ଭୁବନେଶ୍ଵର: ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରକୁ ୨ ବର୍ଷ ପୂରିବାକୁ ଯାଉଥିବାରୁ ଜୁନ୍ ୨ ରୁ ୯ ତାରିଖ ଭିତରେ ସବୁ ମନ୍ତ୍ରୀଙ୍କ ବିଭାଗର ସମୀକ୍ଷା କରାଯିବ । ବିଭାଗ ସମୀକ୍ଷା କରିବା ପରେ ସରକାରଙ୍କ ସଫଳତା ଲୋକଙ୍କ ଆଗରେ ରଖିବେ ମୁଖ୍ୟମନ୍ତ୍ରୀ ।ଏହାସହ ୨ବର୍ଷ ପୂର୍ତ୍ତି ଉପଲକ୍ଷେ କିଛି ନୂଆ ଯୋଜନା ବି ଘୋଷଣା ହେବ ବୋଲି କୁହାଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରନ୍ତି । ତେବେ ସବୁଠୁ ବଡ କଥା ହେଉଛି ରିପୋର୍ଟ କାର୍ଡ ସମୀକ୍ଷା ବେଳେ ଯେଉଁ ବିଭାଗର ମନ୍ତ୍ରୀ ଭଲକାମ କରିନଥିବେ ଜଣାପଡିବ ସେମାନଙ୍କ ଉପରେ କି କାର୍ଯ୍ୟାନଷ୍ଠାନ ନେବେ ମୁଖ୍ୟମନ୍ତ୍ରୀ ତାକୁ ସମସ୍ତଙ୍କ ଅପେକ୍ଷା ।

ମନ୍ତ୍ରୀଙ୍କ ଦକ୍ଷତା ମାପିବେ ମୁଖ୍ୟମନ୍ତ୍ରୀ । ଆସନ୍ତା ୨ରୁ ୯ ତାରିଖ ଭିତରେ ସବୁ ବିଭାଗର ରିପୋର୍ଟ କାର୍ଡ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ପ୍ରଥମ ଦିନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଦନ ସିଂଦେଓଙ୍କ ବିଭାଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଦିତୀୟ ଦିନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବିଭାଗର ସମୀକ୍ଷା ହେବେ । ୯ ତାରିଖ ଭିତରେ ସବୁ ବିଭାଗର ସମୀକ୍ଷା ସାରିବାକୁ ନିଷ୍ପତି ହୋଇଛି ।

Also Read: ମୁଁ ବାହାଦୁରି ମାରିବିନି, ପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା ହେଲେ ରାଜ୍ୟସଭା ଯିବି

ସମୀକ୍ଷା ସରିବା ପରେ ମୁଖ୍ୟମନ୍ତ୍ରୀ ରାଜ୍ୟ ବାସୀଙ୍କ ଆଗରେ ଦୁଇ ବର୍ଷର ରିପୋର୍ଟ କାର୍ଡ ରଖିବେ। ଦୁଇ ବର୍ଷ ପୂର୍ତ୍ତି ଅବସରରେ ଅନେକ ଯୋଜନା ଓ ଅନେକ ପ୍ରକଳ୍ପ ବି ଭେଟିଦେବେ ସରକାର। ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଓଡିଶା ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି କୁହାଯାଉଛି । ସରକାରକୁ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ୧୨ ରୁ ୨୨ ତାରିଖ ଭିତରେ ଗୋଟିଏ ଦିନ ଓଡିଶା ଆସିବେ ବୋଲି କୁହାଯାଉଛି ।

ଆଗାମୀ ଜୁନ୍ ୧୨ ତାରିଖରେ ରାଜ୍ୟ ସରକାରଙ୍କର ୨ ବର୍ଷ ପୂର୍ତ୍ତି ପାଳନ କରାଯିବ। ଏଥିପାଇଁ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବିଭିନ୍ନ ବିଭାଗର ସଫଳତାକୁ ସନ୍ନିବେଶିତ କରି ଶକ୍ତି ଓଡିଶା, ସମୃଦ୍ଧ କୃଷି ଓଡିଶା, ସୁସ୍ଥ ଓଡିଶା, ନିର୍ମାଣ ଓଡିଶା, ଉତ୍କର୍ଷ ଓଡିଶା, ଜନଶକ୍ତି ଓଡିଶା ଏବଂ କୌଶଳ ଓଡିଶା ଆଦି ଏହି୭ଟି ଥିମ୍ରେ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ । ଏଥିସହିତ ୨୦୨୬ରୁ ୨୦୩୬ ପର୍ଯ୍ୟନ୍ତ ସରକାରଙ୍କ ଲକ୍ଷ୍ୟ ଏବଂ ଆଭିମୁଖ୍ୟ ଗୁଡିକ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ୍ ରହିବ।

Also Read: ମିଳିଲା ବଡ଼ ସଙ୍କେତ, ଖୁବଶୀଘ୍ର ରାଜ୍ୟ ମନ୍ତ୍ରିମଣ୍ଡଳରେ ହେବ ପରିବର୍ତ୍ତନ !

ବିଭାଗୀୟ ମନ୍ତ୍ରୀମାନେ ୨ ବର୍ଷ ମଧ୍ୟରେ ନିଜ ନିଜ ବିଭାଗରେ ହାସଲ ହୋଇଥିବା ସଫଳତା ବିଷୟରେ ସାମ୍ବାଦିକ ସମ୍ମିଳନୀ କରିବା ସହିତ ବିଭାଗ ଗୁଡିକର ସଫଳତା ସମ୍ପର୍କିତ ଲିଫଲେଟ୍, ପୁସ୍ତିକା ପ୍ରକାଶନ କରିବେ । ରାଜ୍ୟର ସମୃଦ୍ଧି ଓ ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ସରକାରଙ୍କର ଯେଉଁ ଆଭିମୁଖ୍ୟ ରହିଛି, ତାହା କିଭଳି ଲୋକଙ୍କ ପାଖରେ ପହଁଞ୍ଚିବ ସେନେଇ ଗୁରୁତ୍ବ ଦେଉଛନ୍ତି ସରକାର ।

ସରକାରକୁ ଦୁଇ ବର୍ଷ ପୁର୍ତ୍ତି କିଭଳି ପାଳନ କରାଯିବ ସେନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ଅଧିକାରୀ ମାନଙ୍କ ସହ ବୈଠକ ନେଉଛନ୍ତି । ଲୋକଙ୍କ ପାଇଁ ସରକାର କଣ କରିଛନ୍ତି ତାହା ସେମାନଙ୍କ ପାଖେ ପହଁଚାଇବାକୁ ସରକାର ଉଦ୍ୟମ କରୁଛନ୍ତି ।