ଭୁବନେଶ୍ୱର: ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ଖରାପ ଖାଦ୍ୟପେୟ ଯୋଗୁଁ ଅଧିକାଂଶ ଲୋକ କୌଣସି ନା କୌଣସି ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ, ଯଦି ଆପଣ ନିଜକୁ ସୁସ୍ଥ ଏବଂ ଶକ୍ତିଶାଳୀ ରଖିବାକୁ ଚାହୁଁଛନ୍ତି, ତେବେ ସକାଳର ଜଳଖିଆରେ ଏକ ଦେଶୀ ଖାଇବା ଡାଏଟ ସାମିଲ କରିପାରିବେ। ତାହା ହେଉଛି ‘ଭିଜା କଳା ବୁଟ’। ରାତିରେ ମୁଠାଏ କଳା ବୁଟକୁ ପାଣିରେ ଭିଜାଇ ସକାଳେ ଖାଲି ପେଟରେ ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଆସନ୍ତୁ ଜାଣିବା ପ୍ରତିଦିନ ଭିଜା ବୁଟ ଖାଇବା ଦ୍ୱାରା ଶରୀରରେ କି ପରିବର୍ତ୍ତନ ଆସିଥାଏ 

ପୋଷକ ତତ୍ତ୍ୱରେ ଭରପୁର : କଳା ବୁଟରେ ପ୍ରଚୁର ପରିମାଣରେ ପ୍ରୋଟିନ୍, ଫାଇବର, ଆଇରନ୍, କ୍ୟାଲସିୟମ୍, ଫୋଲେଟ୍ ଏବଂ ଭିଟାମିନ୍ ଭଳି ଜରୁରୀ ପୋଷକ ତତ୍ତ୍ୱ ରହିଥାଏ। ରାତିସାରା ଏହାକୁ ଭିଜାଇବା ଦ୍ୱାରା ଏହାର ପୋଷକ ଗୁଣ ଆହୁରି ବୃଦ୍ଧି ପାଇଥାଏ, ଯାହା ଶରୀର ଦ୍ୱାରା ସହଜରେ ହଜମ ହୋଇପାରେ।

ହଜମ ପ୍ରକ୍ରିୟା ହେବ ସୁଦୃଢ଼ : ଯଦି ଆପଣ କୋଷ୍ଠକାଠିନ୍ୟ କିମ୍ବା ଗ୍ୟାସ ସମସ୍ୟାରେ ଗତି କରୁଛନ୍ତି, ତେବେ ଭିଜା ବୁଟ ଆପଣଙ୍କ ପାଇଁ ଏକ ଉତ୍ତମ ଔଷଧ। ଏଥିରେ ଥିବା ଦ୍ରବଣୀୟ ଫାଇବର ହଜମ ପ୍ରକ୍ରିୟାକୁ ଉନ୍ନତ କରିବା ସହ ପେଟ ସଫା ରଖିବାରେ ସାହାଯ୍ୟ କରେ।

ଓଜନ ନିୟନ୍ତ୍ରଣ କରିବାରେ ସହାୟକ : ଭିଜା ବୁଟରେ ଅଧିକ ପ୍ରୋଟିନ୍ ଏବଂ ଫାଇବର ଥିବା ବେଳେ କ୍ୟାଲୋରୀ ମାତ୍ରା କମ୍ ଥାଏ। ସକାଳେ ଏହାକୁ ଖାଇବା ଦ୍ୱାରା ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ଭର୍ତ୍ତି ରହିଥାଏ। ଫଳରେ ବାରମ୍ବାର ଭୋକ ଲାଗେ ନାହିଁ ଏବଂ ଓଜନ ହ୍ରାସ କରିବାରେ ସହଜ ହୁଏ।

ରକ୍ତହୀନତା ଦୂର କରେ : ଶରୀରରେ ଆଇରନ୍ର ଅଭାବ ଯୋଗୁଁ ରକ୍ତହୀନତା ସମସ୍ୟା ଦେଖାଯାଏ। କଳା ବୁଟରେ ଭରପୂର ଆଇରନ୍ ଥାଏ, ଯାହା ଶରୀରରେ ହିମୋଗ୍ଲୋବିନ୍ ସ୍ତର ବଢ଼ାଇବାରେ ସାହାଯ୍ୟ କରିଥାଏ। ମହିଳାମାନଙ୍କ ପାଇଁ ଏହାର ସେବନ ବିଶେଷ ଲାଭଦାୟକ।

ଡାଇବେଟିସ୍ ନିୟନ୍ତ୍ରଣ : ଡାଇବେଟିସ୍ ରୋଗୀଙ୍କ ପାଇଁ ଭିଜା ବୁଟ ଖାଇବା ଅତ୍ୟନ୍ତ ଉପକାରୀ। ଏଥିରେ ଥିବା କାର୍ବୋହାଇଡ୍ରେଟ୍ ଧୀରେ ଧୀରେ ହଜମ ହୋଇଥାଏ, ଯାହା ଦ୍ୱାରା ରକ୍ତରେ ହଠାତ୍ ସୁଗାରର ମାତ୍ରା ବଢ଼ି ନଥାଏ ଏବଂ ଇନସୁଲିନ୍ ସ୍ତର ସନ୍ତୁଳିତ ରହେ।

ଶାରୀରିକ ଶକ୍ତି ଓ ମାଂସପେଶୀ ଗଠନ : ଜିମ୍ ଯାଉଥିବା କିମ୍ବା ଶାରୀରିକ ପରିଶ୍ରମ କରୁଥିବା ଲୋକଙ୍କ ପାଇଁ ଏହା ଏକ ପ୍ରାକୃତିକ ପ୍ରୋଟିନ୍ ସପ୍ଲିମେଣ୍ଟ। ଏହା ମାଂସପେଶୀକୁ ମଜବୁତ କରିବା ସହ ଦିନସାରା ଶରୀରକୁ ଫୁର୍ତ୍ତି ଓ ଶକ୍ତି ଯୋଗାଇଥାଏ ।ତେବେ କଳା ବୁଟକୁ ଭଲଭାବେ ଧୋଇ ରାତିସାରା ପାଣିରେ ଭିଜାଇ ରଖନ୍ତୁ। ସକାଳେ ଉଠି ଖାଲି ପେଟରେ ଏହାକୁ ଭଲ ଭାବରେ ଚୋବାଇ ଚୋବାଇ ଖାଆନ୍ତୁ। ଅଧିକ ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟକର କରିବା ପାଇଁ ଆପଣ ଏଥିରେ ସାମାନ୍ୟ ଗୁଡ଼, ଲୁଣ, ଲେମ୍ବୁ ରସ କିମ୍ବା ଗଜା ମୁଗ ମଧ୍ୟ ମିଶାଇ ପାରିବେ। ସ୍ୱାସ୍ଥ୍ୟ ପ୍ରତି ଏହା ଯେତେ ଲାଭଦାୟକ ହେଲେ ମଧ୍ୟ, ଯଦି ଆପଣଙ୍କର ପେଟଜନିତ କୌଣସି ଗମ୍ଭୀର ସମସ୍ୟା ଅଛି, ତେବେ ଡାକ୍ତର କିମ୍ବା ବିଶେଷଜ୍ଞଙ୍କ ସହ ପରାମର୍ଶ କରି ଏହାକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ