ମୁମ୍ବାଇ: ଭାରତରେ ବଡ଼ ବ୍ୟବସାୟୀ ଅଥବା ସବୁଠୁ ଧନୀ ବ୍ୟକ୍ତିଙ୍କ କଥା କହିଲେ ଲୋକଙ୍କ ମୁହଁକୁ ଅମ୍ବାନୀ ଓ ଆଦାନୀଙ୍କ ନାମ ସ୍ୱତଃ ଆସିଯାଏ। ହେଲେ ଏହି ଦୁଇ ଜଣ ମଧ୍ୟରେ ଭାରତର ସବୁଠୁ ଧନୀ ଲୋକଙ୍କ ତାଲିକାରେ ଆହୁରି ବି ଅନେକ ଲୋକ ଅଛନ୍ତି। ନିକଟରେ ଏହାର ଏକ ତାଲିକା ସାମ୍ନାକୁ ଆସିଛି, ଯେଉଁଥିରେ ଭାରତର ଶୀର୍ଷ ୨୭ ବିଲେନିୟରଙ୍କ ନାଁ ଅଛି। M3M ହୁରୁନ ଇଣ୍ଡିଆ ରିଚ୍ ଲିଷ୍ଟ ୨୦୨୬ ଅନୁସାରେ ଭାରତର ସବୁଠୁ ଧନୀ ଲୋକଙ୍କ ତାଲିକାରେ ଗୌତମ ଆଦାନୀ ଓ ତାଙ୍କ ପରିବାର ପୁଣି ଥରେ ପ୍ରଥମ ସ୍ଥାନକୁ ପହଞ୍ଚି ଯାଇଛନ୍ତି।

ଏହି ତାଲିକା ଅନୁସାରେ ଆଦାନୀ ପରିବାରର ମୋଟ ସମ୍ପତ୍ତି ପାଖାପାଖି ୯.୩୩ ଲକ୍ଷ କୋଟି ଟଙ୍କା। ଗତବର୍ଷ ଏହି ତାଲିକାରେ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାର ପ୍ରଥମ ସ୍ଥାନରେ ଥିଲେ। ଚଳିତବର୍ଷ ଅମ୍ବାନୀ ପରିବାରଙ୍କ ସମ୍ପତ୍ତି ହ୍ରାସ ହୋଇ ପାଖାପାଖି ୮.୬୩ଲକ୍ଷ କୋଟି ଟଙ୍କା ହୋଇଯାଇଛି। ଆଦାନୀ ପରିବାରଙ୍କ ସମ୍ପତ୍ତିରେ ଗତବର୍ଷ ତୁଳନାରେ ପାଖାପାଖି ୧୩% ବୃଦ୍ଧି ହୋଇଛି। ଭାରତରେ ଧନୀକଙ୍କ ଟପ ୧୦ ସୂଚୀର ପ୍ରଥମ ସ୍ଥାନରେ ଗୌତମ ଆଦାନୀ ଓ ତାଙ୍କ ପରିବାର ଥିବା ବେଳେ ଦ୍ୱିତୀୟ ସ୍ଥାନରେ ମୁକେଶ ଅମ୍ବାନୀ ଓ ପରିବା ଏବଂ ତୃତୀୟ ସ୍ଥାନରେ ଏଲ.ଏନ.ମିତ୍ତଲ ଓ ପରିବାର ଅଛନ୍ତି।

ସାଇରସ ପୁନାୱାଲା ଓ ପରିବାର ଚତୁର୍ଥ ସ୍ଥାନରେ ଥିବା ବେଳେ ରୋସନୀ ନାଦର ମଲହୋତ୍ରା ଓ ପରିବାର ପଞ୍ଚମ, କୁମାର ମଙ୍ଗଳମ ବିରଳା ଓ ପରିବାର ଷଷ୍ଠ, ଦିଲୀପ ସାନ୍ଧୱି ଓ ପରିବାର ସପ୍ତମ, ଅଜିମ ପ୍ରେମଜୀ ଓ ପରିବାର ଅଷ୍ଟମ, ଅନିଲ ଅଗ୍ରୱାଲ ଓ ପରିବାର ନବମ ଓ ସମୀର ମେହେଟ୍ଟା ପରିବାର ଶୀର୍ଷ ୧୦ ସ୍ଥାନରେ ଅଛନ୍ତି। ଏହି ରିପୋର୍ଟ ଅନୁସାରେ ଭାରତରେ ୧ ବିଲିୟନ ଡଲାର ଅର୍ଥାତ ୮ହଜାର କୋଟି ଟଙ୍କାରୁ ଅଧିକ ସମ୍ପତ୍ତିରେ ୩୯୧ ଜଣ ବିଲେନିୟର ଅଛନ୍ତି।

ଗତବର୍ଷ ଏପରି ବିଲେନିୟରଙ୍କ ତାଲିକାରେ ୨୭ ନୂଆ ନାମ ଯୋଡି ହୋଇଛି। ୫ ବର୍ଷ ପୂର୍ବେ ଭାରତରେ ୨୩୭ ଜଣ ବିଲେନିୟର ଥିଲେ। ଅର୍ଥାତ ଏହି ସମୟରେ ସେମାନଙ୍କ ସଂଖ୍ୟାରେ ଢେର ବୃଦ୍ଧି ହୋଇଛି। ଏହି ରିପୋର୍ଟରେ ଏହା ବି କୁହାଯାଇଛି ଯେ କେବଳ ପାରମ୍ପରିକ ବ୍ୟବସାୟୀ ପରିବାର ନୁହନ୍ତି ବରଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ), ଡାଟା ସେଣ୍ଟର, ସେମି କଣ୍ଡକ୍ଚର, ଡିଫେନ୍ସ ଓ ଗ୍ରୀନ ଏନାର୍ଜୀ ଭଳି କ୍ଷେତ୍ରରୁ ମଧ୍ୟ ବିପୁଳ ସମ୍ପତ୍ତି ମିଳୁଛି। ଏଆଇ ବ୍ୟବସାୟ ସମ୍ପର୍କିତ ୧୯ ଜଣଙ୍କୁ ଚଳିତବର୍ଷ ବିଲେନିୟର ତାଲିକାରେ ଯୋଡା ଯାଇଛି। ଏଥିରେ ୧୫ ଜଣ ଏପରି ଅଛନ୍ତି ଯେଉଁମାନେ ତାଲିକାରେ ସମ୍ପୂର୍ଣ୍ଣ ନୂଆ। ଏହା ଛଡା ଡିଫେନ୍ସ ଓ ଏରୋ ସ୍ପେସ୍ କ୍ଷେତ୍ରରେ ମଧ୍ୟ ଧନୀକଙ୍କ ସଂଖ୍ୟା ବଢିବାରେ ଲାଗିଛି।