ନୂଆଦିଲ୍ଲୀ ୨୪।୯: ସ୍କୁଲ ଯାଉଥିବା ଝିଅଙ୍କ ସ୍ୱାସ୍ଥ୍ୟକୁ ନେଇ ବଢୁଛି ଚିନ୍ତା । ବଢୁଥିବା ମୋଟାପଣ, ଅନିୟମିତ ଋତୁସ୍ରାବ ଓ ଖରାପ ଜୀବନଶୈଳୀ ଯୋଗୁଁ କିଶୋରୀଙ୍କ ମଧ୍ୟରେ ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ୍ ବା PCOS ଭଳି ସମସ୍ୟା ଦେଖାଦେଉଥିବା ଭଳି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ନୂଆଦିଲ୍ଲୀର ଏକ ଅଧ୍ୟୟନରେ କିଶୋରୀଙ୍କ ମଧ୍ୟରେ ମୋଟାପଣ, ଜୀବନଶୈଳୀଜନିତ ସ୍ୱାସ୍ଥ୍ୟ ସମସ୍ୟା ଏବଂ PCOSର ସମସ୍ୟା ସାମ୍ନାକୁ ଆସିଛି । ବିଶେଷକରି ଶାରୀରିକ ପରିଶ୍ରମର ଅଭାବ, ଅଧିକ ସମୟ ମୋବାଇଲ୍ ଓ ସ୍କ୍ରିନ୍ ବ୍ୟବହାର ଏବଂ ଅସ୍ୱାସ୍ଥ୍ୟକର ଜୀବନଶୈଳୀକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକାଶ କରିଛନ୍ତି ।

AIIMS ନୂଆଦିଲ୍ଲୀର ପେଡିଆଟ୍ରିକ୍ ଏଣ୍ଡୋକ୍ରାଇନୋଲୋଜି ବିଭାଗର ପ୍ରଫେସର ରଜନୀ ଶର୍ମାଙ୍କ ଅନୁସାରେ, AIIMS ଏକ NGO ସହ ମିଶି ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ମେଟାବୋଲିକ୍ ସମସ୍ୟା, ପୋଷଣ ସମ୍ପର୍କିତ ସମସ୍ୟା ଏବଂ PCOS ଭଳି ସ୍ୱାସ୍ଥ୍ୟ ସମସ୍ୟାର ସ୍କ୍ରିନିଂ କରୁଛି । ଏହି ସ୍କ୍ରିନିଂରେ ଝିଅମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଉଛି । କୌଣସି ଛାତ୍ରୀଙ୍କ ମଧ୍ୟରେ ସମସ୍ୟା ଚିହ୍ନଟ ହେଲେ, ତାଙ୍କୁ ଅଧିକ ପରୀକ୍ଷା ଓ ଚିକିତ୍ସା ପାଇଁ AIIMSକୁ ଡକାଯାଉଛି । ପ୍ରଫେସର ରଜନୀ ଶର୍ମାଙ୍କ କହିବା ଅନୁସାରେ, ଗତ ପ୍ରାୟ ତିନି ବର୍ଷ ଧରି ଏହି ଅଧ୍ୟୟନ ଚାଲିଛି ଏବଂ ଏବେ ଏହାକୁ ଫଲୋ-ଅପ୍ ଷ୍ଟଡି ଭାବେ ଜାରି ରଖାଯାଇଛି । ଏହି ଅଧ୍ୟୟନରେ କିଶୋରୀଙ୍କ ମଧ୍ୟରେ ମୋଟାପଣର ସମସ୍ୟା ବଡ଼ ପରିମାଣରେ ଦେଖିବାକୁ ମିଳୁଥିବା ସେ କହିଛନ୍ତି । ପ୍ରାଇଭେଟ୍ ସ୍କୁଲରେ ପ୍ରାୟ ୪୦ରୁ ୪୫ ପ୍ରତିଶତ ଝିଅ ଅଧିକ ଓଜନ କିମ୍ବା ମୋଟାପଣର ସମସ୍ୟାରେ ଥିବା କୁହାଯାଇଛି । ସେହିପରି ସରକାରୀ ସ୍କୁଲରେ ମଧ୍ୟ ଏହି ସମସ୍ୟା ବଢୁଥିବା ବେଳେ ପ୍ରାୟ ୧୫ ପ୍ରତିଶତ ପିଲା ଅଧିକ ଓଜନ କିମ୍ବା ମୋଟାପଣର ଶିକାର ଥିବା ଅଧ୍ୟୟନରେ ଦେଖାଯାଇଛି।

କିଶୋରୀଙ୍କ ମଧ୍ୟରେ ଜୀବନଶୈଳୀ ଯୋଗୁ, ମୋଟାପଣ ବଢିବା ସହ ଅନିୟମିତ ଋତୁସ୍ରାବର ମାମଲା ମଧ୍ୟ ସାମ୍ନାକୁ ଆସୁଛି । ଋତୁସ୍ରାବ ଆରମ୍ଭ ହେବାର କିଛି ସମୟ ପରେ ମଧ୍ୟ କେତେକ ଝିଅଙ୍କ ମଧ୍ୟରେ ଏଭଳି ସମସ୍ୟା ଚିହ୍ନଟ ହେଉଛି । ବିଶେଷଜ୍ଞଙ୍କ ଅନୁସାରେ, ୧୧ରୁ ୧୯ ବର୍ଷ ବୟସର କିଶୋରୀଙ୍କ ମଧ୍ୟରେ ମଧ୍ୟ PCOS ସମସ୍ୟା ଦେଖାଯାଉଛି । ଏହି ବୟସରେ ହର୍ମୋନ୍ ଓ ମେଟାବୋଲିକ୍ ପରିବର୍ତ୍ତନ ହେଉଥିବାରୁ ଲକ୍ଷଣ ଦେଖାଦେଲେ ଚିକିତ୍ସକଙ୍କ ପରାମର୍ଶ ନେବା ଜରୁରୀ । କେବଳ ଖାଦ୍ୟାଭ୍ୟାସ ନୁହେଁ, ଡିଜିଟାଲ୍ ଜୀବନଶୈଳୀକୁ ନେଇ ମଧ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକାଶ କରିଛନ୍ତି।

Also Read- Life Style: ବିଳମ୍ବିତ ରାତି ଯାଏ ଅନିଦ୍ରା ରହୁଥିଲେ ସାବଧାନ ! ବଢ଼ିପାରେ ଏହିସବୁ ସ୍ୱାସ୍ଥ୍ୟ ସମସ୍ୟା

AIIMS ନୂଆଦିଲ୍ଲୀର ସାଇକିଆଟ୍ରି ବିଭାଗର ଚାଇଲ୍ଡ ସାଇକୋଲୋଜିଷ୍ଟ ରେନୁ ଶର୍ମାଙ୍କ କହିବା ଅନୁସାରେ, ଆଜିକାଲି କିଶୋରକିଶୋରୀମାନେ ସୋସିଆଲ୍ ମିଡିଆ, WhatsApp, ଅନଲାଇନ୍ ଗେମ୍ ଏବଂ ଚାଟିଂରେ ଅଧିକ ସମୟ ବିତାଉଛନ୍ତି। ଫଳରେ ଶାରୀରିକ କାର୍ଯ୍ୟକଳାପ ପାଇଁ ସମୟ କମିଯାଉଛି । ଅଧିକ ସ୍କ୍ରିନ୍ ଟାଇମ୍ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବା ସହ ମୋଟାପଣ, ଅଧିକ ଚାପ ଏବଂ ବ୍ୟବହାରଗତ ସମସ୍ୟା ଦେଖା ଯାଉଛି। ଏହି କାରଣରୁ ପିଲା ଓ କିଶୋରଙ୍କ ପାଇଁ ସ୍କ୍ରିନ୍ ଟାଇମ୍ ନିର୍ଦ୍ଧାରଣ କରିବା ଉପରେ ଧ୍ୟାନ ଦେବାକୁ ବିଶେଷଜ୍ଞମାନେ କହିଛନ୍ତି । ଏହା ସହ କିଶୋରୀଙ୍କ ମଧ୍ୟରେ ବଢୁଥିବା ମୋଟାପଣ ଓ ଜୀବନଶୈଳୀଜନିତ ସମସ୍ୟାକୁ ନେଇ ସ୍କୁଲ, ଅଭିଭାବକ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞ ସମସ୍ତେ ସଚେତନତା ରହିବା ଜରୁରୀ । ସୁସ୍ଥ ଖାଦ୍ୟ, ନିୟମିତ ଶାରୀରିକ କାର୍ଯ୍ୟକଳାପ ଓ ସନ୍ତୁଳିତ ଡିଜିଟାଲ୍ ବ୍ୟବହାର କିଶୋରୀଙ୍କ ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ।