ନୂଆଦିଲ୍ଲୀ: ନିଜ ଦେଶକୁ ଫେରିବାକୁ ବ୍ୟାକୁଳ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା। ଏଥିପାଇଁ ସେ ନୂଆଦିଲ୍ଲୀ ସ୍ଥିତ ବାଂଲାଦେଶୀ ଦୂତାବାସରେ ନୂଆ ପାସପୋର୍ଟ ଓ ରାଷ୍ଟ୍ରୀୟ ପରିଚୟ ପତ୍ର(NID) ଜାରି କରିବାକୁ ଅନୁରୋଧ କରିଛନ୍ତି। ୨୦୨୪ ଅଗଷ୍ଟରେ ଜନ ଆକ୍ରୋଶ ଓ ହିଂସାତ୍ମକ ବିଦ୍ରୋହ ପରେ ସେ ବାଂଲାଦେଶରୁ ପଳାୟନ କରି ଭାରତରେ ଶରଣ ନେଇଥିଲେ। ଦୁଇ ବର୍ଷ ପରେ ପ୍ରଥମ ଥର ସେ ଆନୁଷ୍ଠାନିକ ଭାବେ ନିଜ ଦେଶର ଦୂତାବାସ ସହ ଯୋଗାଯୋଗ କରିଛନ୍ତି।

ଲଣ୍ଡନ ସ୍ଥିତ ମାଟ୍ରିକ୍ସ ଚାମ୍ବର୍ସର ଆଇନ ପ୍ରତିନିଧିଗଣ ନୂଆଦିଲ୍ଲୀରେ ବାଂଲାଦେଶର କାର୍ଯ୍ୟକାରୀ ଉଚ୍ଚାୟୁକ୍ତ ପ୍ରୀତି ରେହମାନଙ୍କୁ ଶେଖ ହସିନାଙ୍କ ଆବେଦନ ପତ୍ର ପ୍ରଦାନ କରିଛନ୍ତି। ଏଥିରେ କୁହାଯାଇଛି ଯେ ଗତ ସରକାରଙ୍କ ଦ୍ଵାରା ଶେଖ ହସିନାଙ୍କ ପାସପୋର୍ଟ ଏବଂ ଅନ୍ୟ ଦସ୍ତାବିଜ ରଦ୍ଦ କରାଯାଇଥିଲା। ତେଣୁ ଏବେ ନୂଆ ପାସପୋର୍ଟ, ଯାତ୍ରା ସଂପର୍କିତ କାଗଜପତ୍ର ଏବଂ ପରିଚୟ ଶୀଘ୍ର ଜାରି କରାଯାଉ। ଶେଖ ସହିନାଙ୍କ ବାଂଲାଦେଶ ନାଗରିକତା ଓ ଅନ୍ତର୍ଜାତୀୟ ମାନବାଧିକାର ଆଇନ ଆଧାରରେ ବାଂଲାଦେଶର ନୂଆ ସରକାର ତାଙ୍କ ଦାୟିତ୍ଵ ନିର୍ବାହ କରନ୍ତୁ ବୋଲି ହସିନାଙ୍କ ଓକିଲ କହିଛନ୍ତି।

Also Read: ଦରମାର ୯୦% ଦାନ, ପୁରୁଣା କାର୍ରେ ଯାତ୍ରା; ଏମିତି ଥିଲେ ବିଶ୍ୱର 'ଗରିବ ରାଷ୍ଟ୍ରପତି'

ରିପୋର୍ଟ ଅନୁଯାୟୀ, ଶେଖ ହସିନା ଡିସେମ୍ବରରେ ବାଂଲାଦେଶ ଫେରି ଅଦାଲତରେ ଆତ୍ମସମର୍ପଣ କରିବାକୁ ଯୋଜନା କରିଛନ୍ତି। ହେଲେ ତାଙ୍କର ସ୍ଵଦେଶ ପ୍ରତ୍ୟାବର୍ତ୍ତନ ବାଂଲାଦେଶରେ ନୂଆ ରାଜନୈତିକ ଉତ୍ତେଜନା ଓ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିପାରେ। ୨୦୨୫ ନଭେମ୍ବରରେ ଏକ ଅଦାଲତ ୨୦୨୪ ବିରୋଧ ପ୍ରଦର୍ଶନ ସମୟରେ ହୋଇଥିବା ହିଂସାତ୍ମକ ଘଟଣାକୁ ନେଇ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ।

୨୦୨୪ରୁ ଭାରତରେ ଅଛନ୍ତି ଶେଖ ହସିନା

୨୦୨୪ ଜୁନରେ ସରକାରୀ ଚାକିରିରେ ୩୦ ପ୍ରତିଶତ ସ୍ଵାଧୀନତା ସଂଗ୍ରାମୀ କୋଟା ପ୍ରଣାଳୀର ବ୍ୟବସ୍ଥା କରିଥିଲେ ଶେଖ ହସିନା। ଏହାକୁ ବିରୋଧ କରି ଛାତ୍ର ଆନ୍ଦୋଳନ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ଦେଶବ୍ୟାପୀ ଆନ୍ଦୋଳନରେ ପରିଣତ ହୋଇଥିଲା। ଧିରେ ଧିରେ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା। ହିଂସାରେ ପୂରା ଜଳି ଉଠିଲା ବାଂଲାଦେଶ। ସ୍ଥିତି ଏମିତି ଉପୁଜିଲା ଯେ, ଶେଖ ସହିନାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶରୁ ପଳାୟନ କରିବାକୁ ପଡ଼ିଥିଲା। ତାଙ୍କ ପାର୍ଟି ଆବାମୀ ଲିଗକୁ ଦେଶରେ ନିଷେଧ ଘୋଷଣା କରାଗଲା। ଏହା ପରଠୁ ଭାରତରେ ଶରଣ ନେଇଛନ୍ତି ଶେଖ ହସିନା।