କୋଲକାତା : ପଶ୍ଚିମବଙ୍ଗର ଜଲପାଇଗୁଡ଼ି ଜିଲ୍ଲାର ତୀସ୍ତା ନଦୀରେ ଘଟିଥିବା ଏକ ହୃଦୟସ୍ପର୍ଶୀ ଘଟଣା ଏବେ ଚର୍ଚ୍ଚାରେ। ପ୍ରବଳ ଜଳସ୍ରୋତରେ ଭାସିଯାଉଥିବା ଏକ ହାତୀ ଛୁଆକୁ ମତ୍ସ୍ୟଜୀବୀମାନେ ନିଜ ଜୀବନକୁ ବିପଦରେ ପକାଇ ଉଦ୍ଧାର କରିଛନ୍ତି। ପରେ ବନ ବିଭାଗର ସହଯୋଗରେ ଛୁଆଟିକୁ ତା’ର ମା’ ସହ ପୁଣି ମିଳାଇ ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ସେପ୍ଟେମ୍ବର ୨୧ ତାରିଖ ସକାଳ ପ୍ରାୟ ୮ଟା ୩୦ ସମୟରେ ଗଜଲଡୋବା ଅଞ୍ଚଳ ନିକଟରେ ଏକ ହାତୀ ପଲ ତୀସ୍ତା ନଦୀ ପାର ହେଉଥିଲେ। ଏହି ସମୟରେ ଏକ ଛୋଟ ହାତୀ ଛୁଆ ମା’ଠାରୁ ଅଲଗା ହୋଇ ପ୍ରବଳ ସ୍ରୋତରେ ଭାସିଯାଇଥିଲା। ଛୁଆଟି ନଦୀରେ ନିଜକୁ ଭାସାଇ ରଖିବାକୁ ସଂଘର୍ଷ କରୁଥିବା ବେଳେ କେବଳ ତା’ର ଶୁଣ୍ଢ ଦେଖାଯାଉଥିଲା।

ପ୍ରାୟ ୩-୪ କିଲୋମିଟର ପିଛା କରି ହାତୀ ଛୁଆଟିକୁ ଉଦ୍ଧାର କରିଥିଲେ ମତ୍ସ୍ୟଜୀବୀମାନେ । ଛୁଆଟିକୁ ନଦୀରେ ଭାସୁଥିବା ଦେଖି ମତ୍ସ୍ୟଜୀବୀମାନେ ତୁରନ୍ତ ନିଜ ଡଙ୍ଗା ନେଇ ତା’ ପଛରେ ଯାଇଥିଲେ। ପ୍ରବଳ ସ୍ରୋତ ମଧ୍ୟରେ ପ୍ରାୟ ୩ରୁ ୪ କିଲୋମିଟର ପର୍ଯ୍ୟନ୍ତ ପିଛା କରିବା ପରେ ସେମାନେ ଛୁଆଟି ନିକଟରେ ପହଞ୍ଚିଥିଲେ। ପରେ ତାକୁ ସୁରକ୍ଷିତ ଭାବେ ଡଙ୍ଗାକୁ ଉଠାଇ ନଦୀକୂଳକୁ ଆଣିଥିଲେ। ଉଦ୍ଧାର ପରେ ଛୁଆଟିକୁ ବନ ବିଭାଗର କର୍ମଚାରୀଙ୍କ ହାତରେ ଦିଆଯାଇଥିଲା। ତା’ର ସ୍ୱାସ୍ଥ୍ୟ ପରୀକ୍ଷା ଓ ଆବଶ୍ୟକ ଯତ୍ନ ନିଆଯାଇଥିଲା।

ଉଦ୍ଧାର ପରେ ବନ ବିଭାଗ ଟିମ୍ ମା’ ହାତୀ ଓ ଅନ୍ୟ ହାତୀମାନଙ୍କୁ ଖୋଜିବା ଆରମ୍ଭ କରିଥିଲେ। ଦୀର୍ଘ ଚେଷ୍ଟା ପରେ ଛୁଆଟିକୁ ତା’ର ମା’ ନିକଟକୁ ନିଆଯାଇଥିଲା। ମା’ ହାତୀ ଛୁଆଟି ନିକଟକୁ ଆସିବା ପରେ ଦୁହିଁଙ୍କର ଭାବପ୍ରବଣ ମିଳନ ହୋଇଥିଲା। ପରେ ଛୁଆଟି ମା’ ସହ ଜଙ୍ଗଲକୁ ଫେରିଥିବା ଜଣାପଡ଼ିଛି। ମତ୍ସ୍ୟଜୀବୀଙ୍କ ସାହସ ଓ ବନ ବିଭାଗର ତତ୍ପରତା ଯୋଗୁଁ ଏକ ନବଜାତ ହାତୀର ଜୀବନ ବଞ୍ଚିବା ସହ ମା’ଠାରୁ ବିଚ୍ଛିନ୍ନ ହୋଇଥିବା ଛୁଆଟି ପୁଣି ନିଜ ପରିବାରକୁ ଫେରିପାରିଛି। ଏହି ଉଦ୍ଧାର ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବା ପରେ ଲୋକଙ୍କ ମନ ଜିତୁଛି ।

Watch Video:-