କଟକ: ପଡ଼ିଆରେ ହଜାର ହଜାର ଦର୍ଶକଙ୍କ ହୋହଲ୍ଲା । ବ୍ୟାଟରେ ବଲ୍ ବାଜିବାର ଶବ୍ଦ । ବୋଲରଙ୍କ ଦୌଡ଼ । ଫିଲ୍ଡରଙ୍କ ଡାକ । ଅନ୍ୟମାନଙ୍କ ପାଇଁ ଏସବୁ କ୍ରିକେଟର ଅଂଶ । କିନ୍ତୁ ଶିବୁନ ନନ୍ଦଙ୍କ ପାଇଁ ଖେଳର ଭାଷା ଅଲଗା । ସେ ଶୁଣିପାରନ୍ତି ନାହିଁ, କଥା ମଧ୍ୟ କହିପାରନ୍ତି ନାହିଁ । ତଥାପି ବଲ୍‌ର ଗତି ବୁଝନ୍ତି, ଖେଳର ପରିସ୍ଥିତି ପଢ଼ନ୍ତି । ନିଜ ବ୍ୟାଟ୍ ଓ ବଲ୍ରେ ଉତ୍ତର ଦିଅନ୍ତି । ମୂକ ଓ ବଧିର କ୍ରିକେଟରୁ ଓଡ଼ିଶା ଟି-ଟ୍ୱେଣ୍ଟି ଲିଗରେ ସାଧାରଣ ଧାରାର କ୍ରିକେଟରଙ୍କ ସହ ଏକାଠି ଖେଳୁଛନ୍ତି । ଶିବୁନଙ୍କୁ ଏ ସୁଯୋଗ ଦେଇଛି ପ୍ରସିଦ୍ଧ ମସଲା ପ୍ରତିଷ୍ଠାନ ‘ଭାରତ ମସଲା' (ଜୟ ଭାରତ ସ୍ପାଇସେସ୍ ପ୍ରାଇଭେଟ୍ ଲିମିଟେଡ୍) । କଟକ ପାନ୍ଥର୍ସ ଦଳର ସଦସ୍ୟ ହୋଇଛନ୍ତି । ତାଙ୍କ ପାଇଁ ଏହା କେବଳ ଆଉ ଏକ ଟୁର୍ଣ୍ଣାମେଣ୍ଟ ନୁହେଁ ଏହା ନିଜକୁ ସୀମା ଭିତରେ ବନ୍ଦ କରିନରଖିବାର ଏକ ନୂଆ ଅଧ୍ୟାୟ । ଦକ୍ଷିଣ ଆଫ୍ରିକା ଗସ୍ତ ଲାଗି ଭାରତୀୟ ବଧିର କ୍ରିକେଟ୍ ଦଳରେ ଓଡ଼ିଶାର ଶିବୁନ ନନ୍ଦଙ୍କୁ ସାମିଲ କରାଯାଇଛି ।

ବଲିଉଡ୍ ଫିଲ୍ମ ‘ଇକବାଲ୍’ ଦର୍ଶକଙ୍କ ହୃଦୟ ଛୁଇଁଥିଲା । ଫିଲ୍ମର କାହାଣୀ ଜଣେ ମୂକ ଓ ବଧିର କ୍ରିକେଟରଙ୍କୁ ନେଇ ଗଢ଼ି ଉଠିଥିଲା । ଶୁଣି ପାରୁ ନଥିଲେ କି କହି ପାରୁ ନଥିଲେ, କିନ୍ତୁ ଭାରତ ପାଇଁ ଖେଳିବାର ସ୍ୱପ୍ନ ଦେଖିଥିଲେ ଏବଂ ସବୁ ବାଧାକୁ ଦୂର କରି ତାହାକୁ ବାସ୍ତବ ମଧ୍ୟ କରି ଦେଖାଇଥିଲେ । ଏବେ ସେହି ବଲିଉଡ୍ ଫିଲ୍ମର କାହାଣୀ ଜୀବନ୍ତ ହୋଇଛି ୧୯ ବର୍ଷୀୟ ସିବୁନ ନନ୍ଦଙ୍କ ରୂପରେ ।

ଶିବୁନଙ୍କ ପାଇଁ ଶବ୍ଦ ହୁଏତ ଏକ ଅଜଣା ଅନୁଭୂତି, ଆଜି ସେ ଓଡ଼ିଶାର ସବୁଠୁ ବଡ଼ ଟି-ଟ୍ୱେଣ୍ଟି ମଞ୍ଚରେ ଅନ୍ୟମାନଙ୍କ ସହ କାନ୍ଧକୁ କାନ୍ଧ ମିଶାଇ ଖେଳୁଛନ୍ତି । ଗଞ୍ଜାମରୁ ଆରମ୍ଭ ହୋଇଥିଲା ଶିବୁନଙ୍କ ଯାତ୍ରା । ପିଲାଦିନରୁ ଶ୍ରବଣ ଓ କଥନ ସମସ୍ୟା ଥିଲେ ମଧ୍ୟ କ୍ରିକେଟ୍ ପ୍ରତି ତାଙ୍କ ଭଲପାଇବାରେ କେବେ ଭଟ୍ଟା ପଡ଼ିନଥିଲା । ପଡ଼ିଆରେ ସାଥୀଙ୍କ ସହ ଯୋଗାଯୋଗ ପାଇଁ ଇଶାରା, ଦୃଷ୍ଟି ଓ ଖେଳର ବୁଝାମଣାକୁ ସେ ନିଜର ଭାଷା କରିଥିଲେ । ଅନ୍ୟମାନଙ୍କ ପାଇଁ ଯେଉଁଠି ଶବ୍ଦ ଥିଲା ନିର୍ଦ୍ଦେଶ, ଶିବୁନଙ୍କ ପାଇଁ ଥିଲା ଦୃଷ୍ଟି ଓ ସଙ୍କେତ । ଜିଲ୍ଲାସ୍ତରରୁ ଆରମ୍ଭ କରି ଓଡ଼ିଶାର ବୟସଭିତ୍ତିକ କ୍ରିକେଟ୍ ପର୍ଯ୍ୟନ୍ତ ସେ ନିଜ ପ୍ରତିଭା ପ୍ରମାଣ କରିଥିଲେ ।

Also Read:ODI cricket: ଦିନିକିଆ କ୍ରିକେଟର ତଣ୍ଟି ଚିପି ଚାଲିଛି ଖୋଦ୍ ICC, ନୂଆ ରିପୋର୍ଟରେ ବଡ଼ ଖୁଲାସା

୧୬ ବର୍ଷରୁ କମ୍ ମ୍ୟାଚରେ ନବରଙ୍ଗପୁର ବିପକ୍ଷରେ ମାତ୍ର ୨୦ ରନ୍ ଦେଇ ୭ ୱିକେଟ୍ ନେବା ତାଙ୍କ କ୍ରିକେଟ୍ ପ୍ରତିଭାର ଏକ ଉଲ୍ଲେଖନୀୟ ଝଲକ ଥିଲା । ପରେ ଓଡ଼ିଶା ବୟସଭିତ୍ତିକ ଦଳରେ ସୁଯୋଗ ପାଇ ସେ ଆହୁରି ଆଗକୁ ବଢ଼ିଥିଲେ । ବଧିର କ୍ରିକେଟ୍ ତାଙ୍କୁ ଦେଇଥିଲା ଜାତୀୟ ପରିଚୟ । ଭାରତୀୟ ବଧିର କ୍ରିକେଟ୍ ଦଳରେ ସ୍ଥାନ ପାଇବା ସହ ଅନ୍ତର୍ଜାତୀୟ ସ୍ତରରେ ଦେଶକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ । ଓଡ଼ିଶାର ଜଣେ ଯୁବକଙ୍କ ପାଇଁ ଏହା ନିଶ୍ଚିତ ଭାବେ ଏକ ବଡ଼ ଉପଲବ୍ଧି । କିନ୍ତୁ ଶିବୁନ ଏଠି ଅଟକି ଯାଇନାହାନ୍ତି । ଏବେ ତାଙ୍କ ଲକ୍ଷ୍ୟ ଆହୁରି ବଡ଼ । ଓଡ଼ିଶା ଟି ଟ୍ୱେଣ୍ଟି ଲିଗ ସେ ଏବେ ସାଧାରଣ ଧାରାର ଓଡ଼ିଆ କ୍ରିକେଟଙ୍କ ସହ ସମାନ ମଞ୍ଚରେ ଖେଳୁଛନ୍ତି । ଏଠାରେ ତାଙ୍କୁ ଅଲଗା କରି ଦେଖିବାର ପ୍ରଶ୍ନ ନାହିଁ । ପ୍ରତିପକ୍ଷ ବୋଲର୍ ବଲ୍ ପକାଇବେ, ଶିବୁନ ବ୍ୟାଟ୍ ଚଳାଇବେ, ପ୍ରତିପକ୍ଷ ବ୍ୟାଟରଙ୍କ ସମ୍ମୁଖରେ ସେ ବୋଲିଂ କରିବେ । ଏଠାରେ ପରିଚୟ ଗୋଟିଏ, ତାହା ହେଲା କ୍ରିକେଟର । ଏହି ଲିଗ୍ ତାଙ୍କ ପାଇଁ ଆଉ ଏକ ବଡ଼ ପରୀକ୍ଷା । ବଧିର କ୍ରିକେଟ୍ରେ ଯେଉଁ ଅନୁଭୂତି ଓ ଦକ୍ଷତା ସେ ହାସଲ କରିଛନ୍ତି, ତାହାକୁ ସାଧାରଣ ଧାରାର ପ୍ରତିଯୋଗିତାରେ ପ୍ରମାଣ କରିବାର ମଞ୍ଚ ମିଳିଛି । ଏଠାରେ ତାଙ୍କ ପାଇଁ ଇଶାରା ହିଁ ସଙ୍କେତ, ଆଖି ହିଁ ଯୋଗାଯାଗ ଓ କ୍ରିକେଟ୍ ହିଁ ଭାଷା । ବାରବାଟୀର ଗ୍ୟାଲେରୀରେ ଯେତେବେଳେ ଚାରି କିମ୍ୱା ଛକା ପାଇଁ ହଜାର ହଜାର ଲୋକଙ୍କ ତାଳି ବାଜିବ, ଶିବୁନ ହୁଏତ ସେହି ଶବ୍ଦ ଶୁଣିପାରିବେ ନାହିଁ । କିନ୍ତୁ ସେହି ତାଳିର ଅର୍ଥ ନିଶ୍ଚିତ ବୁଝିପାରିବେ ।