ଭୁବନେଶ୍ୱର: ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)କୁ ନେଇ ଉପୁଜିଥିବା ବିବାଦକୁ ନେଇ ସୁପ୍ରିମକୋର୍ଟରେ ଚାଲିଛି ଶୁଣାଣି। ଏହି ପ୍ରସଙ୍ଗକୁ ନେଇ ସମଗ୍ର ଦେଶରେ ରାଜନୀତି ଜୋର ଧରିଛି।କେନ୍ଦ୍ର ସରକାର ଏବଂ ନିର୍ବାଚନ ଆୟୋଗଙ୍କୁ କାଠଗଡ଼ାରେ ଛିଡ଼ା କରାଇଲେଣି ବିରୋଧୀ। ଏହା ମଧ୍ୟରେ ଏସଆଇଆର ପ୍ରକ୍ରିୟାରେ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟରଙ୍କୁ ଭେ ତାଲିକାକୁ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ। ଏ ନେଇ ଓଡ଼ିଶା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଅକ୍ଟୋବର ୭, ୮ ଓ ୯ରେ ସ୍ଵତନ୍ତ୍ର ଅଭିଯାନ

ଓଡ଼ିଶାରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)-୨୦୨୬ ପରିପ୍ରେକ୍ଷୀରେ ଭୋଟର ତାଲିକାକୁ ଅଧିକ ସଠିକ, ସ୍ଵଚ୍ଛ କରିବା ଉଦ୍ଦେଶ୍ୟରେ ଆସନ୍ତାକାଲି ଠାରୁ ରାଜ୍ୟରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ। ଅକ୍ଟୋବର ୭, ୮ ଓ ୯ ତାରିଖରେ ଏହି ସ୍ୱତନ୍ତ୍ର ଅଭିଯାନ ରାଜ୍ୟବ୍ୟାପୀ ଅନୁଷ୍ଠିତ ହେବ। ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଏସଆଇଆର ପ୍ରକ୍ରିୟାରେ କୌଣସି କାରଣରୁ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟରମାନଙ୍କୁ ପୁନଃ ଭୋଟର ତାଲିକାରେ ସାମିଲ କରିବା ଏବଂ ନୂତନ ଭାବେ ଯୋଗ୍ୟ ହୋଇଥିବା ଯୁବ ଭୋଟରମାନଙ୍କୁ ତାଲିକାରେ ସାମିଲ କରିବା।

Also Read: ୧୯୭୫, ୧୯୭୭, ୧୯୮୨, ୨୦୦୬... ଯେବେ ନିର୍ବାଚନ ଫଳାଫଳକୁ ରଦ୍ଦ କରିଦେଇଥିଲେ କୋର୍ଟ

ଫର୍ମ-୬ରେ କରିବେ ଆବେଦନ

ଯେଉଁ ଯୁବକ-ଯୁବତୀମାନେ ୨୦୨୬ ଜାନୁଆରୀ ୧୦ ତାରିଖ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଛନ୍ତି, ସେମାନେ ଭୋଟର ତାଲିକାରେ ନିଜ ନାମ ସାମିଲ କରିବା ପାଇଁ ଆବେଦନ କରିପାରିବେ। ଯୋଗ୍ୟ ଯୁବ ଭୋଟରମାନେ ଫର୍ମ-୬ ମାଧ୍ୟମରେ ନାମ ପଞ୍ଜୀକରଣ ପାଇଁ ନିଜ ବୁଥ ସ୍ତରୀୟ ଅଧିକାରୀ ଙ୍କ ନିକଟରେ ଆବେଦନ କରିପାରିବେ। ଏଥିସହିତ, ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟା ସମୟରେ ଯେଉଁ ଯୋଗ୍ୟ ଭୋଟରମାନଙ୍କ ନାମ କୌଣସି କାରଣରୁ ଚୂଡ଼ାନ୍ତ ଭୋଟର ତାଲିକାରେ ସାମିଲ ହୋଇପାରିନାହିଁ, ସେମାନେ ମଧ୍ୟ ଏହି ସ୍ୱତନ୍ତ୍ର ଅଭିଯାନ ସମୟରେ ନିଜ ନାମ ଯୋଡ଼ିବା ପାଇଁ ଆବେଦନ କରିପାରିବେ।

CEO Odishaଙ୍କ ୱେବସାଇଟରେ ଉପଲବ୍ଧ

ଭୋଟର ତାଲିକାକୁ ଅଧିକ ନିର୍ଭୁଲ ଓ ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ଚିହ୍ନଟ ହୋଇଥିବା ମୃତ, ସ୍ଥାନାନ୍ତରିତ, ଅନୁପସ୍ଥିତ ଓ ଦୋହରା ଭୋଟରମାନଙ୍କ ସମ୍ପର୍କିତ ତାଲିକା ସମ୍ପୃକ୍ତ ଜିଲ୍ଲା ଏବଂ CEO Odishaଙ୍କ ୱେବସାଇଟରେ ଉପଲବ୍ଧ କରାଯିବ। ଏହି ତାଲିକା ସମ୍ପର୍କରେ ଆବଶ୍ୟକ ଯାଞ୍ଚ କରିବା ଓ ଯଦି କୌଣସି ଯୋଗ୍ୟ ଭୋଟରଙ୍କ ନାମ ଭୁଲବଶତଃ ଏଥିରେ ବାଦ୍ ପଡିଥାଏ ତେବେ ତାହା ସମ୍ପର୍କରେ ଦାବି ଓ ଆପତ୍ତି ଦାଖଲ କରିବା ପାଇଁ ସୁଯୋଗ ରହିବ।

Also Read: Goodbye ‘West Bengal’ ! ଖୁବଶୀଘ୍ର ରାଜ୍ୟ ବିଧାନସଭାରେ ଉପସ୍ଥାପିତ ହେବ ନାମ ପରିବର୍ତ୍ତନ ବିଲ୍

ସ୍ୱଚ୍ଛ ଓ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତି ପାଇଁ ମୃତ, ସ୍ଥାନାନ୍ତରିତ, ଅନୁପସ୍ଥିତ ଓ ଦୋହରା ଭୋଟରଙ୍କ ସମ୍ପର୍କିତ ତାଲିକା ସମସ୍ତ ସ୍ଵୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ମଧ୍ୟ ପ୍ରଦାନ କରାଯିବ। ରାଜନୈତିକ ଦଳର ପ୍ରତିନିଧିମାନେ ତାଲିକାକୁ ଯାଞ୍ଚ କରି ଆବଶ୍ୟକ ଦାବି ଓ ଆପତ୍ତି ଦାଖଲ କରିପାରିବେ।

ଯୋଗ୍ୟ ଭୋଟର ହେବେ ସାମିଲ୍

ଏହା ମାଧ୍ୟମରେ ଭୋଟର ତାଲିକାରେ ଯୋଗ୍ୟ ବ୍ୟକ୍ତିଙ୍କ ନାମ ସୁନିଶ୍ଚିତ କରିବା ସହ ଅଯୋଗ୍ୟ କିମ୍ବା ଅସଙ୍ଗତ ଏଣ୍ଟ୍ରି ଚିହ୍ନଟ ଓ ସଂଶୋଧନ କରିବାରେ ସହାୟତା ମିଳିବ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶାନୁଯାୟୀ, ଜିଲ୍ଲାସ୍ତରରେ ସମସ୍ତ ବୁଥସ୍ତରୀୟ ଅଧିକାରୀଙ୍କୁ ବାଦ୍ ପଡିଥିବା ଯୋଗ୍ୟ ଭୋଟର ଓ ଯୁବ ଭୋଟରମାନଙ୍କୁ ଭୋଟର ତାଲିକାରେ ସାମିଲ କରିବା ସମ୍ପର୍କରେ ଆବଶ୍ୟକ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବି ଏଲ ଓ ମାନଙ୍କୁ ନିଜ ନିଜ ଅଧୀନସ୍ଥ ଅଞ୍ଚଳରେ ଭୋଟର ତାଲିକାରେ ବାଦ୍ ପଡିଥିବା ଯୋଗ୍ୟ ଭୋଟର ନାମ ଓ ନୂତନ ଯୁବ ଭୋଟର ଙ୍କ ନାମ ପଞ୍ଜୀକରଣ ପ୍ରକ୍ରିୟାକୁ ସୁଗମ କରିବା ନିମନ୍ତେ ଆବଶ୍ୟକ ସହଯୋଗ ଓ ମାର୍ଗଦର୍ଶନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ନାମ ଯୋଡ଼ିବାକୁ ଇଚ୍ଛୁକ ଯୋଗ୍ୟ ଭୋଟରମାନେ ନିଜ ନିଜ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ) ଙ୍କ ସହ ଯୋଗାଯୋଗ କରି ଆବେଦନ ପ୍ରକ୍ରିୟା ସମ୍ପର୍କରେ ସହାୟତା ନେଇପାରିବେ। ବୁଥ ସ୍ତରୀୟ ଅଧିକାରୀମାନେ ଯୋଗ୍ୟ ଭୋଟରଙ୍କୁ ଆବେଦନ ଦାଖଲ ପ୍ରକ୍ରିୟା ସମ୍ପର୍କରେ ଆବଶ୍ୟକ ସହଯୋଗ ପ୍ରଦାନ କରିବେ।