ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅତିଥି ଅଧ୍ୟାପକ ନିଯୁକ୍ତି ବିଜ୍ଞପ୍ତି ଉପରେ ଓଡ଼ିଶା ହାଇକୋର୍ଟ ଅଙ୍କୁଶ ଲଗାଇଛନ୍ତି। ଅବସରପ୍ରାପ୍ତ ଅଧ୍ୟାପକମାନଙ୍କୁ ଅତିଥି ଅଧ୍ୟାପକ ଭାବେ ନିଯୁକ୍ତି ଦେବା ନେଇ ଜାରି ହୋଇଥିବା ସରକାରୀ ବିଜ୍ଞପ୍ତି ଉପରେ ଅଦାଲତ ଅନ୍ତରୀଣ ରହିତାଦେଶ ଲଗାଇଛନ୍ତି । ପରବର୍ତ୍ତୀ ଆଦେଶ ପ୍ରକାଶ ପାଇବା ପର୍ଯ୍ୟନ୍ତ ଏହି ରହିତାଦେଶ ବଳବତ୍ତର ରହିବ ବୋଲି ହାଇକୋର୍ଟ ମଙ୍ଗଳବାର ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, କଲେଜଗୁଡ଼ିକର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅବସରପ୍ରାପ୍ତ ଅଧ୍ୟାପକ ଓ ପ୍ରାଧ୍ୟାପକମାନଙ୍କୁ ଅତିଥି ଅଧ୍ୟାପକ ଭାବେ ନିଯୁକ୍ତି ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏହି କ୍ରମରେ ଗତବର୍ଷ ଅକ୍ଟୋବର ମାସରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ଆଧିକାରିକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ନୂତନ ବ୍ୟବସ୍ଥା ଅନୁସାରେ, ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକରେ ଅତିଥି ଅଧ୍ୟାପକ ପଦବୀରେ କେବଳ ଅବସରପ୍ରାପ୍ତ ଅଧ୍ୟାପକ ଓ ପ୍ରାଧ୍ୟାପକଙ୍କୁ ହିଁ ସୁଯୋଗ ଦେବାର ପ୍ରାବଧାନ ରହିଥିଲା।

Also Read: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ରାଗିଂ ଅଭିଯୋଗ, ଚିଫ୍ ଓ୍ବାର୍ଡେନଙ୍କୁ ଅଭିଯୋଗ କଲେ ପୀଡ଼ିତ ଛାତ୍ର​​​​​​​

ସରକାରଙ୍କ ଏହି ନିଷ୍ପତ୍ତି ଓ ବ୍ୟବସ୍ଥାକୁ ଚାଲେଞ୍ଜ କରି ପୁଷ୍ପଲତା ମାଝୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏକ ମାମଲା ଦାୟର କରିଥିଲେ। ମଙ୍ଗଳବାର ଏହି ମାମଲାର ଶୁଣାଣି କରି ଜଷ୍ଟିସ ରାଧାକୃଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଏକକ ଖଣ୍ଡପୀଠ ଉଚ୍ଚଶିକ୍ଷା ବିଭାଗର ସେହି ବିଜ୍ଞପ୍ତିର କାର୍ଯ୍ୟକାରିତା ଉପରେ ରୋକ୍ ଲଗାଇଛନ୍ତି। ଆଗାମୀ ଶୁଣାଣି ପର୍ଯ୍ୟନ୍ତ କୋର୍ଟଙ୍କ ଏହି ଅନ୍ତରୀଣ ସ୍ଥଗିତାଦେଶ ବଳବତ୍ତର ରହିବ, ଯାହା ଫଳରେ ବର୍ତ୍ତମାନ ପାଇଁ ଏହି ନିଯୁକ୍ତି ପ୍ରକ୍ରିୟା ସ୍ଥଗିତ ରହିବ।