ଭୁବନେଶ୍ବର: ଭାଲେଣ୍ଟାଇନ୍ସ ଡେ’ ଏବଂ ଶିବରାତ୍ରିକୁ ନଜରରେ ରଖି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ଦୁଇ ଦୁଇଟି ଓଡ଼ିଆ ଚଳଚ୍ଚିତ୍ର । ‘ରକ୍ତ ଗୋଲାପ’ ଏବଂ ‘ବର ବଧୂ’ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି ।ସସ୍ପେନ୍ସ, ଥ୍ରୀଲର ‘ରକ୍ତ ଗୋଲାପ’କୁ ପସନ୍ଦ କରିଛନ୍ତି ଦର୍ଶକ। ଚଳଚ୍ଚିତ୍ର ପ୍ରେମୀଙ୍କ ସମେତ ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ, ସିନେ ସମୀକ୍ଷକ ଏକାଠି ବସି ସିନେମା ଟିକୁ ଦେଖିଛନ୍ତି । ଚଳଚ୍ଚିତ୍ରଟି ଏକ ନୂତନ କାହାଣୀ ଏବଂ ଉଚ୍ଚକୋଟୀର ଅଭିନୟର ଏକ ଚମତ୍କାର ମିଶ୍ରଣ । ଓଡ଼ିଶାର ଦକ୍ଷ ଥିଏଟର କଳାକାରଙ୍କୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ର, ବାସ୍ତବବାଦ ଏବଂ ଭାବପୂର୍ଣ୍ଣ ଅଭିନୟର ଏକ ନିଆରା ଅନୁଭୂତି ଦେଇଛି ।

ଓଡ଼ିଶାରେ ୩୦ଟି ପ୍ରେକ୍ଷାଳୟରେ ମୁକ୍ତିକାଭ କରିଛି ରକ୍ତ ଗୋଲାପ । ସବୁଠି ଭରପୁର ଥିଲେ ଦର୍ଶକ । ଗୁରୁବାର ଭୁବନେଶ୍ୱର ଶ୍ରୀୟା ହଲରେ ଗ୍ରାଣ୍ଡ ପ୍ରିମିୟର ଅନୁଷ୍ଠିତ ହୋଇଥିଲା। ଚଳିଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଏଲିନା, ମଞ୍ଚ ଜଗତର ଅଭିଜ୍ଞ କଳାକାର ହର ରଥ, ସମରେଶ ରାଉତରାୟ, ଉଦିତ ଗୁରୁ, ଚୌଧୁରୀ ଜୟପ୍ରକାଶ ଦାସ ଏବଂ ଅଭିଷେକ ଗିରି । ସେମାନେ ବହୁ ବର୍ଷର ଅଭିନୟ ଅନୁଭୂତିକୁ ପରଦା ଉପରେ ଜୀବନ୍ତ କରିଛନ୍ତି । ରକ୍ତ ଗୋଲାପ'ରେ ଏଲିନା ସାମନ୍ତରାୟ ଦମଦାର ଅଭିନୟ କରିଛନ୍ତି । ହୁଏତ ଏହା ତାଙ୍କ କ୍ୟାରିୟରର ସବୁଠାରୁ ଶ୍ରେଷ୍ଠ ଭାବପୂର୍ଣ୍ଣ ଅଭିନୟ ହେବାକୁ ଯାଉଛି।

ଜଣେ ନବବିବାହିତା ମହିଳାଙ୍କ ପ୍ରେମ ହରାଇବାର ଦୁଃଖ ଏବଂ ତଦନ୍ତ ପ୍ରକ୍ରିୟା ମଧ୍ୟରେ ସଂଘର୍ଷକୁ ନେଇ କାହାଣୀ ଗତିଶୀଳ । ଅଭିଷେକ ଗିରିଙ୍କ ସହ ତାଙ୍କର ଅନ୍-ସ୍କ୍ରିନ୍ କେମେଷ୍ଟ୍ରି ଚଳଚ୍ଚିତ୍ରର ମୁଖ୍ୟ ଆକର୍ଷଣ ସାଜିଛି । ସୂର୍ଯ୍ୟମୟୀଙ୍କ ପାତଳଘଣ୍ଟା ଆଇଟମ୍ ଗୀତରେ ଭରପୁର ମନୋରଞ୍ଜନର ଖୋରାକ ପାଇଛନ୍ତି ଦର୍ଶକ । ସେପଟେ ପ୍ରେମ ସପ୍ତାହରେ ଓଡ଼ିଆ ସିନେପ୍ରେମୀ ଦେଖିବାକୁ ପାଇବେ ଓଡ଼ିଆ ଘରର କଥାକୁ ନେଇ ନିର୍ମିତ ଚଳଚ୍ଚିତ୍ର ‘ବର ବଧୂ’ ।

ତିନୋଟି ପିଢ଼ିକୁ ନେଇ ନିର୍ମିତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ବର ବଧୂ’ । ଏହି ଫିଲ୍ମରେ ଶିବାନୀ ସଙ୍ଗୀତା ଓ ଶୈଳେନ୍ଦ୍ର ସାମନ୍ତରାୟ, ହର ରଥ ଓ ସୂର୍ଯ୍ୟମୟୀ ମହାପାତ୍ର, ଶୁଭାଶିଷ ଶର୍ମା ଓ ଜୟଶ୍ରୀ ଷଢଙ୍ଗୀ ପ୍ରମୁଖ ଚମତ୍କାର ଅଭିନୟ କରିଛନ୍ତି । ଚଳଚ୍ଚିତ୍ରଟି ଓଡ଼ିଆ ଘରର କଥା ଓ ପରମ୍ପରାକୁ ନେଇ ନିର୍ମିତ । ଚନ୍ଦ୍ରମଣିଙ୍କ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦେଶନା ଦେଇଛନ୍ତି ବିଶ୍ଵରଞ୍ଜନ । ଚଳଚ୍ଚିତ୍ରଟି ସିନେମା ଘରକୁ ଆସିବା ପୂର୍ବରୁ ଏହାର ଗୀତ ଗୁଡିକ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ସମ୍ପୂର୍ଣ୍ଣ ମୌଳିକ କଥାବସ୍ତୁକୁ ନେଇ ନିର୍ମିତ ଫିଲ୍ମଟି ସମାଜକୁ ସ୍ୱତନ୍ତ୍ର ବାର୍ତ୍ତା ଦେବାକୁ ଚେଷ୍ଟା କରିବ ।