ୍ରମ କଲେ ହୃଦୟର ବିଦ୍ୟୁତ୍ ସଂଚାଳନ ବ୍ୟବସ୍ଥା ବିଗିଡ଼ିଯାଏ, ଯାହା ଫଳରେ 'ଭେଣ୍ଟ୍ରିକୁଲାର ଫିବ୍ରିଲେସନ' ହୋଇ ମୃତ୍ୟୁ ଘଟିଥାଏ ।

୩. ଅଜାଣତରେ ଶିରାପ୍ରଶିରାରେ ବ୍ଲକେଜ୍ : ବାହାରକୁ 'ସିକ୍ସ ପ୍ୟାକ୍ ଆବ୍ସ' ବା ଫିଟ୍ ବଡି ଥିବା ବ୍ୟକ୍ତିଙ୍କ ରକ୍ତନଳୀ ଭିତରେ ମଧ୍ୟ କୋଲେଷ୍ଟ୍ରଲ ଜମା ହୋଇ ରହିଥାଏ । ଖରାପ ଜୀବନଶୈଳୀ, ମାନସିକ ଚାପ କିମ୍ବା ବଂଶଗତ କାରଣରୁ ଏହା ହୋଇପାରେ । ଜିମରେ ଅତ୍ୟଧିକ ୱର୍କଆଉଟ୍ କଲାବେଳେ ହଠାତ୍ ଏହି ଜମାଟ ବାନ୍ଧିଥିବା ପ୍ଲାକ୍ ଫାଟିଯାଏ ଓ ରକ୍ତ ଜମାଟ ବାନ୍ଧି ହୃଦୟକୁ ରକ୍ତ ସଞ୍ଚାଳନ ସମ୍ପୂର୍ଣ୍ଣ ବନ୍ଦ କରିଦିଏ ।

୪. ଶରୀରକୁ ସମୟ ନ ଦେଇ ହଠାତ୍ ଭାରି ବ୍ୟାୟାମ କରିବା : ଯେଉଁମାନେ ଦୀର୍ଘ ଦିନ ଧରି କୌଣସି ବ୍ୟାୟାମ କରନ୍ତି ନାହିଁ ଏବଂ ହଠାତ୍ ଦିନେ କ୍ରିକେଟ୍ ମ୍ୟାଚରେ ବହୁତ ପରିଶ୍ରମ କରନ୍ତି ବା ଜିମରେ ଭାରି ବ୍ୟାୟାମ ଆରମ୍ଭ କରନ୍ତି, ସେମାନଙ୍କ ଶରୀର ଏହି ହଠାତ୍ ଚାପ ଗ୍ରହଣ କରିପାରେନାହିଁ । ୱାର୍ମ-ଅପ୍ ନକରି ସିଧାସଳଖ ହାଇ-ଇଣ୍ଟେନସିଟି ବ୍ୟାୟାମ କରିବା ବିପଜ୍ଜନକ ।

୫. ଷ୍ଟିରଏଡ୍, ସପ୍ଲିମେଣ୍ଟ ଏବଂ ଖରାପ ଅଭ୍ୟାସ : ଅଳ୍ପ ଦିନରେ ବଡି ବନାଇବା ଚକ୍କରରେ ଅନେକ ଯୁବକ ନାନା ପ୍ରକାର ଷ୍ଟିରଏଡ୍ ବା ଅତ୍ୟଧିକ କାଫେନ୍ ଯୁକ୍ତ ପ୍ରି-ୱର୍କଆଉଟ୍ ସପ୍ଲିମେଣ୍ଟ ନିଅନ୍ତି । ଏହା ସହିତ ସିଗାରେଟ ନେବା ଦ୍ୱାରା ରକ୍ତନଳୀ ସଂକୁଚିତ ହୋଇଯାଏ, ଯାହା ହାର୍ଟ ଆଟାକର କାରଣ ସାଜେ ।

ଶରୀରର ଏହି ସଙ୍କେତଗୁଡ଼ିକୁ କଦାପି ଅଣଦେଖା କରନ୍ତୁ ନାହିଁ ଖେଳିବା ବା ବ୍ୟାୟାମ ସମୟରେ ଛାତିରେ ଯନ୍ତ୍ରଣା, ଭାରିପଣ ବା ଚାପ ଅନୁଭବ ହେବା ।ଅତ୍ୟଧିକ କ୍ଲାନ୍ତ ଲାଗିବା କିମ୍ବା ଅସ୍ବାଭାବିକ ଭାବେ ଝାଳ ବାହାରିବା । ହଠାତ୍ ମୁଣ୍ଡ ବୁଲାଇବା କିମ୍ବା ଆଖି ଆଗରେ ଅନ୍ଧାର ହୋଇଯିବା । ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ହେବା କିମ୍ବା ହୃଦସ୍ପନ୍ଦନ ବହୁତ ଅନିୟମିତ ହେବା । ବ୍ୟାୟାମ କରିବା ବା ଖେଳିବା ଶରୀର ପାଇଁ ବହୁତ ଭଲ, କିନ୍ତୁ ଏହାକୁ ସଠିକ୍ ଉପାୟରେ କରିବା ଉଚିତ୍ । ଜିମ୍ ଜଏନ କରିବା ପୂର୍ବରୁ କିମ୍ବା କୌଣସି ବଡ଼ ଖେଳରେ ଭାଗ ନେବା ପୂର୍ବରୁ ନିଜର ଏକ ସାଧାରଣ ହାର୍ଟ ଚେକଅପ୍ କରାଇ ନେବା ଆବଶ୍ୟକ । ଅନ୍ୟମାନଙ୍କୁ ଦେଖି ହଠାତ୍ ଅତ୍ୟଧିକ ପରିଶ୍ରମ ନକରି, ଧୀରେ ଧୀରେ ନିଜ ଶରୀରର କ୍ଷମତା ଅନୁସାରେ ବ୍ୟାୟାମ ବଢ଼ାଇବା ଉଚିତ୍ ।