କୋଲକାତା: ଓ୍ବେଷ୍ଟ ବେଙ୍ଗଲ ବା ପଶ୍ଚିମ ବଙ୍ଗ । ଏହି ରାଜ୍ୟର ନାମ ଆଉ West Bengal ବୋଲି ରହିନପାରେ । ଏହାକୁ ପରିବର୍ତ୍ତନ କରିବା ପାଇଁ ରାଜ୍ୟରେ ବିଜେପି ସରକାର ପ୍ରସ୍ତୁତି କରୁଛନ୍ତି । ନାମ ପରିବର୍ତ୍ତନକୁ ନେଇ ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଚାଲିଆସୁଥିବା ଚର୍ଚ୍ଚା ପୁଣି ଥରେ ନୂଆ ମୋଡ଼ ନେଇଛି। ରାଜ୍ୟ ବିଜେପି ସଭାପତି ସମୀକ ଭଟ୍ଟାଚାର୍ଯ୍ୟଙ୍କ ସୂଚନା ଅନୁଯାୟୀ, ଆଗାମୀ ବିଧାନସଭା ଅଧିବେଶନରେ 'ୱେଷ୍ଟ ବେଙ୍ଗଲ' (West Bengal) ନାମ ବଦଳାଇ 'ପଶ୍ଚିମ ବଙ୍ଗ' ରଖିବା ପାଇଁ ଏକ ବିଲ୍ ଆଗତ କରାଯିବ। 

ବାରାଣସୀରେ ନିର୍ମାଣ ହେବାକୁ ଥିବା 'ପଶ୍ଚିମ ବଙ୍ଗ ଭବନ' ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, ରାଜ୍ୟକୁ ତାହାର ଐତିହାସିକ ପରିଚୟ ଓ ପରମ୍ପରା ସହ ଯୋଡ଼ିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନୂତନ ବିଲ୍ ଗୃହୀତ ହେଲେ ରାଜ୍ୟ ପାଇଁ 'ବେଙ୍ଗଲ' କିମ୍ବା 'ବାଂଲା' ଶବ୍ଦର ବ୍ୟବହାର ବନ୍ଦ ହୋଇ ସବୁ ଭାଷାରେ 'ପଶ୍ଚିମ ବଙ୍ଗ' ନାମ ବ୍ୟବହୃତ ହେବ।  ଏହି ନାମ ପରିବର୍ତ୍ତନର ପ୍ରକ୍ରିୟା ୧୯୯୯ ମସିହାରେ ଜ୍ୟୋତି ବସୁଙ୍କ ନେତୃତ୍ୱାଧୀନ ବାମପନ୍ଥୀ ସରକାର ସମୟରୁ ଆରମ୍ଭ ହୋଇଥିଲା । ସେତେବେଳେ ‘ବାଂଲା’ ଓ ‘ପଶ୍ଚିମ ବାଂଲା’ ନାମ ଉପରେ ଆଲୋଚନା ହୋଇଥିଲେ ସୁଦ୍ଧା ରାଜନୈତିକ ସହମତି ଅଭାବରୁ ତାହା ଆଗକୁ ବଢ଼ିପାରି ନଥିଲା। 

ପରବର୍ତ୍ତୀ ସମୟରେ ୨୦୧୧ ମସିହାରେ TMC ସରକାରକୁ ଆସିବା ପରେ 'ପଶ୍ଚିମବଙ୍ଗ' ନାମର ପ୍ରସ୍ତାବ ଦେଇଥିଲେ। W ଅକ୍ଷର ଶେଷ ଆଡ଼କୁ ଥିବାରୁ ଜାତୀୟ ସ୍ତରର ବୈଠକଗୁଡ଼ିକରେ ବଙ୍ଗଳାର ପ୍ରତିନିଧିମାନଙ୍କୁ ଭାଷଣ ଦେବା ପାଇଁ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି ବୋଲି କାରଣ ଦେଇଥିଲେ ତତ୍କାଳୀନ ମମତା ସରକାର । ସେହିପରି ୨୦୧୬ ମସିହାରେ ତୃଣମୂଳ କଂଗ୍ରେସ ସରକାର ତିନୋଟି ଭିନ୍ନ ଭାଷା ପାଇଁ ତିନୋଟି ନାମ—ବଙ୍ଗାଳୀରେ ‘ବାଂଲା’, ଇଂରାଜୀରେ ‘ବେଙ୍ଗଲ’ ଓ ହିନ୍ଦୀରେ ‘ବଙ୍ଗାଲ’ ପ୍ରସ୍ତାବ ଦେଇଥିଲେ। କିନ୍ତୁ କେନ୍ଦ୍ର ସରକାର ଗୋଟିଏ ନାମ ସୁପାରିଶ କରିବାକୁ କହିଥିଲେ । 

୨୦୧୮ ଜୁଲାଇରେ ବିଧାନସଭାରେ ସର୍ବସମ୍ମତିକ୍ରମେ ‘ବାଂଲା’ ନାମର ସଂକଳ୍ପ ପାରିତ ହୋଇ କେନ୍ଦ୍ରକୁ ପଠାଯାଇଥିଲା। ତେବେ ପଡ଼ୋଶୀ ଦେଶ ‘ବାଂଲାଦେଶ’ ସହ ଏହି ନାମର ସାମଞ୍ଜସ୍ୟ ଥିବାରୁ ଏବଂ ସମ୍ବିଧାନ ସଂଶୋଧନର ଆବଶ୍ୟକତା ଥିବାରୁ କେନ୍ଦ୍ର ସରକାର ଏହି ପ୍ରସ୍ତାବକୁ ଅନୁମୋଦନ ଦେଇ ନଥିଲେ। 

ଏବେ ପଶ୍ଚିମ ବଙ୍ଗ କାହିଁକି ?
 ବର୍ତ୍ତମାନ ଆଗତ ହେବାକୁ ଥିବା ‘ପଶ୍ଚିମ ବଙ୍ଗ’ ପ୍ରସ୍ତାବଟି ରାଜ୍ୟର ବିଭାଜନ ପରର ଐତିହାସିକ ସତ୍ୟତା ଓ ଗୌରବକୁ ବଜାୟ ରଖିବା ପାଇଁ ଉଦ୍ଦିଷ୍ଟ ବୋଲି ଦର୍ଶାଯାଇଛି। ବାରାଣସୀଠାରେ ନିର୍ମାଣ ହେବାକୁ ଥିବା ‘ପଶ୍ଚିମ ବଙ୍ଗ ଭବନ’ ମାଧ୍ୟମରେ ରାଜ୍ୟର ସଂସ୍କୃତି, ପର୍ଯ୍ୟଟନ ଓ କୁଚବିହାର ରାଜପରିବାରର ଐତିହାସିକ ସମ୍ପର୍କକୁ ପୁନର୍ଜୀବିତ କରାଯିବ। ତେବେ ବିଧାନସଭାରେ ଏହି ବିଲ୍ ପାରିତ ହେବା ପରେ, ସଂସଦର ଅନୁମୋଦନ ଏବଂ ରାଷ୍ଟ୍ରପତିଙ୍କ ସମ୍ମତି ପରେ ହିଁ ଏହି ନାମ ପରିବର୍ତ୍ତନ ଆଇନଗତ ଭାବରେ କାର୍ଯ୍ୟକାରୀ ହୋଇପାରିବ।