ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଜ୍ୟର ବିଦ୍ୟୁତ୍ ଭିତ୍ତିଭୂମିକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ଏକ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉଠାଇବାକୁ ଯାଉଛନ୍ତି। ଏଣିକି ରାଜ୍ୟରେ ଓଭରହେଡ୍ ତାର ପରିବର୍ତ୍ତେ ମାଟିତଳେ ଅର୍ଥାତ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ। ଏଥିପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମୋଡାଲିଟି ପ୍ରସ୍ତୁତ କରାଯାଇଛି।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁଯାୟୀ, ଏହି ପ୍ରକଳ୍ପର ବିସ୍ତୃତ ରିପୋର୍ଟ (DPR) ତୁରନ୍ତ ପ୍ରସ୍ତୁତ କରିବା ପାଇଁ ଶକ୍ତି ବିଭାଗ ସଚିବଙ୍କୁ ଦାୟିତ୍ୱ ଦିଆଯାଇଛି। ରାଜ୍ୟ ସରକାର ଏହି DPR ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କ ପାଖକୁ ଆର୍ଥିକ ଓ ବୈଷୟିକ ସହାୟତା ପାଇଁ ପଠାଇବେ।

ବିପର୍ଯ୍ୟୟ କ୍ଷୟକ୍ଷତି ହେବ ହ୍ରାସ

ରାଜ୍ୟରେ ବାତ୍ୟା କିମ୍ବା ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥାଏ ଶକ୍ତି ବିଭାଗ। ଖୁଣ୍ଟ ଭାଙ୍ଗିବା ଏବଂ ତାର ଛିଣ୍ଡିବା ଯୋଗୁଁ ଦୀର୍ଘ ଦିନ ଧରି ବିଦ୍ୟୁତ୍ ସେବା ବ୍ୟାହତ ହୋଇଥାଏ, ଯାହାର ଆକଳନ ରାଜସ୍ୱ ବିଭାଗ କରିଥାଏ। ଏହି କ୍ଷୟକ୍ଷତିକୁ ସ୍ଥାୟୀ ଭାବେ କମାଇବା ଏବଂ ବିଦ୍ୟୁତ୍ ବ୍ୟବସ୍ଥାରେ ସହନଶୀଳତା ଆଣିବା ପାଇଁ ମାଟିତଳେ ତାର ବିଛାଇବାକୁ ଶ୍ରେଷ୍ଠ ବିକଳ୍ପ ଭାବେ ଗ୍ରହଣ କରାଯାଇଛି।

Also Read: ବଦଳି ଆଦେଶ ଅବମାନନା କରୁଥିବା ଅଧିକାରୀଙ୍କୁ ଝଟ୍କା, ଅର୍ଥ ବିଭାଗର କଡ଼ା ଚେତାବନୀ

ଟାଟା ପାୱାର ଓ ଉପଭୋକ୍ତା ସ୍ୱାର୍ଥ

ରାଜ୍ୟରେ ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାର ଘରୋଇକରଣ ହୋଇଥିବାରୁ TATA Power ସହ ମଧ୍ୟ ଏହି ବିଷୟରେ ଚର୍ଚ୍ଚା କରାଯାଇଛି। ଭିତ୍ତିଭୂମି ଆବଣ୍ଟନ ଏବଂ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ଏହାର ପ୍ରତ୍ୟକ୍ଷ ଲାଭ ଯେପରି କେବଳ କମ୍ପାନୀ ପାଖକୁ ନଯାଇ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିପାରିବ, ସେନେଇ ସରକାର ପ୍ରାଥମିକତା ଦେଉଛନ୍ତି।

ଆର୍ଥିକ ସହାୟତା ଓ ପୁନରୁଦ୍ଧାର

ପୂର୍ବରୁ ବିପର୍ଯ୍ୟୟଜନିତ କ୍ଷୟକ୍ଷତିର ଭରଣା ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ଶକ୍ତି ବିଭାଗକୁ ୧୨୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହା ସହିତ ବିପର୍ଯ୍ୟୟ ପରବର୍ତ୍ତୀ ସ୍ଥିତି ସୁଧାରିବା ପାଇଁ ପଞ୍ଚାୟତରାଜ, ପୂର୍ତ୍ତ ବିଭାଗ ଏବଂ NHAI କୁ ମଧ୍ୟ ଶହ ଶହ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏହି ସମସ୍ତ ପୁନରୁଦ୍ଧାର କାର୍ଯ୍ୟ ପାଇଁ ବିଶ୍ୱବ୍ୟାଙ୍କ ପକ୍ଷରୁ ମଧ୍ୟ ଋଣ ଓ ଅନୁଦାନ ଆକାରରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।

Also Read: ଓମ୍ ସତ କହିଥିବା ଲାଇ ଡିଟେକ୍ସନ ଟେଷ୍ଟ ରିପୋର୍ଟରୁ ସ୍ପଷ୍ଟ, ନିର୍ଦ୍ଧାରିତ ସମୟରେ ଦାଖଲ ହେବ ଚାର୍ଜସିଟ୍