ନୂଆଦିଲ୍ଲୀ ୨୪।୦୯;ରାତିରେ ମୋବାଇଲ୍ ଦେଖୁ ଦେଖୁ ସମୟ କେତେ ବିତିଗଲା ଜଣାପଡ଼ୁନି ? କିମ୍ବା ବିଛଣାକୁ ଯିବା ପରେ ମଧ୍ୟ ଦୀର୍ଘ ସମୟ ଧରି ନିଦ ଆସୁନାହିଁ ? ଆଜିକାଲି ବ୍ୟସ୍ତ ଜୀବନଶୈଳୀ, ଅଧିକ ସ୍କ୍ରିନ୍ ସମୟ, ଚାପ ଓ ଅନିୟମିତ ଦୈନନ୍ଦିନ ରୁଟିନ୍ ଯୋଗୁଁ ଅନେକ ଲୋକଙ୍କ ନିଦ ପ୍ରଭାବିତ ହେଉଛି । କିନ୍ତୁ ନିଦ କେବଳ ଶରୀରକୁ ବିଶ୍ରାମ ଦେବାର ସମୟ ନୁହେଁ । ଭଲ ନିଦ୍ରା ମସ୍ତିଷ୍କ, ହୃଦୟ, ମେଟାବୋଲିଜମ୍ ଓ ପ୍ରତିରୋଧକ କ୍ଷମତା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ସମସ୍ତଙ୍କ ପାଇଁ ସାଧାରଣତଃ ପ୍ରତିଦିନ ଅତିକମ୍ରେ ୭ ଘଣ୍ଟା ନିଦ୍ରା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି ।

ନିଦ ଆସିବାରେ ସମସ୍ୟା ହେବା, ବାରମ୍ବାର ନିଦ ଭାଙ୍ଗିବା କିମ୍ବା ପର୍ଯ୍ୟାପ୍ତ ସମୟ ଶୋଇବା ପରେ ମଧ୍ୟ ସତେଜ ଅନୁଭବ ନକରିବାକୁ ନିଦ୍ରା ସମସ୍ୟାର ଲକ୍ଷଣ ଭାବେ ଦେଖାଯାଏ । ଏହା ନିୟମିତ ହେଲେ ଦୈନନ୍ଦିନ ଜୀବନ ଓ କାର୍ଯ୍ୟକ୍ଷମତା ଉପରେ ପ୍ରଭାବ ପଡ଼ିପାରେ ।

କମ୍ ଶୋଇଲେ ଶରୀରରେ କଣ ହୁଏ?

୧. ହୃଦୟ ଉପରେ ପଡ଼ିପାରେ ପ୍ରଭାବ

ଦୀର୍ଘ ସମୟ ଧରି ପର୍ଯ୍ୟାପ୍ତ ନିଦ୍ରା ନହେଲେ ଉଚ୍ଚ ରକ୍ତଚାପ, ହୃଦରୋଗ ଓ ଷ୍ଟ୍ରୋକ୍ ଭଳି ସମସ୍ୟାର ଝୁମ୍ପ ବଢ଼ିପାରେ । ନିଦ୍ରା ସମୟରେ ଶରୀର ଓ ହୃଦୟ ପୁନରୁଦ୍ଧାର ପ୍ରକ୍ରିୟା ମଧ୍ୟରେ ରହେ ।

୨. ବଢ଼ିପାରେ ଓଜନ

ନିଦ୍ରା ଅଭାବ ଭୋକ ଓ ପେଟ ଭରିବାର ଅନୁଭୂତି ସହ ଜଡ଼ିତ ହର୍ମୋନ୍ ଉପରେ ପ୍ରଭାବ ପକାଇପାରେ । ଫଳରେ ଅଧିକ ଭୋକ ଲାଗିବା ଏବଂ ଓଜନ ବଢ଼ିବାର ଝୁମ୍ପ ରହିପାରେ ।

୩. ଡାଇବେଟିସ୍ର ସମ୍ଭାବନା

ପର୍ଯ୍ୟାପ୍ତ ନିଦ ନହେଲେ ଶରୀର ଇନ୍ସୁଲିନ୍ ଓ ରକ୍ତରେ ଶର୍କରା ନିୟନ୍ତ୍ରଣକୁ ଭିନ୍ନ ଭାବରେ ପ୍ରଭାବିତ କରିପାରେ । ଦୀର୍ଘକାଳୀନ ଭାବେ ନିଦ୍ରା ଅଭାବ ଟାଇପ୍-୨ ଡାଇବେଟିସ୍ ସହ ଜଡ଼ିତ ଥିବା ଅଧ୍ୟୟନରୁ ଜଣାପଡ଼ିଛି ।

୪. ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ

ନିଦ୍ରା ଅଭାବ ମନୋଭାବ, ଏକାଗ୍ରତା, ନିଷ୍ପତ୍ତି ନେବା ଓ ସ୍ମୃତି ଉପରେ ପ୍ରଭାବ ପକାଇପାରେ । ଦୀର୍ଘ ସମୟ ଧରି ଖରାପ ନିଦ୍ରା ଡିପ୍ରେସନ୍ ଓ ଆତଙ୍କ ସହ ମଧ୍ୟ ସମ୍ପର୍କିତ ଥିବା ତଥ୍ୟ ମିଳିଛି ।

୫. ଦୁର୍ବଳ ହୋଇପାରେ ଏକାଗ୍ରତା

କମ୍ ନିଦ୍ରା ହେଲେ ଦିନବେଳେ ଅତ୍ୟଧିକ ଥକାପଣ, ଧ୍ୟାନ ଦେବାରେ ସମସ୍ୟା, ଧୀର ପ୍ରତିକ୍ରିୟା ଓ ଅଧିକ ଭୁଲ୍ ହେବାର ସମ୍ଭାବନା ରହେ । ଏହା ଗାଡ଼ି ଚଳାଇବା ସମୟରେ ମଧ୍ୟ ବିପଦ ବଢ଼ାଇପାରେ ।

ଭଲ ନିଦ୍ରା ପାଇଁ କଣ କରିବେ?

ପ୍ରତିଦିନ ପ୍ରାୟ ସମାନ ସମୟରେ ଶୋଇବା ଓ ଉଠିବାର ଅଭ୍ୟାସ କରନ୍ତୁ ।ଶୋଇବା ପୂର୍ବରୁ ମୋବାଇଲ୍,ଟିଭି ଓ ଅନ୍ୟ ଇଲେକ୍ଟ୍ରୋନିକ୍ ଡିଭାଇସ୍ ବ୍ୟବହାର କମାନ୍ତୁ ।ରାତିରେ ଅଧିକ କଫିନ୍ ନିଅନ୍ତୁ ନାହିଁ ।ନିୟମିତ ଶାରୀରିକ ବ୍ୟାୟାମ କରନ୍ତୁ । ଶୋଇବା ଘରକୁ ଶାନ୍ତ,ଅନ୍ଧାର ଓ ଆରାମଦାୟକ ରଖନ୍ତୁ । ଶୋଇବା ପୂର୍ବରୁ ଭାରି ଖାଦ୍ୟ ଖାଇବାରୁ ଦୂରେଇ ରୁହନ୍ତୁ । ଯଦି ନିୟମିତ ଭାବେ ନିଦ ଆସୁନାହିଁ, ରାତିରେ ବାରମ୍ବାର ନିଦ ଭାଙ୍ଗୁଛି, ସକାଳେ ଉଠିବା ପରେ ମଧ୍ୟ ଅତ୍ୟଧିକ ଥକା ଲାଗୁଛି କିମ୍ବା ଦିନବେଳେ ଅସ୍ୱାଭାବିକ ନିଦ ଆସୁଛି, ତେବେ ଏହାକୁ ଅବହେଳା ନକରି ଡାକ୍ତରଙ୍କ ସହ ପରାମର୍ଶ କରିବା ଭଲ ।