ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ ସମସ୍ତ ନିଷ୍ପତ୍ତିର ସମୀକ୍ଷା କରାଯିବ ଏବଂ ଆଇନ ଅନୁସାରେ ହୋଇନଥିବା ନିଷ୍ପତ୍ତିଗୁଡ଼ିକୁ ରଦ୍ଦ କରାଯିବ ବୋଲି ସୋମବାର ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ଦୁଇଜଣ ନିର୍ବାଚନ କମିଶନରଙ୍କ ବିନା ସହମତିରେ ମୁଖ୍ୟ ନିର୍ବାଚନ କମିଶନର ଅନେକ ବଡ଼ ନିଷ୍ପତ୍ତି ନେଇଥିବା ଅଭିଯୋଗ ଉପରେ କୋର୍ଟ କେନ୍ଦ୍ର ସରକାର ଓ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କରିଛନ୍ତି ।

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି.ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, "ଆମେ ସମସ୍ତ ନିଷ୍ପତ୍ତିର ସମୀକ୍ଷା କରିବାକୁ । ଯଦି କୌଣସି ନିଷ୍ପତ୍ତି ଆଇନ ଅନୁସାରେ ହୋଇ ନୁହେଁ, ତେବେ ତାହାକୁ ରଦ୍ଦ କରାଯିବ । କୋର୍ଟଙ୍କ କ୍ଷମତା ବିଷୟରେ ଆପଣମାନେ ଭଲ ଭାବେ ଜାଣିଛନ୍ତି ।"

ତେବେ ଚୂଡାନ୍ତ ନିଷ୍ପତ୍ତି ନଆସିବା ଯାଏଁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ କୌଣସି ନିଷ୍ପତ୍ତି ନେବାରୁ ରୋକିବା ପାଇଁ ଅଦାଲତ ମନା କରିଦେଇଛନ୍ତି । ପ୍ରଧାନ ବିଚାରପତି କହିଛନ୍ତି ଯେ କେବଳ ଖବରକାଗଜ ଖବରକୁ ଆଧାର କରି କୋର୍ଟ କୌଣସି ଆଦେଶ ଦେଇପାରିବେ ନାହିଁ ।

କୋର୍ଟଙ୍କ ଦ୍ୱାରା ନିର୍ବାଚନ ରଦ୍ଦ ହୋଇଥିବା ୬ଟି ବଡ଼ ଘଟଣା

ଇନ୍ଦିରା ଗାନ୍ଧୀ (ରାୟବରେଲି, ୧୯୭୫)

୧୯୭୧ ଲୋକସଭା ନିର୍ବାଚନରେ ରାୟବରେଲି ଆସନରୁ ଜିତିଥିଲେ ଇନ୍ଦିରା ଗାନ୍ଧୀ । କିନ୍ତୁ ତାଙ୍କ ବିଜୟକୁ ରାଜ ନାରାୟଣ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ସରକାରୀ କଳ ଓ ଅଫିସରମାନଙ୍କୁ ନିଜ ନିର୍ବାଚନ କାମରେ ଲଗାଇଥିବା ନେଇ ସେ ଅଭିଯୋଗ କରିଥିଲେ । ୧୯୭୫ ଜୁନ୍ ୧୨ରେ ଆଲାହାବାଦ ହାଇକୋର୍ଟ ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନକୁ ରଦ୍ଦ କରିବା ସହ ତାଙ୍କୁ ୬ ବର୍ଷ ପାଇଁ ନିର୍ବାଚନ ଲଢ଼ିବାରୁ ବାସନ୍ଦ କରିଥିଲେ । ଏହି ରାୟ ପରେ ହିଁ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା ।

କେଏମ୍.ମଣି ଓ ସିଏଚ୍.ମହମ୍ମଦ କୋୟା (କେରଳ, ୧୯୭୭)

୧୯୭୭ କେରଳ ବିଧାନସଭା ନିର୍ବାଚନ ସମୟରେ ସାମ୍ପ୍ରଦାୟିକ ପ୍ରଚାର କରି ଭୋଟ୍ ହାତେଇଥିବା ଅଭିଯୋଗରେ ହାଇକୋର୍ଟ ସିଏଚ୍. ମହମ୍ମଦ କୋୟା ଓ କେଏମ୍. ମଣିଙ୍କ ନିର୍ବାଚନକୁ ରଦ୍ଦ କରିଥିଲେ । ଦୁହେଁ ଏ.କେ.ଆଣ୍ଟୋନିଙ୍କ ସରକାରରେ ମନ୍ତ୍ରୀ ଥିଲେ । ତେବେ ପରବର୍ତ୍ତୀ ସମୟରେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ ବାତିଲ କରି ତାଙ୍କ ସପକ୍ଷରେ ରାୟ ଦେଇଥିଲେ ।

ଏନ୍.ଶିବନ୍ ପିଲ୍ଲାଇ (କେରଳ, ୧୯୮୨)

୧୯୮୨ କେରଳ ବିଧାନସଭା ନିର୍ବାଚନରେ ଉତ୍ତର ପାରାଭୁର ଆସନର ୫୦ଟି ବୁଥରେ ପ୍ରଥମ ଥର ପାଇଁ ଇଭିଏମ୍ ବ୍ୟବହାର ହୋଇଥିଲା । ନିର୍ବାଚନରେ ସିପିଆଇ ପ୍ରାର୍ଥୀ ଏନ୍.ଶିବନ୍ ପିଲ୍ଲାଇ ୧୨୩ଟି ଭୋଟରେ ଜିତିଥିଲେ । ତେବେ ପରାଜିତ ପ୍ରାର୍ଥୀ ଏ.ସି.ଜୋସ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଇଭିଏମ୍ ବ୍ୟବହାର ପାଇଁ ଆଇନରେ କୌଣସି ନିୟମ ନାହିଁ ବୋଲି ଯୁକ୍ତି ଦର୍ଶାଇଥିଲେ । ୧୯୮୪ରେ ସୁପ୍ରିମକୋର୍ଟ ଜୋସ୍ଙ୍କ ଯୁକ୍ତିକୁ ଗ୍ରହଣ କରି ପିଲ୍ଲାଇଙ୍କ ବିଜୟକୁ ରଦ୍ଦ କରିଥିଲେ । ପରେ ସେହି ୫୦ଟି ବୁଥରେ ବାଲଟରେ ଭୋଟ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ବାଲଟ୍ ଭୋଟ୍ ପରେ ଜୋସ୍ ବିଜୟୀ ହୋଇଥିଲେ ।

ଏମ୍.ଜେ.ଜାକବ (କେରଳ, ୨୦୦୬)

୨୦୦୬ କେରଳ ବିଧାନସଭା ନିର୍ବାଚନରେ ପିରାଭୋମ୍ ଆସନରୁ ଏଲଡିଏଫ୍ ପ୍ରାର୍ଥୀ ଏମ୍.ଜେ.ଜାକବ ଜିତିଥିଲେ । ନିର୍ବାଚନ ପ୍ରଚାରରେ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀଙ୍କ ବିରୋଧରେ ଆପତ୍ତିଜନକ ପାମ୍ପଲେଟ୍ ବାଣ୍ଟି ଚରିତ୍ର ସଂହାର କରିବା ଅଭିଯୋଗରେ କେରଳ ହାଇକୋର୍ଟ ଜାକବଙ୍କ ବିଜୟକୁ ରଦ୍ଦ କରିଦେଇଥିଲେ । ତେବେ ସୁପ୍ରିମକୋର୍ଟ ପରେ ହାଇକୋର୍ଟଙ୍କ ଏହି ଆଦେଶ ଉପରେ ରୋକ୍ ଲଗାଇଥିଲେ ।

କେ.ଏମ୍.ସାଜି (କେରଳ, ୨୦୧୮)

୨୦୧୮ ମସିହାରେ କେରଳ ହାଇକୋର୍ଟ ଅଜିକୋଡ୍ ଆସନରୁ ବିଧାୟକ କେ.ଏମ୍.ସାଜିଙ୍କ ବିଜୟକୁ ରଦ୍ଦ କରିଦେଇଥିଲେ । ପରାଜିତ ପ୍ରାର୍ଥୀ ଏମ୍.ଭି.ନିକେଶ କୁମାରଙ୍କ ପିଟିସନ୍ ପରେ କୋର୍ଟ ସାଜିଙ୍କୁ ୬ ବର୍ଷ ପାଇଁ ନିର୍ବାଚନ ଲଢ଼ିବାରୁ ମଧ୍ୟ ବାସନ୍ଦ କରିଥିଲେ । ପ୍ରଚାର ବେଳେ ଧର୍ମ ନାଁରେ ଭୋଟ୍ ମାଗିବା ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସାଜି ଏହି ଆଦେଶକୁ ଚ୍ୟାଲେଞ୍ଜ କରି ତୁରନ୍ତ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ବାସନ୍ଦ ଆଦେଶ ଉପରେ ରୋକ୍ ଲଗାଇବା ସହ ଭୋଟ୍ ଦେବା କିମ୍ବା ଦୈନିକ ଭତ୍ତା ନନେଇ ବିଧାନସଭା କାର୍ଯ୍ୟକ୍ରମରେ ଭାଗ ନେବାକୁ ଅନୁମତି ଦେଇଥିଲେ ।

ଓ.ପି.ରବୀନ୍ଦ୍ରନାଥ କୁମାର (୨୦୧୯ ଲୋକସଭା ନିର୍ବାଚନ)

ତାମିଲନାଡୁର ଥେନି ଆସନରୁ ବିଜୟୀ ହୋଇଥିବା ଏଆଇଏଡିଏମ୍କେର ଏକମାତ୍ର ସାଂସଦ ଓ.ପି.ରବୀନ୍ଦ୍ରନାଥ କୁମାରଙ୍କ ବିଜୟକୁ ୨୦୨୩ ଜୁଲାଇରେ ମାଡ୍ରାସ ହାଇକୋର୍ଟ ରଦ୍ଦ କରିଥିଲେ । ରବୀନ୍ଦ୍ରନାଥ ନିଜ ନାମାଙ୍କନ ସତ୍ୟପାଠରେ ସମ୍ପତ୍ତି ତଥ୍ୟ ଲୁଚାଇଥିବା ଏବଂ ଭୋଟରଙ୍କୁ ଟଙ୍କା ବାଣ୍ଟି ପ୍ରଭାବିତ କରିଥିବା ନେଇ ଜଣେ ଭୋଟର ଅଭିଯୋଗ କରିଥିଲେ । ହାଇକୋର୍ଟ ଏହାକୁ ରିଜରଭେସନ୍ ଅଫ୍ ଦ ପିପୁଲ୍ ଆକ୍ଟ ୧୯୫୧ର ଉଲ୍ଲଂଘନ ବୋଲି ମାନିଥିଲେ । ତେବେ ସୁପ୍ରିମକୋର୍ଟ ପରେ ହାଇକୋର୍ଟଙ୍କ ଏହି ଆଦେଶ ଉପରେ ସ୍ଥଗିତାଦେଶ ଲଗାଇଥିଲେ ।