ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୭ ଜଣ ପ୍ରାଣ ହରାଇଥିବା ବେଳେ ୯୩ଟି ଗୃହପାଳିତ ପଶୁଙ୍କର ମଧ୍ୟ ମୃତ୍ୟୁ ଘଟିଛି। ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବନ୍ୟା କ୍ଷୟକ୍ଷତି ଏବଂ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥିବା ରିଲିଫ୍ ଓ ସହାୟତା ନେଇ ସମ୍ପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଛନ୍ତି।

୨୩୪ କୋଟିରୁ ଅଧିକ ଟଙ୍କାର ବ୍ୟକ୍ତିଗତ ସହାୟତା

ଗୃହରେ ମନ୍ତ୍ରୀ ଦେଇଥିବା ସୂଚନା ଅନୁଯାୟୀ, ବନ୍ୟା ପ୍ରଭାବିତଙ୍କୁ ବ୍ୟକ୍ତିଗତ କ୍ଷତି ଭରଣା ବାବଦରେ ମୋଟ ୨୩୪ କୋଟି ୮୪ ଲକ୍ଷ ୮୬ ହଜାର ଟଙ୍କା ବଣ୍ଟନ କରାଯାଇଛି। ସେଥିମଧ୍ୟରୁ ବନ୍ୟା ଯୋଗୁଁ ୨ ଲକ୍ଷ ୧୨ ହଜାର ୫୩୩ ହେକ୍ଟର ଜମିର ଫସଲ ନଷ୍ଟ ହୋଇଥିବା ବେଳେ କ୍ଷତିଗ୍ରସ୍ତ ଚାଷୀଙ୍କୁ ୧୫୧ କୋଟି ଟଙ୍କାର ସହାୟତା ଦିଆଯାଇଛି। ବନ୍ୟାରେ ୧୮ ହଜାର ୭୬ଟି ବାସଗୃହ କ୍ଷତିଗ୍ରସ୍ତ ହୋଇଛି। ଏଥିପାଇଁ ୩୩ କୋଟି ଟଙ୍କାର ଗୃହ ନିର୍ମାଣ ସହାୟତା ଯୋଗାଇ ଦିଆଯାଇଛି। କ୍ଷତିଗ୍ରସ୍ତ ପରିବାରକୁ ପୋଷାକପତ୍ର ବାବଦକୁ ୯ କୋଟି ୪୭ ଲକ୍ଷ ଟଙ୍କା ଏବଂ ବାସନକୁସନ ପାଇଁ ଅନ୍ୟ ୯ କୋଟି ୪୭ ଲକ୍ଷ ଟଙ୍କା ବଣ୍ଟାଯାଇଛି। ବାଲିଚର ହୋଇଯାଇଥିବା ଚାଷଜମିର ପୁନଃରୁଦ୍ଧାର ପାଇଁ ୪ କୋଟି ଟଙ୍କା ମଞ୍ଜୁର କରାଯାଇଛି।

Also Read: ଲଗାଣ ବର୍ଷାରେ ସ୍କୁଲ ବନ୍ଦ, ଆଗକୁ ବଢ଼ିବ ଛୁଟି ! Extra Classକୁ ଗୁରୁତ୍ୱ

ବ୍ୟାପକ ରିଲିଫ୍ ସାମଗ୍ରୀ ବଣ୍ଟନ

ବନ୍ୟା ବିପନ୍ନଙ୍କ ପାଖରେ ଜରୁରୀ ସାମଗ୍ରୀ ପହଞ୍ଚାଇବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ ସୁଦ୍ଧା ୧୫ ହଜାର ୭୧୫ କୁଇଣ୍ଟାଲ ଚାଉଳ, ୧୨ ହଜାର ୮୬୩ କୁଇଣ୍ଟାଲ ଚୁଡ଼ା ଏବଂ ୧୪୪୮ କୁଇଣ୍ଟାଲ ଗୁଡ଼ ବଣ୍ଟନ କରାଯାଇଛି। ଏହା ସହିତ ମୁଣ୍ଡ ଉପରେ ଛାତ ହରାଇଥିବା ଲୋକଙ୍କ ପାଇଁ ୨୮ ହଜାର ୬୫୧ଟି ପଲିଥିନ୍ ଯୋଗାଇ ଦିଆଯାଇଛି। ଗୃହପାଳିତ ପଶୁଙ୍କ ସୁରକ୍ଷା ଓ ଖାଦ୍ୟ ପାଇଁ ସରକାରଙ୍କ ତରଫରୁ ୪୧୨୭ ମେଟ୍ରିକ ଟନ୍ ଗୋଖାଦ୍ୟ ମଧ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳରେ ବଣ୍ଟାଯାଇଥିବା ନେଇ ରାଜସ୍ୱ ମନ୍ତ୍ରୀ ସୂଚନା ଦେଇଛନ୍ତି।