ତିରୁଅନନ୍ତପୁରମ: କେରଳ ହାଇକୋର୍ଟ ଗଣତନ୍ତ୍ର ଓ ସମ୍ବିଧାନ ମର୍ଯ୍ୟଦାକୁ ସର୍ବୋପରି ରଖି ଏକ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ରାୟ ଦେଇଛନ୍ତି। କୋର୍ଟ ସ୍ପଷ୍ଟ ରୂପେ କହିଛନ୍ତି ଯେ ଜନ ପ୍ରତିନିଧିଙ୍କ ଦ୍ୱାରା ଆଇନର ଧାର୍ଯ୍ୟ ମୂଳ ରୂପରୁ ହଟି ନିଆଯାଇଥିବା ଯେ କୌଣସି ଶପଥ ଆଇନତଃ ମାନ୍ୟ ହେବ ନାହିଁ। କେରଳ ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ପି.ଭି.କୁହ୍ନିକୃଷ୍ଣନଙ୍କ ଏକକ ପୀଠ ତିରୁଅନନ୍ତପୁରମ ନିଗମର ୨୦ ବିଜେପି କାଉନସିଲର ଓ ପଲକ୍କଡ ଜିଲ୍ଲାର ଜଣେ ପଞ୍ଚାୟତ ସଦସ୍ୟଙ୍କ ଶପଥକୁ ଅମାନ୍ୟ ଘୋଷିତ କରିଛନ୍ତି।

ଏହି ସଦସ୍ୟମାନେ ‘ଈଶ୍ୱର’ ଓ ‘ସତ୍ୟନିଷ୍ଠା’ର ନିର୍ଦ୍ଧାରିତ ଶବ୍ଦ ବଦଳେ ସ୍ଥାନୀୟ ଦେବୀ-ଦେବତା, ଭାରତମାତା, ରାଜନୈତିକ ଆନ୍ଦୋଳନରେ ପ୍ରାଣ ହରାଇଥିବା ସେମାନଙ୍କ ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମନ ଚାଣ୍ଡିଙ୍କ ନାମରେ ଶପଥ ପାଠ କରିଥିଲେ। କୋର୍ଟ ଭାବପୂର୍ଣ୍ଣ ଟିପ୍ପଣୀ କରି କହିଛନ୍ତି ଯେ ଶପଥ କେବଳ ଏକ ଆନୁଷ୍ଠାନିକ ବିଧିବିଧାନ ନୁହେଁ ବରଂ ଜନତାଙ୍କ ପ୍ରତି ଏକ ପବିତ୍ର ପ୍ରତିଶ୍ରୁତି ଯେ ଜନପ୍ରତିନିଧି ସମ୍ବିଧାନ ଓ ଆଇନର ଶାସନ ବଜାୟ ରଖିବେ।

ଭାରତର ଧର୍ମ ନିରପେକ୍ଷତା ଓ ମହାନ ସନ୍ଥ ଶ୍ରୀ ନାରାୟଣ ଗୁରୁଙ୍କ ସନ୍ଦେଶର ସ୍ମରଣ କରାଇ କୋର୍ଟ କହିଛନ୍ତି ଯେ ନାଗରିକ ଯେ କୌଣସି ପ୍ରକାରେ ଈଶ୍ୱରଙ୍କୁ ମାନିବାକୁ ସ୍ୱାଧୀନ, ହେଲେ ଯେତେବେଳେ କଥା ଆଇନ ଦ୍ୱାରା ସ୍ଥାପିତ ପ୍ରକ୍ରିୟାର ଆସେ ସେତେବେଳେ ଏଥିରେ ନିଜ ଆଡୁ ନୂଆ ଶବ୍ଦ ଯୋଡିବା ଅଥବା ବଦଳାଇବା ସ୍ୱୀକାର ନୁହେଁ। ଆଇଏଏନଏସ ଅନୁସାରେ ଏହି ଆଇନଗତ ତ୍ରୁଟି ସତ୍ୱେ କୋର୍ଟ ଜନତାଙ୍କ ଗଣତାନ୍ତ୍ରିକ ଜନାଦେଶକୁ ସମ୍ପୂର୍ଣ୍ଣ ସମ୍ମାନ କରିଛନ୍ତି। କୋର୍ଟ କାଉନସିଲରମାନଙ୍କ ନିର୍ବାଚନକୁ ରଦ୍ଦ ନ କରି ସେମାନଙ୍କୁ ତ୍ରୁଟି ସଂଶୋଧନ ପାଇଁ ଆଉ ଏକ ସୁଯୋଗ ଦେଇଛନ୍ତି।

ହାଇକୋର୍ଟ ମାମଲାରେ ସମ୍ବଦ୍ଧିତ ଅଧିକାରୀମାନଙ୍କୁ ପ୍ରଭାବିତ ଜନପ୍ରତିନିଧିଙ୍କ ଲାଗି ଆଗାମୀ ୪ ସପ୍ତାହ (ଏକମାସ) ମଧ୍ୟରେ ଆଇନ ପରିସରରେ ଦ୍ୱିତୀୟବାର ଶପଥପାଠ ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେହେତୁ ସଦସ୍ୟମାନେ ଏହା ଜାଣିଶୁଣି କରି ନାହାନ୍ତି ବରଂ ଆଇନର ବୈଧତା ବିଶ୍ୱାସରେ କରିଛନ୍ତି ଏଣୁ ସେମାନଙ୍କ ବିରୋଧରେ କୌଣସି ଜରିମନା ଅଥବା ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ହେବ ନାହିଁ।

କୋର୍ଟଙ୍କ ଏହି ରାୟରେ ତିରୁଅନନ୍ତପୁରମର କାଉନସିଲର ଓ ଗ୍ରାମପଞ୍ଚାୟତ ସଦସ୍ୟଙ୍କ ମଧ୍ୟରେ ଏକ ବୈଷୟିକ ଅନ୍ତର ସାମ୍ନାକୁ ଆସିଛି। କେରଳ ନଗରପାଳିକା ଅଧିନିୟମ ଧାରା ୫୩୧ ଅନୁସାରେ ତିରୁଅନନ୍ତପୁରମ ବିଜେପି କାଉନସିଲରଙ୍କ ଦ୍ୱାରା ଏ ପର୍ଯ୍ୟନ୍ତ ହୋଇଥିବା ସବୁ ପ୍ରଶାସନିକ କାର୍ଯ୍ୟକୁ ଆଇନଗତ ସୁରକ୍ଷା ପ୍ରଦାନ କରାଯାଇଛି। ଅର୍ଥାତ ସେମାନଙ୍କ କାର୍ଯ୍ୟ ବୈଧ ରହିବ।

ଅନ୍ୟପଟେ ବଡ଼କ୍କନଚେରୀ ଗ୍ରାମପଞ୍ଚାୟତ ସଦସ୍ୟଙ୍କ ମାମଲାରେ ପଞ୍ଚାୟତରାଜ ଅଧିନିୟମରେ ଏପରି କୌଣସି ସୁରକ୍ଷାତ୍ମକ ଧାରା ନଥିବାରୁ ତାଙ୍କ ଦ୍ୱାରା ଏ ପର୍ଯ୍ୟନ୍ତ କରାଯାଇଥିବା କାର୍ଯ୍ୟକୁ ଅମାନ୍ୟ ଘୋଷଣା କରାଯାଇଛି। ତେବେ ଏମାନେ ଦ୍ୱିତୀୟବାର ଶପଥଗ୍ରହଣ କରିବା ପରେ ସମସ୍ତେ ସ୍ୱଭାବିକ ଭାବେ ନିଜ ସେବା ଜାରି ରଖି ପାରିବେ। ହାଇକୋର୍ଟଙ୍କ ଏହି ଐତିହାସିକ ନିଷ୍ପତ୍ତି ଏହା ମନେ ପକାଇ ଦେଉଛି ଯେ ଜନଭାବନାକୁ ସମ୍ମାନ କରି ଆଇନର ଧାର୍ଯ୍ୟ ମର୍ଯ୍ୟଦାର ଉଲ୍ଲଂଘନ କରାଯାଇ ପାରିବନି।