ନୂଆଦିଲ୍ଲୀ: ଜାପାନର କ୍ୟାପିଟାଲ ସିଟି ଆଇଚି ନାଗୋୟାରେ ଗୁରୁବାର ଆୟୋଜିତ ଏସିଆନ ଗେମ୍ସ ୨୦୨୬ ୱୁଶୁ ମୁକାବିଲାରେ ରୌପ୍ୟ ପଦକ ଜିତିଲେ ଭାରତର ନାଓରେମ୍ ରୋଶିବିନା ଦେବୀ। ମହିଳା ସାଣ୍ଡା ୬୦ କେଜି ବର୍ଗରେ ହୋଇଥିବା ଏହି ଫାଇଲନା ମୁକାବିଲାରେ ରୋଶିବିନା ଚୀନର ଝାଙ୍ଗ ସିଆଓୟୁଙ୍କ ଠାରୁ ୦-୨ରେ ପରାଜିତ ହୋଇଛନ୍ତି। ଫଳରେ ପୁଣିଥରେ ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ତେବେ ଏସିଆନ ଗେମ୍ସରେ ଏହା ତାଙ୍କର ଦ୍ୱିତୀୟ କ୍ରମାଗତ ରୌପ୍ୟ ପଦକ।

ଗୁରୁବାରର ଏହି ମୁକାବିଲାରେ ଝାଙ୍ଗ ଉଭୟ ରାଉଣ୍ଡରେ ଦୃଢ଼ ଖେଳ ପ୍ରଦର୍ଶନ କରି ଭାରତୀୟ ପ୍ରତିପକ୍ଷ ଉପରେ ଭାରି ପଡ଼ିଥିଲେ। ରୋଶିବିନାଙ୍କ ଉପରେ ଆଟାକ୍ ଜାରି ରଖି ଦୁଇଟିଯାକ ରାଉଣ୍ଡରେ ୫-୦ରେ ଆଗୁଆ ରହି ଗୋଲ୍ଡ ମେଡାଲ ହାତେଇଛନ୍ତି।

ଫାଇନାଲ ମୁକାବିଲାରେ ଚୀନ ଠାରୁ ପରାଜିତ ହେବା ସତ୍ତ୍ୱେ ବି ରୋଶିବିନା ଭାରତ ପାଇଁ ଏକ ବିରଳ ରେକର୍ଡ ସ୍ଥାପନ କରିଛନ୍ତି। ୱୁଶୁ ଖେଳରେ କ୍ରମାଗତ ସେ ଦ୍ୱିତୀୟ ଥର ପାଇଁ ରୌପ୍ୟ ପଦକ ଜିତିଥିବା ବେଳେ ତୃତୀୟ ଥର ପଦକ ହାସଲ କରିବାରେ ସେ ପ୍ରଥମ ଭାରତୀୟ ମହିଳା ଖେଳାଳି ହୋଇଛନ୍ତି। ୨୦୧୮ ମୁକାବିଲାରେ ରୋଶିବିନା କାଂସ୍ୟ ପଦକ ଜିତିଥିବା ବେଳେ ୨୦୨୨ ଓ ୨୦୨୬ରେ ସେ ରୌପ୍ୟ ଜିତିଛନ୍ତି।

ସବୁଠାରୁ ବଡ଼ କଥା ହେଲା ୨୦୨୨ରେ ହଙ୍ଗଝୌଉରେ ଖେଳାଯାଉଥିବା ଏସିଆନ ଗେମ୍ସର ଫାଇନାଲ ମୁକାବିଲାରେ ବି ରୋଶିବିନାଙ୍କ ପ୍ରତିଦ୍ୱନ୍ଦ୍ୱୀ ଜଣେ ଚୀନ ଖେଳାଳି ଥିଲେ। ସେତେବେଳେ ସେ ସିଆଓୱେଇ ୱୁ (Xiaowei Wu)ଙ୍କ ଠାରୁ ପରାଜିତ ହୋଇ ରୌପ୍ୟ ହାତେଇଥିଲେ।

Also read- ODI cricket: ଦିନିକିଆ କ୍ରିକେଟର ତଣ୍ଟି ଚିପି ଚାଲିଛି ଖୋଦ୍ ICC, ନୂଆ ରିପୋର୍ଟରେ ବଡ଼ ଖୁଲାସା

ରୋଶିବନାଙ୍କ ରୋମାଞ୍ଚକର ଜାପାନ ଯାତ୍ରା

ଜାପାନରେ ଖେଳାଉଯାଉଥିବା ଏସିଆନ ଗେମ୍ସ ୨୦୨୬ରେ ରୋଶିବିନାଙ୍କ ଯାତ୍ରା ଶେଷ ପର୍ଯ୍ୟନ୍ତ ଖୁବ୍ ଭଲ ରହିଥିଲା। ୨୦୨୩ ଭିଏତନାମରେ ୱାର୍ଲ୍ଡ ଚାମ୍ପିୟନନଗୁଏନ୍ ଥି ଥୁଙ୍କୁ ହରାଇ ସେ ଏସିଆନ ଗେମ୍ସରେ ବିଜୟ ଯାତ୍ରା ଆରମ୍ଭ କରିଥିଲେ। ଏହାପରେ ବୁଧବାର ଆୟୋଜିତ ସେମିଫାଇନାଲରେ ଇଣ୍ଡୋନେସିଆର ଥାନିଆ କୁସୁମାନିଙ୍ଗଟିଆସ୍ଙ୍କୁ ୨-୦ରେ ପରାସ୍ତ ହରାଇ ସେ ଫାଇନାଲରେ ପ୍ରବେଶ କରିଥିଲେ।

ରୋଶିବିନାଙ୍କ ଏହି ରୌପ୍ୟ ପଦକ ସହ ଚଳିତ ଏସୀୟ କ୍ରୀଡ଼ାରେ ଭାରତ ଏପର୍ଯ୍ୟନ୍ତ ମୋଟ ୧୪ଟି ପଦକ ହାସଲ କରିବାରେ ସଫଳ ହୋଇଛି। ଏହା ସହିତ ଭାରତର ମୋଟ ପଦକ ସଂଖ୍ୟା ଗୋଟିଏ ସ୍ୱର୍ଣ୍ଣ, ୬ଟି ରୌପ୍ୟ ଏବଂ ୭ଟି ବ୍ରୋଞ୍ଜ ପଦକରେ ପହଞ୍ଚିଛି। ଏହାପୂର୍ବରୁ ଗୁରୁବାର, ସତନାମ ସିଂହ ଏବଂ ସଲମାନ ଖାନ ପୁରୁଷ ଡବଲ୍ ସ୍କଲ୍ସ ଫାଇନାଲରେ ବ୍ରୋଞ୍ଜ ପଦକ ଜିତିଥିଲେ।