ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ ପୁଣି ସାମ୍ନାକୁ ଆସିଲା ଲଜ୍ଜା ଜନକ ଘଟଣା । ଘରୋଇ ହଷ୍ଟେଲରେ ରହି ପାଠ ପଢୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ହଷ୍ଟେଲ ମାଲିକ ଦୁଷ୍କର୍ମ କରିଥିବା ପରିବାର ପକ୍ଷରୁ ବାଲିଗୁଡ଼ା ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି । ଅଭିଯୋଗ ଆଧାରରେ ବାଲିଗୁଡ଼ା ଥାନା ପୋଲିସ୍ ଏକ ମାମଲା ରୁଜୁ କରି ଅଭିଯୁକ୍ତ ହଷ୍ଟେଲ ମାଲିକ ତଥା ମିଶନାରୀ ପାଷ୍ଟରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନା ଅନୁଯାୟୀ, ପୀଡ଼ିତା ଛାତ୍ରୀ ଜଣକ ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଦେକେତା ଗ୍ରାମରେ ଥିବା ପାଷ୍ଟର ରାଜନ ଦିଗାଳଙ୍କ ଘରୋଇ ହଷ୍ଟେଲ ରହି ପାଠ ପଢ଼ୁଥିଲେ । ତେବେ ଦୁଇ ଦିନ ତଳେ ଛାତ୍ରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ହଷ୍ଟେଲ ମାଲିକଙ୍କୁ ଜଣାଇବା ସହ ଚିକିତ୍ସା ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଯିବାକୁ କହିଥିଲେ । ଡାକ୍ତରଖାନା ନେବାବେଳେ ହଷ୍ଟେଲ ମାଲିକ ତଥା ମିଶନାରୀ ପାଷ୍ଟର ରାଜନ ଦିଗାଳ ଛାତ୍ରୀଙ୍କୁ ଏକ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିବା ପରିବାର ଲୋକଙ୍କୁ ଜଣାଇଥିଲେ ପୀଡ଼ିତା।

ତେବେ ପୀଡ଼ିତାଙ୍କ କଥା ଶୁଣିବା ପରେ ତାଙ୍କ ଭାଇ ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ବାଲିଗୁଡ଼ା ପୋଲିସ୍ ଏକ ମାମଲା ରୁଜୁ କରି ଅଭିଯୁକ୍ତ ହଷ୍ଟେଲ ମାଲିକଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖି ତଦନ୍ତ ଚଳାଇ ଥିଲା।

Also Read: ବାଲେଶ୍ୱରରୁ ୨୫୬ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ, କାର୍ ଜବତ ସହ ୩ ଜଣକୁ ଗିରଫ କଲା ପୋଲିସ

ସେପଟେ ପୀଡ଼ିତାଙ୍କ ବୟାନ୍ ରେକର୍ଡ ହୋଇଥିବା ନେଇ ପୋଲିସ୍ ପକ୍ଷରୁ ସୂଚନା ମିଳିଛି l ହଷ୍ଟେଲ ମାଲିକ ତଥା ପାଷ୍ଟରଙ୍କ ଏହିଭଳି ଅମାନବୀୟ ଘୃଣ୍ୟ କାଣ୍ଡକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି । ଅନ୍ୟପଟେ ସମ୍ପୃକ୍ତ ହଷ୍ଟେଲଟି ଗତ କିଛି ବର୍ଷ ହେବ ବେଆଇନ୍ ଭାବେ ଚାଲିଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି । ଘଟଣା ପରେ ହଷ୍ଟେଲରେ ରହୁଥିବା ୩୫ ଜଣ ଛାତ୍ରଛାତ୍ରୀ ନିଜ ନିଜ ଘରକୁ ପଳାଇଛନ୍ତି । ଗ୍ରାମାଞ୍ଚଳରୁ ଆସି ହଷ୍ଟେଲରେ ରହି ବାଦେକେତା ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଠ ପଢ଼ିବାକୁ ନେଇ ଏବେ ଅଭିଭାବକମାନେ ଚିନ୍ତା ପ୍ରକଟ କରିଛନ୍ତି ।