ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ମନରେ ଏବେ ଗୋଟିଏ ବଡ଼ ପ୍ରଶ୍ନ କିଏ ହେବେ ଭାରତୀୟ ପୁରୁଷ କ୍ରିକେଟ୍ ଟିମର ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା ? ବର୍ତ୍ତମାନର ମୁଖ୍ୟ ଚୟନକର୍ତ୍ତା ଅଜିତ୍ ଅଗରକରଙ୍କ କାର୍ଯ୍ୟକାଳ ଆସନ୍ତା ଅକ୍ଟୋବର ୪ ତାରିଖରେ ଶେଷ ହେବାକୁ ଯାଉଛି । ଏହାସହ ସେ ପୁନର୍ବାର ଏହି ପଦବୀରେ ରହିବାକୁ ଆଗ୍ରହୀ ନୁହନ୍ତି ବୋଲି ପୂର୍ବରୁ ବିସିସିଆଇକୁ ଜଣାଇସାରିଛନ୍ତି । ଏହି ଚର୍ଚ୍ଚା ଭିତରେ ବିସିସିଆଇ ସମ୍ପାଦକ ଦେବଜୀତ ସାଇକିଆ ଏକ ବଡ଼ ବୟାନ ଦେଇଛନ୍ତି ।

ଅକ୍ଟୋବର ୪ ପରେ ନିଆଯିବ ନିଷ୍ପତ୍ତି

ନ୍ୟୁଜ୍ ଏଜେନ୍ସି ପିଟିଆଇ ସହ କଥାବାର୍ତ୍ତା ବେଳେ ଦେବଜୀତ ସାଇକିଆ କହିଛନ୍ତି ଯେ, ଅଜିତ୍ ଅଗରକରଙ୍କ ଚୁକ୍ତି ଅକ୍ଟୋବର ୪ ତାରିଖରେ ଶେଷ ହେଉଛି । ପଦବୀ ଖାଲି ହେବା ପରେ ହିଁ ନୂଆ ଚିଫ୍ ସିଲେକ୍ଟର ଚୟନ ପ୍ରକ୍ରିୟା ଆରମ୍ଭ ହେବ। ବୋର୍ଡ ସଠିକ୍ ସମୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ ଏବଂ ଏହି ସୂଚନା ଆନୁଷ୍ଠାନିକ ଭାବେ ସାର୍ବଜନୀନ କରାଯିବ ।

Also Read: ତିନିବର୍ଷ ପରେ ଭାରତ ଫେରିଲା ଆଇପିଏଲ୍ ନିଲାମ, ସ୍ଥାନ ସ୍ଥିର, ତାରିଖ ବି ହେଲା ଘୋଷଣା

ଅଗରକରଙ୍କ ସଫଳ କାର୍ଯ୍ୟକାଳ

ଜୁଲାଇ ୨୦୨୩ରେ ଚେତନ ଶର୍ମାଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିଥିଲେ ଅଜିତ୍ ଅଗରକର । ତାଙ୍କ ଦାୟିତ୍ୱ କାଳ ମଧ୍ୟରେ ଭାରତୀୟ କ୍ରିକେଟ ଦଳ ଅନେକ ସଫଳତା ହାସଲ କରିଛି । ତାଙ୍କ ମାର୍ଗଦର୍ଶନରେ ଭାରତ ୨୦୨୩ ଦିନିକିଆ ବିଶ୍ୱକପ୍ ଫାଇନାଲରେ ପହଞ୍ଚିବା ସହ ୨୦୨୪ ଟି-୨୦ ବିଶ୍ୱକପ୍, ୨୦୨୨୫ ଚାମ୍ପିୟନ୍ସ ଟ୍ରଫି ଏବଂ ୨୦୨୬ ଟି-୨୦ ବିଶ୍ୱକପ୍ ଟାଇଟଲ୍ ନିଜ ନାମରେ କରିଛି ।

୨୦୨୭ ବିଶ୍ୱକପ୍ ଉପରେ ନଜର

୨୦୨୭ ଦିନିକିଆ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଆରମ୍ଭ ହେଉଥିବା ବେଳେ ନୂଆ ଚିଫ୍ ସିଲେକ୍ଟରଙ୍କ ଆଗମନ ଦଳର ରଣନୀତିରେ ନୂଆ ମୋଡ଼ ଆଣିପାରେ । ଆଗାମୀ ଦିନରେ ୨୦୨୭ ବିଶ୍ୱକପ୍ ସମେତ ୨୦୨୮ ଟି-୨୦ ବିଶ୍ୱକପ୍ ଏବଂ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ ଶକ୍ତିଶାଳୀ ଦଳ ଗଠନ କରିବା ନୂଆ ସିଲେକ୍ଟରଙ୍କ ପାଇଁ ବଡ଼ ଆହ୍ୱାନ ହେବ ।

Also Read: ODI cricket: ଦିନିକିଆ କ୍ରିକେଟର ତଣ୍ଟି ଚିପି ଚାଲିଛି ଖୋଦ୍ ICC, ନୂଆ ରିପୋର୍ଟରେ ବଡ଼ ଖୁଲାସା

ଏସିଆନ୍ ଗେମ୍ସରେ ଭାରତର ପ୍ରଦର୍ଶନ

ଅନ୍ୟପଟେ ଭାରତୀୟ ପୁରୁଷ କ୍ରିକେଟ୍ ଟିମ୍ ଏବେ ଜାପାନରେ ଅଛି, ଯେଉଁଠାରେ ଦଳ ସେପ୍ଟେମ୍ବର ୨୮ରେ ଏସିଆନ୍ ଗେମ୍ସର କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଖେଳିବେ । ଏପର୍ଯ୍ୟନ୍ତ ଭାରତ ବିପକ୍ଷରେ କ୍ଵାର୍ଟର ଫାଇନାଲରେ କେଉଁ ଦଳ ଖେଳିବ ତାହା ଚୂଡ଼ାନ୍ତ ହୋଇନାହିଁ । ଅନ୍ୟପଟେ, ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଫାଇନାଲରେ ଶ୍ରୀଲଙ୍କାକୁ ୧୪୭ ରନର ବିଶାଳ ବ୍ୟବଧାନରେ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିସାରିଛି। ସମ୍ପାଦକ ଦେବଜୀତ ସାଇକିଆ ମହିଳା ଟିମ ଶୁଭେଚ୍ଛା ଜଣାଇବା ସହ ପୁରୁଷ ଟିମ୍ ମଧ୍ୟ ସ୍ୱର୍ଣ୍ଣ ଜିତିବ ବୋଲି ଆଶାପ୍ରକଟ କରିଛନ୍ତି।