ନୂଆଦିଲ୍ଲୀ ୨୩।୦୯; ଗାଡ଼ି ଆପଣଙ୍କର, ଟଙ୍କା ଆପଣଙ୍କର… ହେଲେ ରଙ୍ଗ ବାଛିବେ ସରକାର! ଏମିତି ଏକ ଦେଶ ଅଛି, ଯେଉଁଠି ଗାଡ଼ିର ରଙ୍ଗକୁ ନେଇ ରହିଛି କଡ଼ା ନିୟମ। ଆଉ ଏହି ଦେଶ ହେଉଛି ମଧ୍ୟ ଏସିଆର ତୁର୍କମେନିସ୍ତାନ। ତୁର୍କମେନିସ୍ତାନର ରାଜଧାନୀ ଆଶଗାବାଟରେ ଗାଡ଼ିର ରଙ୍ଗ ବେଶ୍ ଗୁରୁତ୍ୱପୂର୍ଣ୍ଣ! ଏଠାରେ ବର୍ଷ ବର୍ଷ ଧରି କଳା ଗାଡ଼ିକୁ ନେଇ କଟକଣା ରହିଆସିଛି ।

ତୁର୍କମେନିସ୍ତାନ କଠୋର ଏବଂ ଅସାଧାରଣ ନିୟମ ପାଇଁ ଜଣାଶୁଣା । କିନ୍ତୁ ଦେଶର ସବୁଠାରୁ କଠୋର ପ୍ରତିବନ୍ଧକଗୁଡ଼ିକ ମଧ୍ୟରୁ ଗୋଟିଏ ହେଲା ଗାଡ଼ିର ରଙ୍ଗକୁ ନେଇ କଟକଣା । କଳା ଗାଡ଼ିକୁ ନେଇ ରାଜଧାନୀ ଆଶଗାବାଟରେ ପ୍ରତିବନ୍ଧକ ଲାଗିଛି । ସେଠାକାର କର୍ତ୍ତୃପକ୍ଷ ଧଳା ଏବଂ ଅନ୍ୟାନ୍ୟ ହାଲୁକା ରଙ୍ଗର ଯାନବାହନ ଉପରେ ଜୋର ଦେଇଛନ୍ତି । ଏହି ଅସାଧାରଣ ନିୟମ ପୂର୍ବତନ ରାଷ୍ଟ୍ରପତିଙ୍କ ସହ ଜଡିତ, ଯିଏପୂର୍ବତନ ରାଷ୍ଟ୍ରପତି ଧଳା ରଙ୍ଗକୁ ଶୁଭ ଓ ପବିତ୍ରତାର ପ୍ରତୀକ ଭାବେ ଦେଖୁଥିଲେ। ଯେତେବେଳେ କଳା ରଙ୍ଗକୁ ଦେଖୁଥିଲେ ଦୁର୍ଭାଗ୍ୟ ସହ ଯୋଡୁଥିଲେ।

କଳା ଯାନବାହନକୁ ଅଶୁଭ କାହିଁକି ମାନନ୍ତି?

ଏଠାକାର ପୁର୍ବ ରାଷ୍ଟ୍ରପତିଙ୍କୁ ଧଳା ରଙ୍ଗ ପସନ୍ଦ, ତେଣୁ କଳା ରଙ୍ଗ ଯାନବାହାନ ପ୍ରତି ପ୍ରତିବନ୍ଧକ ଲାଗିଛି । ରିପୋର୍ଟ ଅନୁସାରେ, ପୂର୍ବତନ ରାଷ୍ଟ୍ରପତି ବିଶ୍ୱାସ କରୁଥିଲେ ଯେ, ଧଳା ରଙ୍ଗ ପବିତ୍ରତା ଏବଂ ସୌଭାଗ୍ୟ ଆଣିଥାଏ । କିନ୍ତୁ କଳା ରଙ୍ଗ ଦୁର୍ଭାଗ୍ୟ ସହିତ ଜଡିତ । ଏହି ବିଶ୍ୱାସ ଆଶଗାବାଟରେ ଧଳା ଏବଂ ଅନ୍ୟାନ୍ୟ ଉଜ୍ଜ୍ୱଳ ରଙ୍ଗର ଯାନବାହନ ପସନ୍ଦ କରୁଥିବା ଅଧିକାରୀମାନଙ୍କୁ ପ୍ରଭାବିତ କରିଥିଲା । ଏହି କାରଣରୁ ରାଜଧାନୀରେ କଳା ଯାନବାହନ ରଖିବା ଏବଂ ବ୍ୟବହାର କରିବା ଧୀରେ ଧୀରେ କମିବାକୁ ଲାଗିଲା ।

ଯାନବାହନ ନିଷେଧ କିପରି ଆରମ୍ଭ ହେଲା?

ଏହି ନିଷେଧ ଅନେକ ବର୍ଷ ଧରି ଚାଲି ଆସୁଛି । ୨୦୧୫ ମସିହାରେ, ସରକାର କଳା ଯାନବାହନ ଆମଦାନୀ ଉପରେ ନିଷେଧ ଘୋଷଣା କରିଥିଲେ । ଯାହା ଫଳରେ ଦେଶକୁ ଏପରି ଯାନବାହନ ଆଣିବା କଷ୍ଟକର ହୋଇଯାଇଥିଲା । ୨୦୧୮ରେ ରଙ୍ଗ ଉପରେ ପ୍ରତିବନ୍ଧକ ଉଲ୍ଲଂଘନ କରୁଥିବା ଯାନବାହନ ମାଲିକଙ୍କ ବିରୁଦ୍ଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇପାରିବା ଭଳି ନିୟମ ଆସିଲା । ଫଳରେ କଳା ଯାନବାହନର ମାଲିକମାନେ ସେମାନଙ୍କର ଯାନଗୁଡ଼ିକୁ ଫେରାଇବା କିମ୍ବା ପୁନଃ ରଙ୍ଗ କରିବାକୁ ବାଧ୍ୟ ହୋଇଥିଲେ ।

କଳା ଗାଡ଼ି ମାଲିକଙ୍କ ସହିତ କ’ଣ ହୁଏ?

ଯେଉଁମାନଙ୍କ ପୂର୍ବରୁ କଳା ଗାଡ଼ି ଥିଲା ସେମାନେ ଗାଡିର ରଙ୍ଗ ପରିବର୍ତ୍ତନ କରିବାକୁ ବାଧ୍ୟ । ପରିସ୍ଥିତି ଦେଖି ମାଲିକମାନେ ସେମାନଙ୍କର ଗାଡି ଧଳା, ସିଲଭର କିମ୍ବା ଗୋଲ୍ଡେନ ରଙ୍ଗକୁ ପରିବର୍ତ୍ତନ କଲେ । ସାଧାରଣ ବାସିନ୍ଦାଙ୍କ ପାଇଁ ଏହି ଖର୍ଚ୍ଚ ଯଥେଷ୍ଟ ଅଧିକ । ରିପୋର୍ଟ ଅନୁଯାୟୀ, ତୁର୍କମେନିସ୍ତାନରେ ହାରାହାରି ମାସିକ ଆୟ ପ୍ରାୟ ୨୦୦ଡଲାର ରୁ ୩୦୦ ଡଲାର । ଏବଂ ଏକ ଗାଡ଼ି ପୁନଃ ରଙ୍ଗ କରିବା ପାଇଁ ୫୦୦ ରୁ ୧୦୦ ଡଲାର ମଧ୍ୟରେ ଖର୍ଚ୍ଚ ହୋଇପାରେ ।

ରାଜଧାନୀକୁ ଧଳା କାର୍ କାହିଁକି ଆବଶ୍ୟକ?

ତୁର୍କମେନିସ୍ତାନ ରାଜଧାନୀ ଧଳା ରଙ୍ଗରେ ଆଚ୍ଛାଦିତ । ଏହାକୁ ବିଶ୍ବର ଧଳା ସହର ବୋଲି ମଧ୍ୟ କୁହାଯାଏ । ତେଣୁ ଧଳା କାର୍ ପ୍ରତି ଆଗ୍ରହ ରାଜଧାନୀର ସ୍ୱତନ୍ତ୍ର ଦେଖାଯିବା ସହ ଜଡିତ । ରାଜଧାନୀର ଅନେକ ବଡ଼ ବଡ଼ କୋଠା ଧଳା ମାର୍ବଲରେ ତିଆରି। ଧଳା ସ୍ଥାପତ୍ୟ ଉପରେ ଏହି ସହରର ଅତ୍ୟନ୍ତ ଗୁରୁତ୍ୱ ଦିଏ ।

ମଇଳା ଯାନ ଥିଲେ ସମସ୍ୟା

କେବଳ ଧଳା କାର୍ ନୁହେଁ ଏହାର ରାଜଧାନୀରେ ଯାନବାହାନ ନିୟମ ଛଡ଼ା ମଇଳା କିମ୍ବା ଧୂଳିଯୁକ୍ତ ଯାନ ଚଳାଇବା ମଧ୍ୟ ଅପରାଧ । ଏଥିପାଇଁ ଜରିମାନା ମଧ୍ୟ ହୋଇପାରେ । ରାଜଧାନୀରେ ପ୍ରବେଶ କରୁଥିବା ଯାନଗୁଡ଼ିକ ସଫା ଏବଂ ଭଲ ଭାବରେ ରକ୍ଷଣାବେକ୍ଷଣ ହେବା ଆବଶ୍ୟକ । ଯଦି ଯାନଗୁଡ଼ିକ ସହର ମାନଦଣ୍ଡ ପୂରଣ ନ କରେ, ତେବେ ଚାଳକମାନେ ଜରିମାନା ଭରିବେ ।

ତୁର୍କମେନିସ୍ତାନରେ ଏତେ କଠୋର ନିୟମ କାହିଁକି?

ତୁର୍କମେନିସ୍ତାନ ଏକ ମଧ୍ୟ ଏସୀୟ ଦେଶ । ଯାହା ଏକ ନିୟନ୍ତ୍ରିତ ରାଜନୈତିକ ଏବଂ ସାମାଜିକ ପରିବେଶ ପାଇଁ ଜଣାଶୁଣା । ଏହାର ରାଜଧାନୀକୁ ସତର୍କତାର ସହିତ ଏକ ସ୍ୱତନ୍ତ୍ର ସ୍ଥାପତ୍ୟ ଉପରେ ଗୁରୁତ୍ୱ ଦେଇ ବିକଶିତ କରାଯାଇଥିଲା । ତେଣୁ କଳା ଯାନବାହାନ ନିଷେଧ ସହ ସହରର ଦୃଶ୍ୟ ଏବଂ ମାନଦଣ୍ଡକୁ ବଜାୟ ରଖିବା ପାଇଁ ଏକ ନିୟମ । ଏହି ସରକାରୀ ନିୟମ ପୂର୍ବତନ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ପସନ୍ଦ ଏବଂ ସହରର ଧଳା ସ୍ଥାପତ୍ୟର ପରିଚୟକୁ ଦର୍ଶାଇଥାଏ ।