ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ଓଡ଼ିଆ ପୋଲିସ ଏସଆଇ ପରୀକ୍ଷା ପାଇଁ ଶେଷରେ ତାରିଖ ଘୋଷଣା ହୋଇଛି । OUSSSC ପକ୍ଷରୁ କମ୍ୱାଇନ୍‌ଡ ପୋଲିସ୍ ସର୍ଭିସ୍ ଏକଜାମିନେସନ୍ ୨୦୨୪ ପାଇଁ ବୁଧବାର ସନ୍ଧ୍ୟାରେ ତାରିଖ ଘୋଷଣା କରାଯାଇଛି । ଆସନ୍ତା ଡିସେମ୍ବର ୨୬ ତାରିଖ ଶନିବାର ଦିନ ଦୁଇଟି ସିଟିଂରେ ପରୀକ୍ଷା ହେବ । ପ୍ରଥମ ସିଟିଂ ସକାଳ ୧୦ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ 'ପେପର୍-୧' ଅର୍ଥାତ୍ ଜେନେରାଲ ଇଂଲିଶ ଏବଂ ଓଡ଼ିଆ ଭାଷା ପରୀକ୍ଷା ଅନୁଷ୍ଠିତ ହେବ । ସେହିଦିନ ଦ୍ୱିତୀୟ ସିଟିଂ ଅପରାହ୍ନ ୧ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ 'ପେପର୍-୨' ବା ଜେନେରାଲ ଷ୍ଟଡିଜ୍ ପରୀକ୍ଷା ହେବ ।

ସେହିପରି ଡିସେମ୍ବର ୨୭ ତାରିଖ ରବିବାର ଦିନ ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ 'ପେପର୍-୩' ବା ଟେକ୍ନିକାଲ ପେପର୍ ପରୀକ୍ଷା ଅନୁଷ୍ଠିତ ହେବ । ତେବେ ଏହି ପେପରଟି କେବଳ ଅଗ୍ନିଶମ ବିଭାଗର 'ଷ୍ଟେସନ୍ ଅଫିସର୍' ପଦବୀ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ପାଇଁ ହେବ ।