ଭୁବନେଶ୍ୱର: ଓଡ଼ିଶା ପାଇଁ ଅକ୍ଟୋବର ମାସର ଶେଷ ଭାଗ ପାଇଁ ବିପଦ ସାବ୍ୟସ୍ତ ହେବ। ଏହି ସମୟରେ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ପାଣିପାଗୀୟ ସ୍ଥିତି ପରିବର୍ତ୍ତନ ହୋଇଛି। ଥାଇଲାଣ୍ଡ ଉପକୂଳରେ ଅକ୍ଟୋବର ୨୦ରେ ଘୂର୍ଣ୍ଣିବଳୟ ସୃଷ୍ଟିହୋଇଛି। ୨୧ରେ ଦକ୍ଷିଣ ଆଣ୍ଡାମାନରେ ପ୍ରବେଶ କରିବ। ପରବର୍ତ୍ତୀ ସମୟରେ ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପର ରୂପ ନେଇପାରେ ବୋଲି କିଛି ଆକଳନରେ କୁହାଯାଉଛି। ଅନୁକୂଳ ପରିବେଶ ପାଇବ, ତେବେ ଏହା ଅବପାତରୁ ଘୂର୍ଣ୍ଣିବାତ୍ୟାର ରୂପ ନେବାର ସମ୍ଭାବନା ଯଥେଷ୍ଟ ଅଧିକ।

ବିଶେଷଜ୍ଞଙ୍କ କହିବାନୁସାରେ ଏହି ସମ୍ଭାବ୍ୟ ସିଷ୍ଟମ ଘନୀଭୂତ ହେବା ପାଇଁ ବାତାବରଣ ପୂରା ଅନୁକୂଳ ରହୁଛି। ସମୁଦ୍ର ତାପମାତ୍ରା ସ୍ବାଭାବିକଠାରୁ ଯଥେଷ୍ଟ ଅଧିକ ରହୁଛି। ଏହା ଲଘୁଚାପକୁ ଘନୀଭୂତ ହେବା ପାଇଁ ବଳ ଦେବ। ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେଲେ ଏହା ଉପକୂଳ ଭାରତକୁ ଆସିବା ପାଇଁ ବେଶ୍ ଲମ୍ବା ପଥ ଅତିକ୍ରମ କରିବ। ଆଣ୍ଡାମାନରୁ ଆନ୍ଧ୍ର ଉପକୂଳର ଦୂରତା ପ୍ରାୟ ୧୫୦୦ କିମିରୁ ଅଧିକ। ଓଡ଼ିଶା ଉପକୂଳର ଦୂରତା ପ୍ରାୟ ୧୧୦୦ କିମି। ଏତେ ଲମ୍ବା ପଥ ଅତିକ୍ରମ କରି ଉପକୂଳକୁ ସିଷ୍ଟମ ଆସିଲେ ଅଧିକ ବଳ ଜୁଟାଇ ଶକ୍ତିଶାଳୀ ହୋଇପାରେ। ଯାହା ଶକ୍ତିଶାଳୀ ରୂପ ନେବା ଏକ ପ୍ରକାର ନିଶ୍ଚିତ।

ସାଇକ୍ଲୋନିକ ଷ୍ଟର୍ମ ଡେଭଲପ ହେବା ପାଇଁ ପରିବେଶୀୟ ପରିସ୍ଥିତି ଏକାସଙ୍ଗେ ରହିବା ଆବଶ୍ୟକ

ସାମୁଦ୍ରିକ ତାପମାତ୍ରା + ପ୍ରଚୁର ଆର୍ଦ୍ରତା + ଲୋ ଓ୍ୱିଣ୍ଡ ସିଅର + ଉପରିସ୍ତରୀୟ ବାହ୍ୟ ପ୍ରବାହ + କୋରିଅଲିସ ଫୋର୍ସ + ସମୁଦ୍ରରେ ଅଧିକ ସମୟ ଧରି ରହିବା

ଆନ୍ତର୍ଜାତିକ ପାଣିପାଗ ମଡେଲ୍ ଇସିଏମଡବ୍ଲ୍ୟୁଏଫ୍ର କିଛି ଆକଳନରେ ଅକ୍ଟୋବର ୨୯ରୁ ୩୦ ତାରିଖ ମଧ୍ୟରେ ଓଡ଼ିଶା ଉପକୂଳ ନିକଟରେ ସମ୍ଭାବ୍ୟ ଶକ୍ତିଶାଳୀ ବାତ୍ୟା ପହଞ୍ଚିବାର ଚିତ୍ର ଦେଖାଯାଉଛି। କିନ୍ତୁ ଏଠାରେ ରହିଛି ବଡ଼ ପ୍ରଶ୍ନ। ଅନ୍ୟ ମଡେଲ୍ଗୁଡ଼ିକର ଆକଳନ ଏକାଭଳି ନୁହେଁ। ଜିଏଫ୍ଏସ୍ର ଏଆଇ ମଡେଲ୍ରେ ସମ୍ଭାବ୍ୟ ପାଣିପାଗୀୟ ବ୍ୟବସ୍ଥା ଓଡ଼ିଶା-ପଶ୍ଚିମବଙ୍ଗ ଆଡ଼କୁ ଗତି କରିବାର ସଙ୍କେତ ମିଳୁଥିବା ବେଳେ ଅନ୍ୟ ଏକ ମଡେଲ୍ରେ ବାଂଲାଦେଶ ଆଡ଼କୁ ମୁହାଁଇବାର ଆକଳନ ରହିଛି। ଏହାର ଅର୍ଥ ହେଉଛି, ସମ୍ଭାବ୍ୟ ବାତ୍ୟାର ଗତିପଥ ଏବେ ବି ଅନିଶ୍ଚିତ।

ସୋଆର ଜଳବାୟୁ ଓ ପରିବେଶ କେନ୍ଦ୍ରର ନିର୍ଦ୍ଦେଶକ ତଥା ପାଣିପାଗ ବିଜ୍ଞାନୀ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ଅନୁସାରେ, ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ପ୍ରବେଶ କରିବ। ପରବର୍ତ୍ତୀ ସମୟରେ ଏହା ଘନୀଭୂତ ହୋଇ ଶକ୍ତିଶାଳୀ ବାତ୍ୟାରେ ପରିଣତ ହୋଇପାରେ ଏବଂ ୩୦ ତାରିଖ ବେଳକୁ ସ୍ଥଳଭାଗ ଛୁଇଁପାରେ। ତେବେ ଏହା ଏକ ପ୍ରାଥମିକ ଆକଳନ ହୋଇଥିବାରୁ ଏବେଠାରୁ ବାତ୍ୟାର ତୀବ୍ରତା, ଗତିପଥ କିମ୍ବା ସ୍ଥଳଭାଗ ଛୁଇଁବାର ନିର୍ଦ୍ଦିଷ୍ଟ ସ୍ଥାନ ନେଇ ସ୍ପଷ୍ଟ ଭାବେ କହିହେବ ନାହିଁ।

ସେହିପରି ପାଣିପାଗ ବିଜ୍ଞାନୀ ବିଶ୍ୱଜିତ ସାହୁଙ୍କ ମତରେ, ୨୪ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ହେବା ପରେ ଏ ସମ୍ପର୍କରେ ଅଧିକ ସ୍ପଷ୍ଟତା ଆସିପାରେ। ବର୍ତ୍ତମାନ ସ୍ଥିତିରେ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ବାତ୍ୟା ସମ୍ପର୍କରେ କିଛି କହିନି।

୨୯ ତାରିଖରେ ଓଡ଼ିଶା ଉପକୂଳରେ ମାଡ଼ ହେବ କି ବାତ୍ୟା? ନା ବଦଳିଯିବ ସମ୍ଭାବ୍ୟ ସିଷ୍ଟମର ଗତିପଥ? ଆଉ ଯଦି ବାତ୍ୟା ସୃଷ୍ଟି ହୁଏ, ତେବେ ତାହାର ତୀବ୍ରତା କେତେ ରହିବ? ଭୟ ନୁହେଁ, ଦରକାର ସତର୍କତା। ଗୁଜବ ନୁହେଁ, ଦରକାର ସଠିକ୍ ସୂଚନା। ବାତ୍ୟା ଆସିବ କି ନାହିଁ, କେଉଁଠି ମାଡ଼ ହେବ ଏବଂ କେତେ ଶକ୍ତିଶାଳୀ ହେବ—ଏହି ସବୁ ପ୍ରଶ୍ନର ଉତ୍ତର ପାଇଁ ଆମେ ରଖିଥିବୁ ତୀକ୍ଷ୍ଣ ନଜର ପାଣିପାଗର ପ୍ରତିଟି ପରିବର୍ତ୍ତନ ଉପରେ। ନୂଆ ଅପଡେଟ୍ ସହ ପୁଣି ଫେରିବୁ। NEWS7 digital ସହ ଯୋଡ଼ି ହୋଇ ରୁହନ୍ତୁ।