ନୂଆଦିଲ୍ଲୀ: ମୋବାଇଲ୍ ଆପ୍ ମାଧ୍ୟମରେ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ମଗାଉଥିଲେ ସାବଧାନ! କାରଣ କମ୍ପାନୀଗୁଡ଼ିକ ସାମାନ୍ୟ ଲାଭ ପାଇଁ ଗ୍ରାହକଙ୍କୁ ବିଷ ବିକିବାକୁ ସୁଧା ପଛାଉ ନାହାନ୍ତି। ନିମ୍ନ ମାନର ସାମଗ୍ରୀ ଓ ଖାଦ୍ୟ ବିକ୍ରି ନେଇ ଯଦିଓ ପୂର୍ବରୁ ଅନେକ ଅଭିଯୋଗ ଆସିଛି, ହେଲେ ଏଥର ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ଦେଶରେ ୫ ବଡ଼ ଇ-କମର୍ଶ କମ୍ପାନୀଙ୍କ ବିରୁଦ୍ଧରେ ମାମଲା ଆରମ୍ଭ କରିଛି।

ଅନଲାଇନ୍ ପ୍ଲାଟଫର୍ମରେ ଭୁଲ ତଥ୍ୟ ଦେଇ ଏହି କମ୍ପାନୀମାନେ ଗ୍ରାହକଙ୍କୁ ଭୂଆଁ ବୁଲାଉଥିଲେ। ନିଷିଦ୍ଧ ଓ ବିପଜ୍ଜନକ ସାମଗ୍ରୀ ବିକ୍ରି କରି ନିୟମକ ଉଲ୍ଲଂଘନ କରିଥିଲେ। ଅଭିଯୋଗରେ ୫ଟି ବଡ଼ କମ୍ପାନୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଏଫ୍ଏସଏସ୍ଏଆଇ ।

ଏହି ତାଲିକାରେ ଆମାଜନ୍, ସ୍ୱିଗି ଇନଷ୍ଟାମାର୍ଟ, ବିଗବାସ୍କେଟ୍, ଫ୍ଲିପକାର୍ଟ ଏବଂ ଜେପ୍ଟୋ ରହିଛନ୍ତି। ଅଭିଯୋଗଗୁଡ଼ିକ ନେଇ ଏବେ ତଦନ୍ତ ଆରମ୍ଭ ହୋଇଛି। ତଦନ୍ତ ପରେ ଦୋଷ ପ୍ରମାଣିତ ହେଲେ ଜରିମାନା କିମ୍ବା ଅନ୍ୟାନ୍ୟ ଆଇନଗତ ଦଣ୍ଡ ନିର୍ଦ୍ଧାରଣ ହୋଇପାରେ।

ସବୁଠାରୁ ଗମ୍ଭୀର ଅଭିଯୋଗ ଅନଲାଇନ୍ରେ ବିଷାକ୍ତ ଦୁଦୁରା ଫଳ ବିକ୍ରି

ଏହି ମାମଲାରେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ବିଷାକ୍ତ ଦୁଦୁରା ଫଳ ଏବଂ ଏହାର ବିହନ ଅନଲାଇନ୍ରେ ବିକ୍ରି ହେବା। ଦୁଦୁରା ବିଷାକ୍ତ ଉଦ୍ଭିଦ ଭାବେ ଗଣାଯାଏ। ଏହାକୁ ସାଧାରଣ ଖାଦ୍ୟ ସାମଗ୍ରୀ ଭଳି ଖୋଲାଖୋଲି ବିକ୍ରି କରିବା ନେଇ ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନର ଅଭିଯୋଗ ଆସିଛି। ଆସନ୍ତୁ କେଉଁ ଆପ ବିରୁଦ୍ଧରେ କ’ଣ ଅଭିଯୋଗ ରହିଛି ଜାଣିବା।

କେଉଁ ଆପ୍‌ରେ କ’ଣ ଅଭିଯୋଗ?

ଆମାଜନ୍: ହ୍ୟାପିଲୋ ବ୍ରାଣ୍ଡର ଖଜୁରୀକୁ ନେଇ ଭୁଲ ତଥ୍ୟ ଦେବା ମିଥ୍ୟ ପ୍ରଚାର କରି ଗ୍ରାହକଙ୍କୁ ଭ୍ରମିତ କରୁଥିବାର ଅଭିଯୋଗ ହୋଇଛି। ଏବଂ ଏହି ପ୍ଲାଟଫର୍ମରେ ବିଷାକ୍ତ ଦୁଦୁରା ଫଳ ବିକ୍ରି ହେଉଥିବା ମଧ୍ୟ ଦେଖିବାକୁ ମିଳିଛି।

ସ୍ୱିଗି ଇନଷ୍ଟାମାର୍ଟ: ହ୍ୟାପିଲୋ ଖଜୁରୀ ସହିତ ‘ମିଲ୍କି ମିଷ୍ଟ’ ବ୍ରାଣ୍ଡର କ୍ରିମ୍, ଦହି ଏବଂ ଯୋଗର୍ଟ(ଏକପ୍ରକାର ଦହି) ସମ୍ପର୍କରେ ଭୁଲ ତଥ୍ୟ ଦେବା ଅଭିଯୋଗ ହୋଇଛି। ଏହାସହ ଦୁଦୁରା ବିକ୍ରିର ଲିଷ୍ଟିଂ ମଧ୍ୟ ମିଳିଥିବା କୁହାଯାଇଛି।
ବିଗବାସ୍କେଟ୍: ଟାଟାର ଏହି ପ୍ଲାଟଫର୍ମରେ ହ୍ୟାପିଲୋ ଖଜୁରୀ, ମିଲ୍କି ମିଷ୍ଟର ୩ଟି ଡେୟରୀ ପ୍ରଡକ୍ଟ ଏବଂ ଦୁଦୁରା ଲିଷ୍ଟିଂ ମିଳିଥିବା ଅଭିଯୋଗ ହୋଇଛି।
ଫ୍ଲିପକାର୍ଟ: ହ୍ୟାପିଲୋ ବ୍ରାଣ୍ଡର ଖଜୁରୀ ସମ୍ପର୍କରେ ଗ୍ରାହକଙ୍କୁ ଭୂଆଁ ବୁଲାଇବା ପାଇଁ ମିଥ୍ୟା ତଥ୍ୟ ଦିଆଯାଇଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

ଜେପ୍ଟୋ: ହ୍ୟାପିଲୋ ଖଜୁରୀର ଲିଷ୍ଟିଂରେ ଭୁଲ ତଥ୍ୟ ଦେଇ ବିକ୍ରି କରାଯାଉଥିବା ଅଭିଯୋଗରେ ଏହି କ୍ୱିକ୍-କମର୍ସ ପ୍ଲାଟଫର୍ମ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇଛି।

Also read- ଶୁଳ୍କ କମାଇଲେ ସରକାର: ପାର୍ବଣରେ କମିବ ଖାଇବା ତେଲର ଦାମ୍, କେଉଁ ତେଲର ଦାମ ଅଧିକ କମିବ ଜାଣନ୍ତୁ

କ୍ୱିକ୍-କମର୍ସରେ ଖାଦ୍ୟ ସୁରକ୍ଷା ଉପରେ ଫୋକସ୍

ବର୍ତ୍ତମାନ ୧୦ରୁ ୧୫ ମିନିଟ୍ ମଧ୍ୟରେ ଘରେ ରାସନ୍ ଓ ଖାଦ୍ୟ ସାମଗ୍ରୀ ପହଞ୍ଚାଇବାର ଚାହିଦା ବଢ଼ିଛି। ଲୋକେ ଦୋକାନକୁ ଯିବା ବଦଳରେ ମୋବାଇଲ୍ ଆପ୍ରୁ ସିଧାସଳଖ ଅର୍ଡର କରୁଛନ୍ତି। ଏଭଳି ସମୟରେ FSSAIର ଏହି କାର୍ଯ୍ୟାନୁଷ୍ଠାନ ଅନଲାଇନ୍ ପ୍ଲାଟଫର୍ମରେ ଥିବା ଖାଦ୍ୟ ସାମଗ୍ରୀର ତଥ୍ୟ, ଲେବଲ୍, ଦାବି ଏବଂ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି।

ତଦନ୍ତ ପରେ ଅଭିଯୋଗ ପ୍ରମାଣିତ ହେଲେ ସମ୍ପୃକ୍ତ କମ୍ପାନୀ କିମ୍ବା ବିକ୍ରେତାଙ୍କ ବିରୋଧରେ ଆଇନ ଅନୁସାରେ ଜରିମାନା ସହ ଅନ୍ୟାନ୍ୟ ପଦକ୍ଷେପ ନିଆଯାଇପାରେ।

ଅନଲାଇନରୁ ଅଫ୍ଲାନକୁ ମୁହଁ ଫେରାଇ ନେବେ ଗ୍ରାହକ

ଖାଲି ଖାଦ୍ୟ ସାମଗ୍ରୀ କାହିଁକି ଏଥିରେ ଗେଜେଟ, ଇଲେକ୍ଟ୍ରୋନିକ୍ସ ପ୍ରଡକ୍ଟ ଆଦି ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ନକଲି ମିଳୁଥିବାର ଅଭିଯୋଗ ଆସୁଛି। ହେଲେ ଖାଇବା ସାମଗ୍ରୀରେ ଏଭଳି ଧାରା ଖାଉଟିକୁ ଚିନ୍ତାରେ ପକାଇଛି। ତେଣୁ ଗ୍ରାହକ ଏବେ ଅନ୍ଲାଇନ ସାମଗ୍ରୀ କିଣିବାକୁ ଭୟ କରୁଛନ୍ତି। କେଉଁଟା ଅସଲି ? କେଉଁଟା ନକଲି ସେମାନଙ୍କ ପକ୍ଷରେ ଜାଣିବା କଷ୍ଟକର ହେଉଛି। ଏପରି କ୍ଷେତ୍ରରେ ଏବେ ଗ୍ରାହକ କହୁଛନ୍ତି ଅନ୍ଲାଇନ ପ୍ଲାଟଫର୍ମ ଅପେକ୍ଷା ଅଫ୍ଲାଇନ ମାର୍କେଟ୍ ଉପରେ ଭରସା କରିବା ଭଲ।