ଭୁବନେଶ୍ଵର: କୋଇଲା ଓ ପାଉଁଶ ପରିବହନ କରୁଥିବା ଗାଡ଼ି କାରଣରୁ ଚାରୋଟି ଜିଲ୍ଲାରେ ପ୍ରଦୂଷଣ ଯୋଗୁଁ ଲୋକଙ୍କୁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ରାସ୍ତାରେ ଜାମ ସ୍ଥିତି ଉପୁଜିବା ସହ ପ୍ରଦୂଷଣ ବଢୁଛି। ଏହି ୪ଟି ଜିଲ୍ଲା ହେଉଛି ଅନୁଗୁଳ,ଝାରସୁଗୁଡ଼ା,ସୁନ୍ଦରଗଡ଼ ଓ ସମ୍ବଲପୁର। ସ୍ଥିତିକୁ ଦୃଷ୍ଟିରେ ରଖି ଏହି ୪ ଜିଲ୍ଲା ପାଇଁ ଯାତାୟାତ ସମୟ ନିର୍ଦ୍ଧାରଣ କରିଛି ଜିଲ୍ଲା ପ୍ରଶାସନ। ଏ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।

କୋଇଲା ଓ ପାଉଁଶ ପରିବହନ କରୁଥିବା ଗାଡ଼ି ଗୁଡ଼ିକ କେବଳ ରାତି ୧୦ ରୁ ସକାଳ ୬ ଟା ପର୍ଯ୍ୟନ୍ତ ଯାତାୟାତ କରିବ। ସକାଳ ୬ ଟାରୁ ରାତି ୧୦ ପର୍ଯ୍ୟନ୍ତ ଲୋକ ଯାତାୟାତ କରିବେ। ଏହି ସମୟ ମଧ୍ୟରେ ଦୁଇ ଚକିଆ,ଚାରି ଚକିଆ ଯାନ ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ ନେଇ ଆସୁଥିବା ଗାଡ଼ି ଗୁଡ଼ିକ ଯାତାୟାତ କରିବ। ଯଦି କୌଣସି କୋଇଲା ଓ ପାଉଁଶ ପରିବହନ କରୁଥିବା ଗାଡ଼ି ଗୁଡ଼ିକ ଯାତାୟାତ କରିବା ଖବର ଆସିବ ଗାଡ଼ି ମାଲିକ ଓ ସମ୍ପୃକ୍ତ କମ୍ପାନୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ।

Also Read: ରାଜ୍ୟରେ ମାଟି ତଳେ ବିଛାଯିବ ବିଦ୍ୟୁତ୍ ତାର: ବାତ୍ୟା ଓ ବିପର୍ଯ୍ୟୟ କ୍ଷୟକ୍ଷତି ରୋକିବାକୁ ସରକାରଙ୍କ ବଡ଼ ଯୋଜନା

ସେ କହିଛନ୍ତି ଅନୁଗୁଳ,ଝାରସୁଗୁଡ଼ା,ସୁନ୍ଦରଗଡ଼ ଓ ସମ୍ବଲପୁରରେ ଓଡ଼ିଶାର ତାପଜ ବିଦ୍ୟୁତ୍ ଉତ୍ପାଦନର ୯୪ ପ୍ରତିଶତ ଉତ୍ପାଦିତ ହୁଏ। OPGC, JSW ବିଦ୍ୟୁତ୍ ଉତ୍ପାଦନ କରେ। ସେଥିରୁ ବାହାରୁଥିବା ପାଉଁଶ ପରିବହନ ପାଇଁ SOP ରହିଛି। କିନ୍ତୁ ସମ୍ପୂର୍ଣ୍ଣ ସମସ୍ୟା ସମାଧାନ ହୋଇ ପାରିନାହିଁ। ବଡ ବଡ ଗାଡି ଯିବା ଆସିବା ଯୋଗୁଁ ଅନେକ ସମସ୍ୟା ଉପୁଜୁ ଥିଲା। ଏହାକୁ ଦୃଷ୍ଟିରେ ରଖି ପାଉଁଶ ପରିବହନ ଓ ଲୋକଙ୍କ ଯାତାୟାତ ସମୟ ଅଲଗା ଅଲଗା ଧାର୍ଯ୍ୟ କରଯାଇଛି।