ଭୁବନେଶ୍ୱର: ବର୍ଷା ଥମିବାର ନାଁ ନେଉନି। ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ଏପଟେ ଅତ୍ୟଧିକ ବର୍ଷାକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାରେ ସ୍କୁଲ ବନ୍ଦ ରଖାଯାଇଥିବା ବେଳେ, ଆଗକୁ ଆହୁରି ଦିନେ ଦୁଇଦିନ ସ୍କୁଲ ଛୁଟି ବଢ଼ିପାରେ ବୋଲି ଚର୍ଚ୍ଚା ହେଉଛି। ବାରମ୍ବାର ଅତ୍ୟଧିକ ବର୍ଷା ଓ ପ୍ରତିକୂଳ ପାଣିପାଗ ଯୋଗୁଁ ସ୍କୁଲ ବନ୍ଦ ରହୁଛି। ଫଳରେ ଶିକ୍ଷାବର୍ଷ ପ୍ରଭାବିତ ହେବା ସହ ପିଲାମାନଙ୍କ ପାଠପଢ଼ାରେ ମଧ୍ୟ ବାଧା ସୃଷ୍ଟି ହୋଇଛି। ତେବେ ଛୁଟି ଯୋଗୁଁ ପାଠପଢ଼ାରେ ଯେଉଁ ବ୍ୟାହତ ହେବ, ତାହାକୁ ଆବଶ୍ୟକ ପଡ଼ିଲେ ଅତିରିକ୍ତ Class ମାଧ୍ୟମରେ ଭରଣା କରାଯିବ।

ଅନ୍ୟପଟେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିଛି। ମାଲକାନଗିରିରେ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇଥିବା ବେଳେ ୪ଟି ବ୍ରିଜ୍ ଉପରେ ପାଣି ଚାଲୁଛି। ଏହାକୁ ଦୃଷ୍ଟିରେ ରଖି କିଛି ଜାତୀୟ ରାଜପଥରେ ଯାତାୟାତ ବନ୍ଦ କରାଯାଇଛି।

ନାମାକୋଣ୍ଡା ଗାଁରେ ମଧ୍ୟ ବର୍ଷାଜଳ ପଶିଥିବା ସୂଚନା ମିଳିଛି। ଜଳବନ୍ଦୀ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରାଯାଉଛି। ତେବେ ଏପର୍ଯ୍ୟନ୍ତ ବିଶେଷ କ୍ଷୟକ୍ଷତି ହୋଇନଥିବା କୁହାଯାଇଛି। କୋରାପୁଟ ଓ ନବରଙ୍ଗପୁରରେ ବର୍ଷାର ପ୍ରଭାବ ଥିଲେ ମଧ୍ୟ ବିଶେଷ କ୍ଷୟକ୍ଷତି ହୋଇନାହିଁ। ସ୍ଥିତି ଉପରେ ପ୍ରଶାସନ ନଜର ରଖିଛି। ଏପଟେ ବର୍ଷାଜନିତ ସ୍ଥିତିର ସମୀକ୍ଷା ପାଇଁ ପଞ୍ଚାୟତିରାଜ ମନ୍ତ୍ରୀ ମାଲକାନଗିରି ଗସ୍ତ କରିଛନ୍ତି।

ସେପଟେ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦେଖି ସ୍କୁଲ ଖୋଲିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବ। ପିଲାଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ସହ ପାଠପଢ଼ାରେ ହୋଇଥିବା କ୍ଷତିକୁ Extra Class ମାଧ୍ୟମରେ ଭରଣା କରାଯିବା ଉପରେ ଗୁରୁତ୍ୱ ଦିଆଯିବ।